କାଳିଆପାଣି: ଯାଜପୁରଜିଲ୍ଲା କାଳିଆପାଣି ଅଞ୍ଚଳର ଜଣେ ଆଦିବାସୀ ନାବାଳିକା କଲେଜ ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରିଦେବା ଓ ପରେ କ୍ରେତା ନାବାଳିକାଙ୍କୁ ବିବାହ କରିଥିବା ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଏ ସଂକ୍ରାନ୍ତରେ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। ନାବାଳିକାଙ୍କୁ ଷଡ୍ଯନ୍ତ୍ର କରି ମଧ୍ୟପ୍ରଦେଶରେ ବିକ୍ରି କରିଥିବା ଅଭିଯୁକ୍ତ ଦୁଇ ଭଉଣୀ ବର୍ତ୍ତମାନ ପୁଲିସ ସ୍କାନରରେ ରହିଛନ୍ତି।
ଝିଅ କିଣି ବାହା ହେବା ଯୋଜନାରେ ଥିବା ମଧ୍ୟପ୍ରଦେଶର ଜଣେ କ୍ରେତାଙ୍କ ସହ ସୁକିନ୍ଦା ଥାନା ସଂସାଇଲୋ ଗାଁର ୨ ଭଉଣୀ ଯୋଗାଯୋଗ କରିଥିଲେ। ଏହି ୨ ଭଉଣୀ ଆଦିବାସୀ ନାବାଳିକାଙ୍କୁ ତୀର୍ଥଯାତ୍ରା ଓ ପରିଭ୍ରମଣର ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶ ନେଇ ସେଠାରେ ବିକି ଦେଇଥିଲେ। ଏ କଥା ଖୋଦ୍ ଝିଅଠାରୁ ଶୁଣିବା ଏବଂ ଫଟୋ ଓ ଭିଡିଓ ଦେଖିବା ପରେ ପରିବାର ଲୋକଙ୍କ ମୁଣ୍ଡ ଘୂରାଇ ଦେଇଛି। ପୀଡ଼ିତାଙ୍କ ପରିବାର ଆଜି କାଳିଆପାଣି ଥାନାରେ ଏତଲା ଦେଇଛନ୍ତି। ସଂସାଇଲୋର ଅଭିଯୁକ୍ତ ୨ ଭଉଣୀଙ୍କ ମଧ୍ୟରୁ ସାନଭଉଣୀ ଜଣକ ପୀଡ଼ିତାଙ୍କ ସାଙ୍ଗ ବୋଲି ଜଣାପଡ଼ିଛି। ଏ ନେଇ ତଦନ୍ତ ଜାରି ରହିଛି ବୋଲି କଳିଙ୍ଗନଗର ଏଏସ୍ପି ସୁପ୍ରସନ୍ନ ମଲ୍ଲିକ କହିଛନ୍ତି।
କୁହିକା ଅଞ୍ଚଳର ଏକ ହାଇସ୍କୁଲ ହଷ୍ଟେଲରେ ରହି ପଢ଼ୁଥିବା ସମୟରେ ଅଭିଯୁକ୍ତ ଯୁବତୀ ସହ ପୀଡ଼ିତାଙ୍କର ସଂପର୍କ ରହିଥିଲା। ଗ୍ରୀଷ୍ମଛୁଟିରେ ଅଭିଯୁକ୍ତ ଯୁବତୀ ଏକାଧିକଥର ପୀଡ଼ିତାଙ୍କ ଗାଁକୁ ଆସି ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥିଲା। ଏବର୍ଷ ମାଟ୍ରିକ୍ ପାସ୍ କରି ସୁକିନ୍ଦା କଲେଜରେ ନାଁ ଲେଖାଇଥିବା ପୀଡ଼ିତା ଗତ ଜୁଲାଇ ୨୭ରେ ନାଟକୀୟ ଭାବେ ଅପହରଣ ହୋଇଥିଲେ। ସେଦିନ ସକାଳେ ଅଭିଯୁକ୍ତ ଯୁବତୀ ଓ ତାଙ୍କ ବିବାହିତା ବଡ଼ଭଉଣୀ ପୀଡ଼ିତାଙ୍କୁ ସାଥୀରେ ଧରି ମଧ୍ୟପ୍ରଦେଶ ପଳାଇଥିଲେ। ମଧ୍ୟପ୍ରଦେଶରେ ପହଞ୍ଚିବାର ଦିନକ ପରେ ଭଲରେ ଅଛି ବୋଲି ପୀଡ଼ିତା ଘରକୁ ଜଣାଇବାରୁ ମା’ ବାପା ଚୁପ୍ ରହିଥିଲେ। ହେଲେ ଦେଢ଼ମାସ ପରେ ଝିଅ ବିକ୍ରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସେଠାରେ ଝିଅ ବିବାହ କରିସାରିଥିବା ବେଳେ ଶାଶୂଘର ଲୋକେ ଟଙ୍କା ଦେଇ ତାକୁ କିଣିଥିବା ଶୁଣି ଡରି ଯାଇଥିଲେ। ଷଡ୍ଯନ୍ତ୍ରର ଶିକାର ହୋଇଥିବା ନିଶ୍ଚିତ ହେବା ପରେ ପୀଡ଼ିତା ଗାଁର ଜଣେ ସଂପର୍କୀୟଙ୍କୁ ବିବାହ ଓ ପରିବାରରେ ରାଖୀ ଉତ୍ସବର ଫଟୋ, ଭିଡିଓ ପଠାଇଥିଲେ। ଏହା ଦେଖି ପରିବାର ଲୋକେ ଝିଅ ଓ ତାଙ୍କ ଶାଶୂଘର ଲୋକଙ୍କ ସହ ହିନ୍ଦୀରେ କଥାବାର୍ତ୍ତା ହୋଇଥିଲେ। ଥାନାରେ ପୁଲିସକୁ ଏ ସବୁ ବାର୍ତ୍ତାଳାପ ଓ ଚାଟିଂ ସମୟର ପ୍ରମାଣ ଦିଆଯାଇଛି।
ଓଡ଼ିଶାରୁ ଝିଅ କିଣି ବାହା ହୋଇପଡ଼ିଲେ ମଧ୍ୟପ୍ରଦେଶ ବ୍ୟକ୍ତି
ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳର ଜଣେ ଆଦିବାସୀ ନାବାଳିକା କଲେଜ ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରିଦେବା ଓ ପରେ କ୍ରେତା ନାବାଳିକାଙ୍କୁ ବିବାହ କରିଥିବା ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି।
/sambad/media/media_files/2025/08/13/untitled-8-2025-08-13-05-56-28.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)