ବୈଶିଙ୍ଗାରେ ମଧ୍ୟପ୍ରଦେଶ ପୁଲିସ, ଜଣେ ଗିରଫ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ନକଲି ସିମ୍‌କାର୍ଡ କାରବାର ଚାଲିଛି। ଏନେଇ ଅଭିଯୋଗ ହୋଇଆସୁଥିଲା। ଯାହାଫଳରେ ଅପରାଧିକ ଘଟଣା ଘଟିବାର ସମ୍ଭାବନା ରହିଛି ବୋଲି ଲୋକେ ଆଶଙ୍କା କରିଥିଲେ। ଯାହା ଏବେ ସତ ହୋଇଛି। ଏକ ସାଇବର ଅପରାଧ ଘଟଣାର ତଦନ୍ତ କରି ମଧ୍ୟପ୍ରଦେଶ ପୁଲିସ ବୈଶିଙ୍ଗାରେ ପହଞ୍ଚିଛି ଏବଂ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ; ମଧ୍ୟପ୍ରଦେଶରେ ସାଇବର ଅପରାଧ ନେଇ ଅଭିଯୋଗ ହୋଇଥିଲା। ଖୋଳତାଡ଼ କରୁଥିବା ବେଳେ ପୁଲିସ ଅପରାଧ‌ରେ ବ୍ୟବହାର ହୋଇଥିବା ଏକ ସିମ୍‌ ବାବଦରେ ସୂଚନା ପାଇଥିଲା। ଫଳରେ ପୁଲିସ ସିମ୍‌ ବ୍ୟବହାରକାରୀଙ୍କୁ ଖୋଜି ଖୋଜି ବୈଶିଙ୍ଗାରେ ପହଞ୍ଚିଥିଲା। ବୈଶିଙ୍ଗା ଥାନା ପୁଲିସ ସହାୟତାରେ କଦଳିଆ ଗ୍ରାମର ବୀରେନ୍ଦ୍ର ସାହୁ ନାମକ ଜଣେ ଯୁବକଙ୍କୁ ଧରି ବୈଶିଙ୍ଗା ଥାନାକୁ ଆଣି ପଚରାଉଚରା କରିଥିଲା। ଜଣାପଡ଼ିଥିଲା ଯେ ଅପରାଧରେ ବ୍ୟବହର ହୋଇଥିବା ସିମ୍‌କାର୍ଡ ସଂପୃକ୍ତ ଯୁବକଙ୍କ ନାମରେ ଥିବା ବ‌େଳେ ତାକୁ ସେ ବ୍ୟବହାର କରୁ ନଥିଲେ। ତେଣୁ ପୁଲିସ ବୀରେନ୍ଦ୍ରଙ୍କୁ ଛାଡ଼ି ଦେଇ ସେ ସିମ୍‌କାର୍ଡ ପାଇଁ ଯେଉଁ ଡିଲରଙ୍କୁ କାଗଜପତ୍ର ଦେଇଥିଲେ, ପୁଲିସ ସେହି ଡିଲରଙ୍କ ଦୋକାନରେ ଚଢ଼ଉ କରି କଦଳିଆ ଗ୍ରାମର ଚାରୁ ସିଂଙ୍କ ପୁଅ ତୋଫାନ ସିଂ (୨୧)ଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଥାଉକି କେତେକ ଅସାଧୁ ଡିଲର ଓ ଦୋକାନୀ ନିଜର ଟାର୍ଗେଟ୍‌ ହାସଲ ପାଇଁ ବିଭିନ୍ନ ଲୋକଙ୍କ କାଗଜପତ୍ରରେ ଶତାଧିକ ସିମ୍‌କାର୍ଡ ଆକ୍ଟିଭ୍‌ କରି ରଖୁଛନ୍ତି। କେହି ସେମାନଙ୍କ ପାଖରୁ ସିମ୍‌ ଆଣିଲେ, ତାଙ୍କ କାଗଜପତ୍ର ରଖି ଆକ୍ଟିଭେଟ୍‌ ହୋଇଥିବା ସିମ୍‌କୁ ଦେଇଦେଉଛନ୍ତି। ଯାହାର ସୁଯୋଗ ନେଇ ଅପରାଧୀମାନେ ସାଇବର ଅପରାଧ ଭିଆଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର