ମହିଳାଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ମାମଲା: କ୍ରେତା ସମେତ ଦୁଇ ଅଭିଯୁକ୍ତ ଗିରଫ 

ବୁର୍ଲା: ବୁର୍ଲା ଥାନା ଚିପିଲିମା ଅଂଚଳର ଜଣେ ମହିଳାଙ୍କୁ ସହାୟତା କରିବା ଆଳରେ ରାଜ୍ୟ ବାହାରେ ବିକ୍ରି କରିବା ମାମଲାରେ ପୁଲିସ ପୁଣି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ବ୍ୟକ୍ତି ହେଲେ ମହିଳାଙ୍କୁ କିଣିଥିବା ଭୋପାଲର ଜିତେନ୍ଦ୍ର ସେନ୍ ଏବଂ ଏହି ଘଟଣାରେ ମଧ୍ୟସ୍ତି ସାଜିଥିବା ବିଦ୍ୟାରାମ ବର୍ମାଙ୍କୁ ବୁର୍ଲା ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ ବୁର୍ଲା ଥାନା ଚିପିଲିମା ଅଂଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହିତ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ମହିଳା ଜଣକ ଘର ଛାଡ଼ି  ହୀରାକୁଦ ପଳେଇ ଯାଇଥିଲେ। ହୀରାକୁଦର ସୁଭଦ୍ରା ଭୁକ୍ତାଙ୍କ ନିକଟକୁ ପହଂଚି ସେ ସହାୟତା ମାଗିଥିଲେ। ସୁଭଦ୍ରା ସମ୍ପୃକ୍ତା ମହିଳାଙ୍କୁ ସହାୟତା କରିବା ବାହାନାରେ ତାଙ୍କୁ ନିଜ ଘରେ କିଛିଦିନ ଆଶ୍ରୟ ଦେଇଥିଲେ। ଏହା ପରେ ତାଙ୍କୁ ଚାକିରି କରାଇ ଦେବା କହି ଭୋପାଳ ନେବା ସହିତ ସେଠାକାର ଜଣେ ବ୍ୟକ୍ତି ଜିତେନ୍ଦ୍ର ସେନ୍‌କୁ ବିକି ଦେଇଥିଲେ।

ସୁଭଦ୍ରା ସମ୍ପୃକ୍ତ ଯୁବକଙ୍କଠାରୁ ମହିଳାଙ୍କୁ ଦେଇ ୨ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ। ଏଥିରେ ସୁଭଦ୍ରାଙ୍କୁ ତାଙ୍କୁ ଜ୍ବାଇଁ ବିଦ୍ୟାରାମ ବର୍ମା ସହଯୋଗ କରିଥିଲେ। ତେବେ ବିକ୍ରି ହୋଇଥିବା ମହିଳା ଏ ସମ୍ପର୍କରେ ଜାଣିବା ପରେ କୌଶଳକ୍ରମେ ସୁଦୂର ମଧ୍ୟପ୍ରଦେଶରୁ ଚାଲିଆସି ହୀରାକୁଦ ଥାନାରେ ପହଂଚି ଘଟଣା ସମ୍ପର୍କରେ କହିଥିଲେ। ଏହା ପରେ ହୀରାକୁଦ ଥାନା ପୁଲିସ ମହିଳାଙ୍କୁ ବୁର୍ଲା ଥାନା‌ରେ ଯାଇ ଅଭିଯୋଗ କରିବାକୁ ପରାମର୍ଶ ‌ଦେଇଥିଲେ । ମହିଳା ଜଣକ ବୁର୍ଲା ଥାନାରେ ଏନେଇ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ କରି ସୁଭଦ୍ରାଙ୍କୁ ଗତ ୨୭ ଫେବ୍ରୁଆରିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଜିତେନ୍ଦ୍ର ଓ ବିଦ୍ୟାରାମଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର