ରାଉରକେଲା : ଏକ ଚର୍ଚ୍ଚିତ ଘଟଣାକ୍ରମରେ ସାରନଗରୀ ଜଗନ୍ନାଥ ମନ୍ଦିରକୁ ବିବାହ ପାଇଁ ଆସିଥିବା ବନ୍ଧମୁଣ୍ଡା ଚମ୍ପାଗଡ଼ର ବର ଶଙ୍କର ପଣ୍ଡା ମଦ ନିଶାରେ ବେଦୀରୁ ଉଠି ଭାଇ ସୁଦାମ ସହ କନ୍ୟାପକ୍ଷ ଲୋକଙ୍କୁ ମାଡ଼ପିଟ୍ କରି ଶେଷରେ ଶିଶୁପାଳ ହେବା ପରେ ଆଜି ଥାନାରେ ତା’ ଚେତା ପଶିଛି। କନ୍ୟା ପକ୍ଷର ଏତଲାକୁ ଆଧାର କରି ଗତକାଲି ଟାଙ୍ଗରପାଲି ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ବର ଶଙ୍କର ଓ ଭାଇ ସୁଦାମଙ୍କୁ ଅଟକ ରଖିଥିଲା। ଅଟକ ଦୁଇ ଭାଇଙ୍କୁ ପୁଲିସ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବରନିଜ ଭୁଲ ମାନିବା ସହ ମଙ୍ଗୁଳା କନ୍ୟାକୁ ବିବାହ କରିବାକୁ କନ୍ୟା ପିତାମାତାକୁ କାକୁତିମିନତି ହୋଇଥିଲା। ମଙ୍ଗୁଳା ଥିବାରୁ କନ୍ୟା ଘର ଲୋକେ ବି ଏଥିରେ ରାଜି ହୋଇଥିଲେ। ସନ୍ଧ୍ୟାରେ ଥାନା ପରିସରରେ ଉଭୟ ବର ଓ କନ୍ୟାପକ୍ଷ ମଧ୍ୟରେ ଏ ସମ୍ପର୍କିତ ଚୁକ୍ତିନାମା ହେବା ପରେ ମାମଲା ପ୍ରତ୍ୟାହାର କରି ନେଇଥିଲେ କନ୍ୟାପକ୍ଷ। ଏହା ପରେ ଥାନା ପରିସରରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ବର-କନ୍ୟା ପରସ୍ପରକୁ ବରଣ ପିନ୍ଧାଇଛନ୍ତି। ତେବେ ମାମଲା ରୁଜୁ ହୋଇଥିବାରୁ ଉଭୟ ପକ୍ଷର ଚୁକ୍ତି ପତ୍ରକୁ ପୁଲିସ କୋର୍ଟରେ ଦାଖଲ କରିବ। ତେଣୁ ଆସନ୍ତାକାଲି କୋର୍ଟରେ ନୀତିଗତ ଭାବେ ସେମାନଙ୍କ ବିବାହ ହେବ। ତେବେ ମଦ ପାଇଁ ବର ଏଭଳି ହଟହଟା ହେବା ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଗତକାଲି ବନ୍ଧମୁଣ୍ଡା ଚମ୍ପାଗଡ଼ର ପ୍ରକାଶ ପଣ୍ଡାଙ୍କ ପୁଅ ଶଙ୍କର ପଣ୍ଡାଙ୍କ ସହ ସାରନଗରୀ ଲେବରକଲୋନିର ସୁସ୍ମିତା (ଛଦ୍ମନାମ)ଙ୍କ ବିବାହ ଲଗ୍ନ ସ୍ଥିର ହୋଇଥିଲା। ଏଥିପାଇଁ ସାରନଗରୀ ଜଗନ୍ନାଥ ମନ୍ଦିରରେ ସୁସଜ୍ଜିତ ବିବାହ ମଣ୍ଡପ, ଭୋଜିଭାତର ଆୟୋଜନ ହୋଇଥିଲା। ବରକୁ ଅପେକ୍ଷା କରିଥିଲା ମଙ୍ଗୁଳ କନ୍ୟା। ଅପରାହ୍ନ ୩ଟାରେ ବାଣବାଜାରେ ଆସିଥିଲା ବର। ହେଲେ ବେଦୀକୁ ଆସିବା ପରେ ବର ମଦନିଶାରେ ଚୁର୍ ଥିବା ଦେଖି କନ୍ୟାର ଭାଇ ଅସନ୍ତୋଷ ପ୍ରକାଶ କରିଥିଲେ। ବାସ୍ ଏତିକି କଥାରେ ଉଠି ଯାଇଥିଲା ବର। ଯେତେ ବୁଝେଇଲେ ବି ବୁଝିଲା ନାହିଁ। କଥା କଟାକଟି ପରେ ବର ଶଙ୍କର ମଦ ନିଶାରେ ଚୁର୍ ଥିବା ଭାଇ ସୁଦାମ ସହ ମିଶି ଝିଅର ମା’, ଭାଇ ଓ ଭଣଜାକୁ ମାଡ଼ପିଟ କଲେ। ଏ ସଂକ୍ରାନ୍ତରେ ଝିଅର ଭାଇ ଏତଲା ଦେବା ପରେ ଟାଙ୍ଗରପାଲି ପୁଲିସ ବର ଓ ତା’ ଭାଇକୁ ଅଟକ ରଖିଥିଲା।