ଭୁବନେଶ୍ବର: ମୋହନ ସରକାରର ବିଶେଷତ୍ବ ହେଉଛି ମହଙ୍ଗା ମାଡ଼। ଏ ସରକାର ଅମଳରେ କେବଳ ଖାଦ୍ୟ ସାମଗ୍ରୀ ଦର ବଢ଼ିନି। ବାଲି, ଗୋଡ଼ିର ଦର ବି ବଢ଼ିଛି। ଏହା ବଡ଼ ଲୋକଙ୍କୁ ବାଧୁନି। ଗରିବ ଲୋକଙ୍କୁ ବାଧୁଛି। କାରଣ ସେମାନେ ଘରଟିଏ ବି କରିପାରୁନାହାନ୍ତି। ହେଲେ ସରକାର ଚୁପ୍ ବସିଛନ୍ତି। ଏହା ଲୋକଙ୍କ ସରକାର ନୁହେଁ, ବେଦରଦୀ ସରକାରର ଲକ୍ଷଣ। ସାରା ରାଜ୍ୟରେ ବାଲି, ପଥର ଚୋରି ବଢ଼ିବାରେ ଲାଗିଛି। ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି। ହେଲେ ପୁଲିସ କେବଳ ଟ୍ରାକ୍ଟର ଜବତରେ ସୀମିତ। କୌଣସି ସ୍ଥାନରେ ହାଇୱା, ଟିପରତ ଜବତ ହେଉନି କି ଗାଡ଼ି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି। ଏହା ଦର୍ଶାଉଛି ଯେ ରାଜ୍ୟରେ ମାଫିଆ ସକ୍ରିୟ, ପୁଲିସ ନିଷ୍କ୍ରିୟ।
ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ବର ବେହେରା ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ରାଜ୍ୟ ସରକାରଙ୍କ ଉପରେ ଏହିପରି ବର୍ଷିଛନ୍ତି। ଏହାସହ ଶ୍ରୀ ବେହେରା କହିଛନ୍ତି ଯେ ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଏବେ ଖରି ଚୋରିର ଚର୍ଚ୍ଚା। ସରକାର ଏନଫୋର୍ସମେଣ୍ଟ ସ୍କ୍ବାଡ୍ କରିଛନ୍ତି। ହେଲେ ଏହା ଝିଣ୍ଟିକା ମାରି ବଣି ପୋଷିବା ଭଳି। ଧର୍ମଶାଳାରୁ ପଥର ଉଠୁଛି, ଜଳେଶ୍ବରରୁ ବାଲି ଉଠି ପଶ୍ଚିମବଙ୍ଗ ଯାଉଛି, ହେଲେ ପୁଲିସ ଚୁପ୍ ବସିଛି। କିନ୍ତୁ ତିର୍ତ୍ତୋଲରେ ବାଲି ମାଫିଆଙ୍କୁ ପୁଲିସ ଧରିଲା ବୋଲି ମାସକରେ ଦୁଇ ଜଣ ଥାନାଧିକାରୀଙ୍କୁ ବଦଳି କରାଗଲାଣି। ପୁଲିସ ତ ଚୋରଙ୍କୁ ଧରୁନି, ଲୋକ ଯଦି ଧରୁଛନ୍ତି ପୁଲିସ କହୁଛି କାହିଁକି ଧରିଲ। କେଉଁଦିନ ଲଘୁ ଖଣିଜ ଚୋରିର ଯବନିକା ପଡ଼ିବ? ଏହି ଅବସରରେ ଶ୍ରୀ ବେହେରା ‘ସମ୍ବାଦ’ରେ ବାଲି ଓ ପଥର ଚୋରିକୁ ନେଇ ପ୍ରକାଶ ପାଇଥିବା ଖବରଗୁଡ଼ିକୁ ପଢ଼ିକି କହିଥିଲେ ରାଜ୍ୟରେ କିପରି ହରିଲୁଟ୍ ଚାଲିଛି ତାହା ଏଥିରୁ ଜଣାପଡ଼ୁଛି।
ପର୍ଯ୍ୟାପ୍ତ ଇଭି ଚାର୍ଜର ନ ବସାଇଲେ
ଇଭି ନୀତି ସଫଳ ହେବନି
ଖଣି ଦୁର୍ନୀତି ବିଜେଡି ଅମଳରେ ହୋଇଥିଲା, ଆମକୁ କ’ଣ କହୁଛ: ବିଜେପି
ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଓଡ଼ିଶାରେ ସାରା ଦେଶର ୫୦% ଖଣି ଅଛି। ହେଲେ ଆମେ ରୟାଲଟି ବାବଦକୁ ଯେତିକି ପାଇବା କଥା ତାହା ପାଉନୁ। ବକ୍ସାଇଟ୍, କୋଇଲା, କ୍ରୋମାଇଟ୍ ଆଦିର ଟନ୍ ପିଛା ମୂଲ୍ୟ କମ୍ ଥିବାରୁ କମ୍ପାନିମାନେ ଲାଭରେ ରହୁଛନ୍ତି। ସରକାର ଯେତିକି ରାଜସ୍ବ ପାଇବା କଥା ତା’ଠାରୁ ବହୁତ କମ୍ ପାଉଛନ୍ତି। ଖଣି ରୟାଲଟି ବାବଦକୁ ବକେୟା ଅର୍ଥ ଆଦାୟ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଝାଡ଼ଖଣ୍ଡ ସରକାର ଲାଗୁ କରିସାରିଲେଣି। ଓଡ଼ିଶା ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି। କ’ଣ ୧ଲକ୍ଷ କୋଟି ଟଙ୍କା ଛାଡ଼ିଦେବାକୁ ଯୋଜନା କରୁଛନ୍ତି କି? ସୁନିଲ ମହାନ୍ତି କହିଥିଲେ, ଆମ ବସଷ୍ଟାଣ୍ଡ ଏବେ ଅଚଳ ବସଷ୍ଟାଣ୍ଡ ପାଲଟିଯାଇଛି। ଇଭି ପଲିସି ପାଇଁ ୧୬୦େକାଟି ଟଙ୍କା ରଖାଯାଇଛି। କିନ୍ତୁ ଏହା କେବଳ ସବ୍ସିଡି ବାବଦକୁ ଖର୍ଚ୍ଚ ହେବ। ସର୍ବସାଧାରଣ ସ୍ଥାନରେ ଇଭି ଚାର୍ଜର ପର୍ଯ୍ୟାପ୍ତ ପରିମାଣର ନଥିବାରୁ ଲୋକ ଇଭି ଗାଡ଼ି କିଣିବାକୁ ଅାଗ୍ରହ ଦେଖାଉନାହାନ୍ତି। ପୁରୀ ବିମାନବନ୍ଦର ପାଇଁ ଦୀର୍ଘ ଦିନ ହେଲା ପରିବେଶ ଅନୁମତି ମିଳୁନି। ଏନେଇ ସରକାର ବି ତତ୍ପରତା ଦେଖାଉନଥିବାରୁ କାମ ଆଗେଇପାରୁନି। ବିଜେଡି ପକ୍ଷରୁ ତୁଷାରକାନ୍ତି ବେହେରା, ପ୍ରଦୀପ କୁମାର ଦିଶାରୀ ଆଲୋଚନାରେ ଭାଗ ନେଇ ବଜେଟ୍କୁ ବିରୋଧ କରିଥିଲେ।
ଶାସକ ଦଳ ପକ୍ଷରୁ ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଥିଲେ, ବିଜେଡି ସରକାର ସମୟରେ ଶତାବ୍ଦୀର ସବୁଠୁ ବଡ଼ ଦୁର୍ନୀତି ‘ଖଣି ଦୁର୍ନୀତି’ ହୋଇଥିଲା। ଏଥିରେ ମନ୍ତ୍ରୀ, ବିଧାୟକ ସମସ୍ତେ ସାମିଲ ଥିଲେ। ବିଜେଡି ସଭ୍ୟ ଯେଉଁ ଖଣି ଦୁର୍ନୀତି କଥା କହୁଛନ୍ତି ତାହା ତାଙ୍କ ସରକାର ଅମଳରେ ହୋଇଥିଲା। ଆମେ ତ ଖଣି ନିଲାମ ପାଇଁ ଟେଣ୍ଡର କରିଛୁ। ଦୁର୍ନୀତି କେଉଁଠି ହେଲା। ବିଜେଡି ସରକାର ମାଫିଆଙ୍କ ସହ ଥିଲା। ତେଣୁ ୨୦୨୩-୨୪ରେ ୧୦କୋଟି ଟଙ୍କା ଜରିମାନା ଆଦାୟ କରିଥିଲା। ହେଲେ ଆମେ ୪୦କୋଟି ଟଙ୍କା ଜରିମାନା ଆଦାୟ କରିବା ସହ ବହୁ ଗାଡ଼ି ଜବତ କରିଛୁ। ବିଧାୟକ ଅମରେନ୍ଦ୍ର ଦାସ, ମାନସ ଦତ୍ତ ମଧ୍ୟ ପୂର୍ବ ସରକାର ଅମଳରେ କିପରି ଖଣି ଲୁଟ୍ ଚାଲିଥିଲା, ମାଫିଆଙ୍କ ଦୌରାତ୍ମ୍ୟ ଚାଲିଥିଲା ସେନେଇ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବରକୁ ଦେଖାଇ ଜବାବ୍ ଦେଇଥିଲେ। ଏହାସହ କହିଥିଲେ, ବିଜେଡି ସରକାର ମାଫିଆଙ୍କୁ ହାତ କରି ଶସ୍ତାରେ କୋଇଲା ଖଣି ଦେଲେ, ଏବେ କିଛି ନଜାଣିଲା ଭଳି କହୁଛନ୍ତି। ଶାସକ ଦଳ ପକ୍ଷରୁ ନରସିଂହ ମାଡ଼କାମୀ, ରଘୁରାମ ମାଛ, ପଦ୍ମଲୋଚନ ପଣ୍ଡା, ଫକୀର ମୋହନ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ।