ମାଟି ମାଫିଆଙ୍କ ଦାଦାଗିରି

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ଖସାଇନେଲେ ଜେସିବି, ଟ୍ରାକ୍ଟର

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗାରେ ମାଟି ମାଫିଆଙ୍କ ଶିକାର ହୋଇଛନ୍ତି ଜଣେ ଅତିରିକ୍ତ ତହସିଲଦାର। ଆଜି ସଂପୃକ୍ତ ଅଧିକାରୀ ଗାଡ଼ି ଯାଞ୍ଚ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ ଉଦ୍ୟମ କରି ଜେସିବି ଓ ଟ୍ରାକ୍ଟର ନେଇ ପଳାଇ ଯାଇଛନ୍ତି।

କିଛି ଦିନ ହେଲାଣି ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ବେଳେ ଆଜି କଟକ ଜିଲ୍ଲା ମାହାଙ୍ଗାରେ ଏହାର ପୁନରାବୃତ୍ତି ଘଟିଛି। ମାହାଙ୍ଗାର ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ରାଜସ୍ୱ ନିରୀିକ୍ଷକ ଶଙ୍କର୍ଷଣ ପ୍ରଧାନ କୁହୁଣ୍ଡା (କଲ୍ୟାଣପୁର) ଠାରେ ମାଟି ଭର୍ତ୍ତି ଥିବା ୪ଟି ଟ୍ରାକ୍ଟରକୁ ଅଟକାଇ କାଗଜପତ୍ର ଯାଞ୍ଚ କରୁଥିବାବେଳେ ସେଠାରେ ଜଣେ ମାଟି ବ୍ୟବସାୟୀ ପହଞ୍ଚି ଅତିରିକ୍ତ ତାଙ୍କୁ ଗାଳିଗୁଲଜ, ଧମକଚମକ ଦେବା ସହ ଆକ୍ରମଣ ଉଦ୍ୟମ କରିଥିଲେ। ସେହି ସମୟରେ ଘଟଣାସ୍ଥଳରେ ଥିବା ଜେସିବି ଓ ଟ୍ରାକ୍ଟର ଗୁଡିକୁ ଅନ୍ୟ ମାଟି ମାଫିଆ ମାନେ ନେଇ ପଳାଇ ଯାଇଥିଲେ। ଏସଂପର୍କରେ ମାହାଙ୍ଗା ଥାନାରେ ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।

ଗତ କିଛି ମାସ ହେବ ମାହାଙ୍ଗା ତହସିଲ ଅଞ୍ଚଳରେ ଏଭଳି ବ୍ୟାପକ ଭାବେ ବେଆଇନ ମାଟି ଚାଲାଣ ହେଉଛି। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଥିଲା। ଆଜି କୋଳିଅଠା ରାଜସ୍ୱ ନିରୀକ୍ଷକ ସର୍କଲର କୁହୁଣ୍ଡା (କଲ୍ୟାଣପୁର) ଠାରେ ବେଆଇନଭାବେ ଜେସିବି ଦ୍ୱାରା କେତେକ ଟ୍ରାକ୍ଟରରେ ମାଟି ମାଫିଆ ମାନେ ମାଟି ଉଠାଇ ବିଭିନ୍ନ ଠିକା ସଂସ୍ଥାକୁ ଚାଲାଣ କରୁଥିବା ଖବର ମିଳିଥିଲା। ମାହାଙ୍ଗାର ଭାରପ୍ରାପ୍ତ ତହସିଲଦାର ରଶ୍ମିରେଖା ମଲିକଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ରାଜସ୍ୱ ନିରୀକ୍ଷକ ଶଙ୍କର୍ଷଣ ପ୍ରଧାନ ସେଠାରେ ପହଞ୍ଚି ଥିଲେ। ଘଟଣା ସ୍ଥଳରେ ପହଞ୍ଚି ମାଟି ଭର୍ତ୍ତିଥିବା ୪ଟି ଟ୍ରାକ୍ଟର (ଓଡି୦୫ପି୩୬୮୨), (ଓଡି୦୫ଭି୩୯୦୯), (ଓଡି୦୫ଭି୩୯୪୭)ସହ ଏବଂ ନମ୍ବର ବିହୀନ ଟ୍ରାକ୍ଟରରକୁ ଶ୍ରୀ ନାୟକ ଅଟକାଇ କାଗଜପତ୍ର ଯାଞ୍ଚ କରୁଥିଲେ। ଅଭିଯୋଗ ଅନୁଯାୟୀ ସେହି ସମୟରେ ମାଟି ବ୍ୟବସାୟୀ କୁହୁଣ୍ଡା ଗ୍ରାମର ଅରକ୍ଷିତ ଦାସ ସେଠାରେ ପହଞ୍ଚି ଅତିରିକ୍ତ ତହସିଲଦାର ଶ୍ରୀ ନାୟକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଥିବା ଜେସିବି ଓ ଟ୍ରାକ୍ଟର ଗୁଡିକୁ ଅନ୍ୟ ମାଟି ମାଫିଆ ମାନେ ଖସାଇ ନେଇଥିଲେ। ଏ ସଂପର୍କରେ ଅତିରିକ୍ତ ତହସିଲଦାର ମାହାଙ୍ଗା ଥାନାରେ ଅଭିଯୋଗ କରିବା ସହ ଜିଲ୍ଲାପାଳ, ଏସ୍‌ପି, ଓଏଏସ୍‌ ସଂଘକୁ ଜଣାଇଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର