ନିୟମିତ ଧରପଗଡ଼ ନାହିଁ, ନିଦାବିଷ୍ଣୁ ସାଜିଛନ୍ତି ସରକାର
କର୍ମଚାରୀ ଅଭାବ କହି ଦାୟିତ୍ବ ଖସାଉଛି ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ବର : କଟକରୁ ନକଲି ପନିର୍ ମିଳିଲା। ଚା’, ଟମାଟୋ ସସ୍ ଆଦି ସବୁ ନକଲି କାରଖାନା ଠାବ କରାଗଲା। ଅପମିଶ୍ରିତ ତେଲ, ଦୁଗ୍ଝ ପାଉଡ଼ର ବି ମିଳିଛି। ଗତ କିଛି ଦିନ ଧରି କଟକ ସହରରେ ଏଭଳି ଢଙ୍ଗରେ ଅପମିଶ୍ରିତ କାରବାର ଉପରେ ଚଢ଼ଉ ଚାଲିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତ କରୁଥାଇପାରେ। କିନ୍ତୁ ସମଗ୍ର ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇ ଦେଲାଣି। ସାରା ରାଜ୍ୟରେ ବେଧଡ଼କ ଭାବେ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ଚାଲିଥିଲେ ହେଁ ନା ପ୍ରଶାସନ ତନାଘନା କରୁଛି, ନା ଚଢ଼ଉ ହେଉଛି। ବଜାରରେ ଏହି ଅପମିଶ୍ରଣକାରୀମାନେ ଖୋଲାଖୋଲି ଜହର ବିକ୍ରି କରୁଛନ୍ତି, ଲୋକଙ୍କ ଜୀବନ ପ୍ରତି ବିପଦ ଘନାଉଛି। ରାଜ୍ୟ ସରକାର, ପୁଲିସ ପ୍ରଶାସନ ସମସ୍ତେ ହାତ ବାନ୍ଧି ବସିଛନ୍ତି। ସବୁଠାରୁ ସାଂଘାତିକ କଥା ହେଲା, ସରକାରଙ୍କ ଦୋଷ ଦୁର୍ବଳତା ଏହି ଅପମିଶ୍ରଣକାରୀମାନେ ଜାଣିଛନ୍ତି। ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଧରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଖାଦ୍ୟ ନିରାପତ୍ତା କମିସନ ରହିଛି। କିନ୍ତୁ ସହରାଞ୍ଚଳ ଓ ଜିଲ୍ଲାର ଆବଶ୍ୟକତା ଦୃଷ୍ଟିରୁ ଯେତିକ ଖାଦ୍ୟ ନିରାପତ୍ତା ଅଧିକାରୀ ରହିବା କଥା ସେତିକି ନାହାନ୍ତି। ଏ ତଥ୍ୟ ଅପମିଶ୍ରଣକାରୀଙ୍କ ପାଖରେ ଅଛି। ଏଣୁ ସେମାନଙ୍କ ସାହସ ବହୁଗୁଣିତ ହୋଇଯାଇଛି। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି।
ଇତିହାସ ପୃଷ୍ଠାକୁ ଆଡ଼େଇଲେ, ଦେଖାଯାଉଛି ଯେ ୨୦୦୭ରେ ବଲାଙ୍ଗୀରର କଣ୍ଟାବାଞ୍ଜିରେ ବହୁ ଚର୍ଚ୍ଚିତ ନକଲି ଔଷଧ, ୨୦୦୯ରେ ଧରାପଡ଼ିଥିବା ନକଲି ସାମ୍ପୁ, ଫେସ୍ୱାସ୍ ପରି ପ୍ରସାଧନ ସାମଗ୍ରୀ ଧରାପଡ଼ିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୨୦ରେ ଭୁବନେଶ୍ବରର ଚନ୍ଦକା ଶିଳ୍ପାଞ୍ଚଳରୁ ନକଲି ପାଣି ପ୍ରସ୍ତୁତକାରୀ କମ୍ପାନି ଉପରେ ଚଢ଼ଉ ହୋଇଥିଲା। ସେହିପରି ଗତବର୍ଷ କଟକରେ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ନକଲି ପନିର୍ କାରବାର ଧରାପଡ଼ିବା ପରେ ବଜାରରେ କିପରି ବିଷାକ୍ତ ଖାଦ୍ୟ ସାମଗ୍ରୀ ଅତି ସହଜରେ ଉପଲବ୍ଧ ହେଉଛି ତାହା ସମସ୍ତେ ଜାଣିପାରିଥିଲେ।
/sambad/media/post_attachments/wp-content/uploads/2021/01/adulterate-honey.jpeg)
ବିଶେଷଜ୍ଞଙ୍କ ମତରେ ନକଲି ଓ ଭେଜାଲ ଖାଦ୍ୟ ସାମଗ୍ରୀ ଖାଇବା ଦ୍ବାରା ଲୋକଙ୍କ ହଜମ ଶକ୍ତି ହ୍ରାସ ପାଉଛି। ଫୁସ୍ଫୁସ୍ ଓ ଯକୃତ ସମସ୍ୟା ସୃଷ୍ଟି ହେଉଛି। ଏଭଳି ସାମଗ୍ରୀର ବ୍ୟବହାର କର୍କଟ ଭଳି ଗୁରୁତର ରୋଗର କାରଣ ମଧ୍ୟ ପାଲଟିଛି। ସାଧାରଣ ଲୋକଟିଏ ଠକାମିର ଶିକାର ହୋଇ ରୋଗ ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହି କାରବାରେ ଲାଭ ହେଉଛି ୬୦%ରୁ ଅଧିକ।
ଅନ୍ୟପକ୍ଷରେ ଲୋକଙ୍କ ଜୀବନ ସହିତ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ଏହି ବିଭାଗ ପ୍ରତି ସରକାର କେତେ ସଚେତନ ତାହା ମଧ୍ୟ ଏବେ ସାମ୍ନାକୁ ଆସିବା କଥା। ଖାଦ୍ୟ ନିରାପତ୍ତା କମିସନଙ୍କ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ୩୦ ଜଣ, ମହାନଗର ନିଗମ ଅଞ୍ଚଳରେ ୬ ଜଣ ଓ ଭୁବନେଶ୍ବର ମୁଖ୍ୟାଳୟରେ ଜଣେ ଅଧିକାରୀଙ୍କୁ ମିଶାଇ ମୋଟ ୩୭ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ ପଦବି ରହିଛି। ଏବେ ମାତ୍ର ୩୦ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ କାର୍ଯ୍ୟ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି କଟକ ଭଳି ସହରରେ ଯେଉଁଠି ଅପମିଶ୍ରିତ ଖାଦ୍ୟ ମିଳିବା ଘଟଣା ସବୁଠି ବେଶି ବୋଲି କୁହାଯାଇଛି, ସେଠାରେ ମାତ୍ର ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀ ଅଛନ୍ତି। ଅର୍ଥାତ୍ ଏହି ଜଣକଙ୍କ ହାତରେ ସହରର ଲକ୍ଷ ଲକ୍ଷ ଜୀବନ ସୁରକ୍ଷା ଦାୟିତ୍ବ ନ୍ୟସ୍ତ କରାଯାଇଛି। ସେହିଭଳି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବିଏମ୍ସି ପକ୍ଷରୁ ସମସ୍ତ ଓ୍ବାର୍ଡ଼ ପାଇଁ ଜଣେ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନିଯୁକ୍ତି ମିଳିଛି।
ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦାୟିତ୍ବ ହେଲା, ତାଙ୍କ କାର୍ଯ୍ୟ ପରିସୀମା ଭିତରେ ଥିବା ସମସ୍ତ ଖାଦ୍ୟ ପ୍ରସ୍ତୁତକାରୀ (କଞ୍ଚା ଓ ରନ୍ଧା) ସଂସ୍ଥା, କମ୍ପାନି, ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଥିବା ଖାଦ୍ୟର ନିୟମିତ ଯାଞ୍ଚ କରିବେ। ଆବଶ୍ୟକ ପଡ଼ିଲେ ନମୁନା ସଂଗ୍ରହ କରି ଟେଷ୍ଟିଂ କରିବାକୁ ପଠାଇବେ। ଯେଉଁଠି ଫୁଡ୍ ଲାଇସେନ୍ସ୍ ବା ଟ୍ରେଡ୍ ଲାଇସେନ୍ସ୍ ନ ଥିବ, ସେଠାରେ ଚଢ଼ଉ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବେ।
/sambad/media/post_attachments/wp-content/uploads/2021/01/ghee.jpeg)
ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ପି.କେ ମହାପାତ୍ରଙ୍କ କହିବା କଥା, ନିୟମିତ ଯାଞ୍ଚ କରିବା କେବଳ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ପକ୍ଷରେ ସମ୍ଭବ ନୁହେଁ। ଯେତେବେଳେ ବି ଗୁଇନ୍ଦା ସୁତ୍ରରୁ ଖବର ମିଳିଛି, ତତ୍କ୍ଷଣାତ ଖାଦ୍ୟ ନିରାପତ୍ତା ଅଧିକାରୀ ସମ୍ପୃକ୍ତ ନକଲି କାରଖାନା ଉପରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ତେବେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ପଦବି ସଂଖ୍ୟା ସରକାର ୭୩କୁ ବୃଦ୍ଧି କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ନୂତନ ନିଯୁକ୍ତି ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ସଂସ୍ଥାଙ୍କୁ ସରକାର ଦାୟିତ୍ବ ଦେଇଛନ୍ତି। ଆସନ୍ତା ୪ରୁ ୫ ମାସ ଭିତରେ ଏହ ପଦବିଗୁଡ଼ିକ ପୂରଣ ହେବ।
ହେଲେ କର୍ମଚାରୀ ଅଭାବ ଯେ ନିୟମିତ ଯାଞ୍ଚ ପାଇଁ ବାଧକ ସାଜିଛି, ସରକାରଙ୍କ ଏହି ଯୁକ୍ତିକୁ ସହଜରେ ଗ୍ରହଣ କରିପାରାନାହାନ୍ତି ସଚେତନ ନାଗରିକ ମଞ୍ଚ ଓ ବିଶେଷଜ୍ଞ। ସେମାନଙ୍କ କହିବା କଥା, ମୁନଫାଖୋର ବ୍ୟବସାୟୀ ଦୀର୍ଘ ବର୍ଷରୁ ଏହି କାରବାର ଚଳାଇଛନ୍ତି। ଶିଳ୍ପାଞ୍ଚଳରେ ଗୋଟିଏ ସାମଗ୍ରୀ ଉତ୍ପାଦନ ପାଇଁ ଶିଳ୍ପ ବିଭାଗରୁ ଅନୁମତି ନେଇ ଆଉ ଗୋଟିଏ ନକଲି ଉତ୍ପାଦ ପ୍ରସ୍ତୁତ ହେଉଥିବା ନଜିର ଅନେକ ରହିଛି। ଆଉ ଏସବୁ ସରକାରୀ ଅଧିକାରୀଙ୍କ ଜାଣତରେ ଚାଲିଛି। ଏପରି ଯୁକ୍ତି କରି ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇଦେବାକୁ ଚାହୁଁଛନ୍ତି। ସରକାର ଶିଳ୍ପ, ଏମ୍ଏସ୍ଏମ୍ଇ ଓ କ୍ଷୁଦ୍ର ଶିଳ୍ପ ନିଗମ ଶିଳ୍ପ ପାଇଁ ଜମି ଯୋଗାଇ ଦେଇ ଚୁପ୍ ବସିପଡ଼ିଛନ୍ତି। ବିଶେଷକରି ଖାଦ୍ୟ ସାମଗ୍ରୀ ଉତ୍ପାଦନ ପାଇଁ ପ୍ରତିଷ୍ଠା ହୋଇଥିବା କାରଖାନାରେ ଖାଦ୍ୟ ସାମଗ୍ରୀ ଉତ୍ପାଦନ ହେଉଛି କି ନାହିଁ ତାର ଯାଞ୍ଚ ଶିଳ୍ପ ବିଭାଗ ଅଧିକାରୀ କରିବା ଦରକାର। ସେହିପରି ଯଦି ଜିଲ୍ଲାସ୍ତରେ ଅଧିକାରୀ କମ୍ ଅଛନ୍ତି ତାହେଲେ ଜିଲ୍ଲା ପ୍ରଶାସନରେ ଥିବା ସାଧାରଣ କର୍ମଚାରୀଙ୍କୁ ଗୁଇନ୍ଦା କାମରେ ଲଗାଇ ପ୍ରତ୍ୟେକ ଶିଳ୍ପାଞ୍ଚଳ ଓ ଖାଦ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା ସଂସ୍ଥା ଉପରେ କଡ଼ା ନଜର ରଖିହେବ। ସରକାର ଚାହିଁଲେ ଏଥିପାଇଁ ଜିଲ୍ଲା ପ୍ରଶାସନ, ପୁଲିସ, ଯୋଗାଣ ବିଭାଗ, ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନେଇ ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ସ୍ବତନ୍ତ୍ର ଟିମ୍ କରିପାରିବେ। ଯାହାଫଳରେ ଜାଲ ଓ ନକଲି ଉତ୍ପାଦ କାରବାରକୁ ଅତିଶୀଘ୍ର ରୋକାଯାଇପାରିବ।