କ୍ରୋମ ଉପତ୍ୟକାରେ ମାଫିଆରାଜ: କାଳିଆପାଣିରୁ କୋଲକାତାକୁ ଚେର ଲମ୍ବିଛି

ୱାସିଂ ପ୍ଲାଣ୍ଟରୁ ୱେବିଲ୍‌ରେ କ୍ରୋମାଇଟ୍ ଚୋରା ଚାଲାଣ

ଯାଜପୁର : ଏସିଆ ମହାଦେଶର ସର୍ବାଧିକ କ୍ରୋମ ଗଚ୍ଛିତ ଥିବା ସୁକିନ୍ଦା ବ୍ଲକ୍‌ର କାଳିଆପାଣି କ୍ରୋମ ଉପତ୍ୟକାରେ ଖଣି ମାଫିଆଙ୍କ କାରବାର ବୃଦ୍ଧି ପାଇବାରେ ଲାଗିଛି। କୋଟି କୋଟି ଟଙ୍କାର କ୍ରୋମାଇଟ୍ କାଳିଆପାଣିରୁ କୋଲକାତା ଚୋରା ଚାଲାଣ ହେଉଛି। ବିଶେଷକରି କ୍ ରୋମ ୱାସିଂ ପ୍ଲାଣ୍ଟ ଜରିଆରେ ଏହି କାରବାର ଜୋରଦାର ଚାଲିଛି। ଖଣି ଚୋରା କାରବାରକୁ ରୋକିବା ପାଇଁ ସ୍କ୍ବାଡ୍‌ ଠାରୁ ଆରମ୍ଭ କରି ପୁଲିସ, ଖଣି ଓ ଶିଳ୍ପାନୁଷ୍ଠାନଗୁଡ଼ିକର ନିଜ ନିଜର ସ୍ବତନ୍ତ୍ର ଅଧିକାରୀ ଅଛନ୍ତି। ମାତ୍ର ମାଫିଆମାନେ ସଂପୃକ୍ତ ଅଧିକାରୀମାନଙ୍କୁ କରାୟତ କରି ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି। ଗାଡ଼ିରେ ଲାଗିଥିବା ଜିପିଏସ୍‌କୁ ମଧ୍ୟ ମାଫିଆମାନେ ବେଶ୍‌ ଚତୁରତା ସହିତ କରାୟତ କରୁଛନ୍ତି। କଳିଙ୍ଗନଗରର ଏକାଧିକ ଇସ୍ପାତ କାରଖାନା ସହିତ କୋଲକାତାର ଏକ କାରଖାନାକୁ ମାଫିଆମାନେ ଏହି ଚୋରା କ୍ରୋମାଇଟ୍ ନିୟମିତ ପଠାଉଛନ୍ତି। ମାସକୁ ପ୍ରାୟ ୨ହଜାର ଟନ ଚୋରା କ୍ରୋମାଇଟ କାରବାର ଚାଲିଛି।

କାଳିଆପାଣି କ୍ରୋମ ଉପତ୍ୟକରେ ୧୨ଟି କ୍ରୋମାଇଟ୍ ଖଣି ଚାଲିଛି। ମାଫିଆମାନଙ୍କର ଏକ ଅସାଧୁମେଣ୍ଟ ଖଣି ଅଞ୍ଚଳରୁ ଆରମ୍ଭ କରି କ୍ରୋମାଇଟ୍ ପରିବହନ ହେଉଥିବା ରାସ୍ତାରେ ଥିବା ୱାସିଂ ପ୍ଲାଣ୍ଟ ଜରିଆରେ ଚୋରା କାରବାରକୁ ନିୟନ୍ତ୍ରଣ କରୁଛନ୍ତି। କାଳିଆପାଣିରୁ ସୁକିନ୍ଦା ଆସିବା ବାଟରେ ଥିବା ଏକ ୱାସିଂପ୍ଲାଣ୍ଟ ଓ ଭୁବନରେ ଥିବା ୱାସିଂ ପ୍ଲାଣ୍ଟରେ ଏହି କାରବାରର ଡିପୋ ପାଲିଟିଛି। ଏହି ବାଟଦେଇ କୋଲକାତା ଓ କଳିଙ୍ଗନଗରକୁ କ୍ରୋମାଇଟ୍ ଚାଲାଣ ହେଉଥିବାରୁ ମାଫିଆମାନଙ୍କୁ ଚୋରା କାରବାର କରିବାକୁ ସହଜ ହେଉଛି। ସେହିପରି ଗୋପାଳପୁରରୁ ଯାଉଥିବା କ୍ରୋମାଇଟକୁ ନିର୍ଗୁଣ୍ଡି ଓ ଖୋର୍ଦ୍ଧା ନିକଟରେ ଥିବା ୱାସିଂ ପ୍ଲାଣ୍ଟ ଅନ୍ୟତମ ଡିପୋ ହୋଇଛି। କ୍ରୋମାଇଟ୍ ୱାସିଂପ୍ଲାଣ୍ଟ ଜରିଆରେ ସିଧାସଳଖ କ୍ରୋମାଇଟ୍ ଅନଲୋଡ଼ କରି ମାଟି ମିଶାଇ ପ୍ଲାଣ୍ଟକୁ ଚାଲାଣ ‌ହେଉଛି। ଚୋରା କ୍ରୋମାଇଟକୁ ଡୁପ୍ଲିକେଟ ୱେବିଲରେ କୋଲକାତା ଓ କଳିଙ୍ଗନଗର ପ୍ଲାଣ୍ଟକୁ ଚାଲାଣ କରୁଛନ୍ତି।

ସୂଚନାଯୋଗ୍ୟ କ୍ରୋମାଇଟ ପରିବହନ ପାଇଁ ଖଣି ବିଭାଗର ଡିଡିଏମ୍‌ଙ୍କ ଟିପି (ଟ୍ରାନଜିଟ୍ ପାସ୍) ଆବଶ୍ୟକ ହେଉଥିବା ବେଳେ ଚୋରା କ୍ରୋମାଇଟ୍ ଚାଲାଣ କରୁଥିବା ସଂପୃ୍କ୍ତ ୱାସିଂପ୍ଲାଣ୍ଟ ଗୁଡ଼ିକ କ୍ରୋମ୍ ମନୋଥାଲିସ ଓ କ୍ରୋମ ସାଣ୍ଡ ନାମରେ ଫିନିସିଂ ପ୍ରଡକ୍ଟ ଆଳରେ ଡୁପ୍ଲିକେଟ୍ ୱେ ବିଲରେ ବେଶ ସୁବିଧାରେ ପଠାଇ ଦେଉଛନ୍ତି। ଏହି କାରବାରରେ କୋଟି କୋଟି ଟଙ୍କାର କାରବାର ଚାଲିଛି। ଗତ ମାସରେ ଭିସାପ୍ଲାଣ୍ଟର ଏକ କ୍ରୋମାଇଟ୍ ଗାଡ଼ିରୁ ଚୋରା ଚାଲାଣ ଧରାପଡ଼ି ଯଖପୁରା ଥାନା ପୁଲିସ କେବଳ ଡ୍ରାଇଭର ଓ ଜିପିଏସ ଖୋଲିଥିବା ସହଯୋଗୀକୁ ଗିରଫ କରି ହାତବାନ୍ଧି ବସିଛି। କୋଟି କୋଟି ଟଙ୍କାର ଚୋରା କୋମାଇଟ୍ ଗଲା କୁଆଡ଼େ? ଏହାର ମାଷ୍ଟର ମାଇଣ୍ଡ କିଏ? କେଉଁ ପ୍ଲାଣ୍ଟ କିଣିଛି? ତାହାର ତଦନ୍ତ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଏପରିକି ଗିରଫ ଦଲାଲ (ଜିପିଏସ ଖୋଲିଥିବା) ୭ଟି ଗାଡ଼ିରୁ ଜିପିଏସ୍‌ ଖୋଲିଥିବାର ପୁଲିସ ନିକଟରେ ସ୍ବୀକାର କରିଛି। ତେବେ ସେହି ୭ଟି ଗାଡ଼ିର ଚୋରା କ୍ରୋମାଇଟ ଗଲା କୁଆଡ଼େ? ଅନେକ ତଥ୍ୟ ପୁଲିସ ତଦନ୍ତରେ ଚାପି ହୋଇଯାଇଛି। କ୍ରୋମ ଉପତ୍ୟକାରୁ କୋଲକାତା ଲମ୍ବି ଥିବା ‌କାରନାମାକୁ ପୁଲିସ ଉନ୍ମୋଚନ କରିପାରିବ ତ?

ସମ୍ବନ୍ଧିତ ଖବର