କୋରାପୁଟ: ଐତିହ୍ୟ ସଂପନ୍ନ କୋରାପୁଟ ଜିଲ୍ଲାରେ ଜୈନ କୀର୍ତ୍ତିରାଜି ଅସୁରକ୍ଷିତ। ପ୍ରାଚୀନ ଜୈନମୂର୍ତ୍ତି ଚୋରି ମାଫିଆ ସକ୍ରିୟ ହେଲେଣି। ଶହ ଶହ ବର୍ଷ ପୁରୁଣା ପଥର ଖୋଦେଇ ମୂର୍ତ୍ତିକୁ ଆଦିବାସୀ ଇଷ୍ଟଦେବୀ ତଥା ଦେବତା ଭାବେ ପୂଜା କରୁଥିଲା ବେଳେ ମାଫିଆ ତାହାକୁ ବାରମ୍ବାର ଟାର୍ଗେଟ୍ କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲେ ସୁଦ୍ଧା ପୁଲିସ ହାତ ଖାଲି। ତେଣୁ ଐତିହ୍ୟ ସଂପନ୍ନ ପୁରାତନ ମୂର୍ତ୍ତି ଲୋପ ପାଇବାରେ ଲାଗିଛି।
ଚଳିତବର୍ଷ ଅଗଷ୍ଟରେ ନନ୍ଦପୁର ବ୍ଲକ୍ ସୁବାଇ ଜୈନ ମନ୍ଦିରରୁ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ମନ୍ଦିର କମିଟି ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ସତ୍ତ୍ବେ ମାଫିଆଙ୍କ ସୁରାକ ପାଉନି ପୁଲିସ। ସେହିପରି ୨୦୧୪ ମସିହାରେ ସୁବାଇ ଜୈନ ମନ୍ଦିରରୁ ତିନୋଟି ଜୈନ ମୂର୍ତ୍ତି ଚୋରି ହୋଇଥିଲା। ଗତ ଏପ୍ରିଲ ମାସରେ କୋରାପୁଟ ସଦର ଥାନା ଅନ୍ତର୍ଗତ କେଚଲାରେ ଖୋଲା ଆକାଶ ତଳେ ପୂଜା ପାଉଥିବା ୭ଟି ଜୈନମୂର୍ତ୍ତି ମଧ୍ୟରୁ ସବୁଠାରୁ ବଡ଼ ମୂର୍ତ୍ତି ଚୋରି ହୋଇଥିଲା। ମାଫିଆ କେବଳ ପୁରାତନ ଜୈନ ମୂର୍ତ୍ତିକୁ ଟାର୍ଗେଟ୍ କରୁନାହାନ୍ତି, ବିଭିନ୍ନ ସମୟରେ ଦୁର୍ଲଭ ମୂର୍ତ୍ତି ଚୋରି କରିଛନ୍ତି। ଯେମିତି ୨୦୨୨ ମସିହାରେ ନନ୍ଦପୁର ବ୍ଲକ୍ ବୁଢ଼ାଭୈରବ ପୀଠରୁ ବିରଳ ଗଣେଶ, ସରସ୍ବତୀ ଓ ଦୁର୍ଗାଙ୍କ ମୂର୍ତ୍ତି ଚୋରି କରିଥିଲେ।
ସହକାରୀ ପ୍ରଫେସର ପ୍ରୀତିଧାରା ସାମଲଙ୍କ ମତରେ ପ୍ରାୟ ଷଷ୍ଠ ଶତାବ୍ଦୀ ବେଳକୁ ନନ୍ଦପୁରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଉନ୍ନତ ଜୈନ ସଂସ୍କୃତି, ବିଶେଷ କରି ଅବିଭକ୍ତ କୋରାପୁଟରୁ ଛତିଶଗଡ଼ ପର୍ଯ୍ୟନ୍ତ ଅଞ୍ଚଳରେ ଜୈନ ସଂସ୍କୃତି ପ୍ରଚାର ପ୍ରସାର ହୋଇଥିଲା। ସେହି ସମୟରେ ସୁବାଇଠାରେ ଗୋଟିଏ ସ୍ଥାନରେ ୫ଟି ମନ୍ଦିର ନିର୍ମାଣ କରି ୫ଟି ଭିନ୍ନ ଭିନ୍ନ ମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା। ସ୍ଥାନୀୟ ବାସିନ୍ଦା ଓ ଆଖପାଖ ଅଞ୍ଚଳବାସୀ ବିଭିନ୍ନ ହିନ୍ଦୁ ପର୍ବପର୍ବାଣିରେ ଏହି ମନ୍ଦିରଗୁଡିକରେ ପୂଜା କରୁଥିଲେ। ଏହି ଜୈନ କୀର୍ତ୍ତିରାଜି ଦେଖିବା ପାଇଁ ଆନ୍ଧ୍ର, ଛତିଶଗଡ଼ ସହ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସୁଛନ୍ତି। ମନ୍ଦିରର ବିକାଶ ପାଇଁ କମିଟି ବି ଗଠନ ହୋଇଛି। ଜିଲ୍ଲାର ଏକ ମାତ୍ର ଜୈନ ମନ୍ଦିରର ଯେଉଁଭଳି ବିକାଶ ହେବା କଥା ହୋଇପାରୁନି।