ଯାଜପୁର/ଚଢ଼େଇଧରା: ଯାଜପୁର ଜିଲ୍ଲାରେ ହିଂସା, ଆକ୍ରମଣ ଏବେ ସାଧାରଣ କଥା ହୋଇଗଲାଣି। କେତେବେଳେ ଲୋକ ପ୍ରତିନିଧିଙ୍କୁ ଆକ୍ରମଣ ତ କେତେବେଳେ ନିରୀହ ଶ୍ରମିକ, କର୍ମଚାରୀଙ୍କୁ ହତ୍ୟା କରାଯାଉଛି। ବିଧାୟକ, ପୂର୍ବତନ ବିଧାୟକ ବି ଆକ୍ରମଣରୁ ବାଦ ପଡ଼ୁନାହାନ୍ତି। ୫ ଦିନ ତଳେ ଜଣେ କ୍ରସର କର୍ମଚାରୀ (ଯୁବ ଇଞ୍ଜିନିୟର)ଙ୍କୁ କ୍ରସର ମାଲିକ ଓ ତାଙ୍କ ସହଯୋଗୀ ଅତି ଅମାନବୀୟ ଭାବେ ଦେହରେ ଗରମ ତେଲ ଢାଳି ଏବଂ ଲୁହା ରଡ୍ରେ ପିଟି ହତ୍ୟା କରିଥିଲେ। ମୃତକଙ୍କ ପରିବାର ଲୋକ ଶୋକରେ ବୁଡ଼ିଥିବାବେଳେ ଦୁର୍ବୃତ୍ତମାନେ ମୃତ ଯୁବକଙ୍କ ଜଣେ ସମ୍ପର୍କୀୟ ଭାଇଙ୍କୁ ଆଜି ସନ୍ଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ଚଣା ଡାକ୍ତରଖାନା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ଏକପ୍ରକାର ହୁଗୁଳି ଯାଇଛି। ପାଣିକୋଇଲି ଅଳଙ୍କାର ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ହତ୍ୟା କରି ଖସି ପଳାଇଥିବା ଡକାୟତଙ୍କୁ ପୁଲିସ ଏଯାଏଁ ଧରି ପାରିନାହିଁ। ପୁଣି କ୍ରସର କର୍ମଚାରୀଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ପୁଲିସର ନିଷ୍କ୍ରିୟତା ଯୋଗୁ ରକ୍ତମୁଖା ମାଫିଆ ଗୋଟିଏ ପରେ ଗୋଟିଏ ଅପରାଧ ଭିଆଇବାକୁ ସାହସ କରୁଛନ୍ତି। ଧର୍ମଶାଳାରେ ବେଆଇନ କଳାପଥର କାରବାର ମାଫିଆଙ୍କ ମୁହଁ ବଢ଼ାଉଛି।
ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ସୂଚନାଯୋଗ୍ୟ, କ୍ରସର୍ କର୍ମଚାରୀ ଅରଜିତ ଜେନାଙ୍କୁ କଳାପଥର ମାଫିଆ ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ସେହିଦିନ ଅରଜିତଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ସୁଜିତ ଜେନା (୨୯) ଓ ପରିବାର ଲୋକ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସେତେବେଳେ ପରିବାର ଲୋକଙ୍କଠାରୁ ମାଫିଆମାନେ ଏକାଧିକ ସାଧା କାଗଜରେ ଦସ୍ତଖତ କରାଇ ରଖିଥିଲେ। ୧ ତାରିଖରେ ଅରଜିତଙ୍କର ମୃତ୍ୟୁ ହୋଇଥିଲା। ଅରଜିତଙ୍କ ବାପା ଅଜୟ ଜେନା ଏ ସଂପର୍କରେ ଧର୍ମଶାଳା ଥାନାରେ କ୍ରସର ମାଲିକ ଜ୍ଞାନରଞ୍ଜନ ମହାପାତ୍ର ଓରଫ୍ ସିଲୁ ଓ ତାଙ୍କ ସହଯୋଗୀଙ୍କ ନାମରେ ଏତଲା ଦେଇଥିଲେ। ପୁଲିସ ଏଯାଏଁ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନଙ୍କୁ ଗିରଫ କରି ନଥିବାବେଳେ ଆଜି ସମ୍ପର୍କୀୟ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଚଣ୍ଡିଆ ଗ୍ରାମର ସୁଜିତଙ୍କୁ କିଛି ଦୁର୍ବୃତ୍ତ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ପୂର୍ବ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ସୁଜିତଙ୍କୁ ଆକ୍ରମଣ କରିଥାଇପାରନ୍ତି ବୋଲି କୁହାଯାଉଛି।