ରାଉରକେଲା: ସୁନ୍ଦରଗଡ଼ କୋଇଡ଼ାରେ ଖଣିଜ ପଦାର୍ଥ ଲୁଟ୍ ନେଇ ଉଦ୍ବେଗ ପ୍ରକାଶ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। ବିଧାନସଭା ଷ୍ଟାଣ୍ଡିଂ କମିଟି-୭ର ବୈଠକରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି ବିଷୟ ଉତ୍ଥାପନ କରିଥିଲେ। ଖଣି ଓ ବନବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ କିପରି ଖଣି ମାଫିଆମାନେ ଲାଭ ଉଠାଉଛନ୍ତି ଓ ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚୁଛି, ସେ ସଂପର୍କରେ କମିଟିର ଦୃଷ୍ଟି ଆକର୍ଷଣ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦେଇଥିଲେ। ଶ୍ରୀ ତନ୍ତୀ କହିଥିଲେ, ମାଫିଆମାନେ ମାସକୁ କୋଟି କୋଟି ଟଙ୍କାର ଖଣିଜ ଲୁଟ୍ କରୁଛନ୍ତି। ଗତ ଜାନୁଆରି ୩୦ରେ କୋଇଡ଼ାର ମାଲ୍ଦା ସଂରକ୍ଷିତ ଜଙ୍ଗଲରେ ମୂଲ୍ୟବାନ ମାଙ୍ଗାନିଜ୍ ଚୋରାଚାଲାଣ ପାଇଁ ରଖାଯାଇଥିବା ଖଣି ବିଭାଗ ଖବର ପାଇଥିଲା। ଖଣି ବିଭାଗ ଟିମ୍ ଗଚ୍ଛିତ ଥିବା ଉକ୍ତ ଖଣିଜକୁ ଜବତ କରିବାକୁ ଗଲା ବେଳେ ସେମାନଙ୍କୁ ଅଟକାଇଥିଲେ ବନ ବିଭାଗ କର୍ମଚାରୀ। ସଂରକ୍ଷିତ ଜଙ୍ଗଲ ଭିତରୁ ମାଙ୍ଗାନିଜ ଜବତ କରିବାକୁ ଦେଇ ନଥିଲା ବନ ବିଭାଗ। ଏହାର ଫାଇଦା ଉଠାଇଥିଲେ ଖଣି ମାଫିଆ। କେବଳ ଏହି ଗୋଟିଏ ଘଟଣା ନୁହେଁ, କୋଇଡ଼ାରେ ନିୟମିତ ଭାବେ ଏଭଳି ଘଟଣା ଘଟୁଛି। ଖଣି ମାଫିଆମାନେ ଏହାର ଲାଭ ଉଠାଉଥିବାବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।
ସରକାରୀ ତହବିଲକୁ ଟଙ୍କାଟିଏ ଆସୁନି
ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦ୍ବେଗ
ଖଣି-ବନବିଭାଗ ସମନ୍ବୟ ଅଭାବ
କୋଇଡ଼ା ଖଣିକ୍ଷେତ୍ରର ମାଲଦା, ଗଣୁଆ, କେନାଭେଟା, ତଳିତା, ପାନପୋଷି, ଗିଡ଼େଇ, ପଟାବେଡା, କାକରପାଣି ଆଦି ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ବେଆଇନ ମାଙ୍ଗାନିଜ ଉତ୍ତୋଳନ ହୋଇ ରାଜ୍ୟ ଓ ରାଜ୍ୟ ବାହାକୁ ଚାଲାଣ ହେଉଛି। ମାଫିଆମାନେ ମନଇଚ୍ଛା ବେଆଇନ ଖଣି ଉତ୍ତୋଳନ କରି ମାଙ୍ଗାନିଜ୍ ଲୁଟ୍ କରୁଛନ୍ତି। ଟ୍ରକ ଓ ଟିପର୍ରେ ଲୋଡିଂ ପରେ ଗଳାବାଟ ଦେଇ ତାହା କେନ୍ଦୁଝର ଖଣି ଅଞ୍ଚଳରେ ପହଞ୍ଚୁଛି। ସେଠାରୁ ସୀମାନ୍ତ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମାଙ୍ଗାନିଜ ଫେରୋ ପ୍ଲାଣ୍ଟ ଗୁଡ଼ିକୁ ଯାଉଛି। ଅନ୍ତଃରାଜ୍ୟ ଖଣି ମାଫିଆଙ୍କ ଇଙ୍ଗିତରେ ଏହି ବେଆଇନ୍ ନେଟ୍ୱର୍କ ଚାଲିଛି। ଚୋରା ବଜାରରେ ମାଙ୍ଗାନିକ ପଥର ଟନ୍ ପିଛା ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ। ଅତି ମୂଲ୍ୟବାନ ହୋଇଥିବାରୁ ଛୋଟଗାଡ଼ିରେ ମଧ୍ୟ ଲକ୍ଷଲକ୍ଷ ଟଙ୍କାର ମାଙ୍ଗାନିଜ୍ ପଥର ଚୋରି କରି ନିଆଯାଉଛି। ସାହା କମିସନଙ୍କ ଚଢ଼ଉ ପରେ କୋଇଡ଼ାରେ ବିଭିନ୍ନ କାରଣରୁ ପ୍ରାୟ ୪୦ରୁ ଅଧିକ ଖଣି ବନ୍ଦ ରହିଛି।
ବର୍ତ୍ତମାନ ୩୦ଟି ଖଣି ଚାଲୁଛି। ବନ୍ଦ ଥିବା ଖଣି ଓ ଏହାର ଆଖପାଖରୁ ମାଫିଆମାନେ ବେଧଡ଼କ ଖଣିଜ ଲୁଟ୍ କରୁଛନ୍ତି। ପାଟମୁଣ୍ଡା, ଖଜୁରିଡିହି, କଳମଙ୍ଗ, ଦେଓଘର ଆଦି ଅଞ୍ଚଳରୁ ସର୍ବାଧିକ ଲୁହାପଥର ଲୁଟ୍ ହେଉଛି। ମାସକୁ ହାରାହାରି ୩ ହଜାର ଟନ୍ ଲୁହାପଥର ଲୁଟ୍ ହେଉଛି। ଟନ୍ ପିଛା ୭୦ ହଜାର ଟଙ୍କା ହେଲେ ସରକାର ମାସକୁ ପ୍ରାୟ ୨୧ କୋଟିରୁ ଅଧିକ ଟଙ୍କା ରାଜସ୍ବ ହରାଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ନକଲି ଟିପି (ଟ୍ରାନ୍ଜିଟ୍ ପାସ୍)ରେ କୋଇଡ଼ା, କେନ୍ଦୁଝର ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଖଣିଜ ଚାଲାଣ ହେଉଛି। ଏହାର ଟେର୍ ପାଉନାହାନ୍ତି ପୁଲିସ କି ଖଣି ଅଧିକାରୀ। ତେବେ ଷ୍ଟାଣ୍ଡିଂ କମିଟିରେ ଏ ବିଷୟ ଆଲୋଚନା ହେବା ପରେ ଏହାକୁ ରୋକିବା ପାଇଁ ସରକାରୀସ୍ତରରେ କଣ ପଦକ୍ଷେପ ନିଆଯାଉଛି, ତା’ଉପରେ ସମସ୍ତଙ୍କର ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/18/hQrkjkqpHURpCtYfJgJu.jpg)