ବରଗଡ଼: ସୀମାନ୍ତ ବ୍ଲକ୍ ଗୁଡ଼ିକରେ ଛତିଶଗଡ଼ି ଜମି ଦଲାଲ ସକ୍ରିୟ ହୋଇଛନ୍ତି। ବିଶେଷକରି ଝାରବନ୍ଧ ଏବଂ ଅମ୍ବାଭୋନା ବ୍ଲକ୍ରେ ଏହି ଦଲାଲମାନେ କାୟା ବିସ୍ତାର କଲେଣି। ଓଡ଼ିଶା ପଟେ ଥିବା ଜମିକୁ ସେମାନେ ଛତିଶଗଡ଼ର କହି ସେଠାକାର ଲୋକଙ୍କୁ ବିକ୍ରି କରୁଛନ୍ତି। କଥା ଏତିକିରେ ସୀମିତ ନୁହେଁ। ଓଡ଼ିଶା ଲୋକେ ମଧ୍ୟ ଠକାମିର ଶିକାର ହେଉଛନ୍ତି। ଜମି ଲୋଭରେ ଓଡ଼ିଶାର ଲୋକେ ଛତିଶଗଡ଼ ସୀମାରେ ଥିବା ଜମି କରିଛନ୍ତି। କିନ୍ତୁ ଉକ୍ତ ଜମିଗୁଡ଼ିକ ଛତିଶଗଡ଼ ସରକାରର କିମ୍ବା ଗୋଚର ବୋଲି ପରେ ଜଣାପଡ଼ୁଛି।
ଅତି ଶସ୍ତା ଦରରେ ଦଲାଲମାନେ ଏଭଳି ଭୂଆଁ ବୁଲାଇ ଦେଉଛନ୍ତି। କେତେକ କ୍ଷେତ୍ରରେ ମାଫିଆମାନେ ସରକାରୀ ବାବୁମାନଙ୍କ ହାତ କରି ନକଲି ନକ୍ସା ପ୍ରସ୍ତୁତ କରୁଛନ୍ତି। ଯାହା ଅବିକଳ ସରକାରୀ ଏବଂ ବୈଧ ବୋଲି ଦେଖାଯାଉଛି। ଯାହାକୁ ଦେଖି ଗ୍ରାହକମାନେ ବିଶ୍ବାସ ନକରି ରହିପାରୁନାହାନ୍ତି। ଏଣେ ଦର ଶସ୍ତା ରହୁଥିବାରୁ ସେମାନେ ଦଲାଲଙ୍କ ହାବୁଡ଼ରେ ପଡ଼ି ସର୍ବହରା ହେଉଛନ୍ତି। ଅନ୍ୟପକ୍ଷରେ ଏହି ଜାଲ୍ କାରବାର ଜଣାପଡ଼ିଲେ ଅଗ୍ରିମ ଦେଇଥିବା ଲୋକେ ଦଲାଲଙ୍କୁ ଟଙ୍କା ଫେରାଇବା ପାଇଁ କହୁଛନ୍ତି। ଦଲାଲମାନେ ବି ବିନା କୌଣସି ପ୍ରତିବାଦରେ ଚେକ୍ ଦେଉଛନ୍ତି। କିନ୍ତୁ ସେସବୁ ଚେକ୍ ବାଉନ୍ସ ହୋଇଯାଉଛି। ପରେ ଆଉ ସେମାନେ ଧରାଛୁଆଁ ଦେଉନାହାନ୍ତି। ସ୍ଥାନୀୟ ଥାନାରେ ଅଭିଯୋଗ କଲେ ବି କିଛି ଲାଭ ମିଳୁନି। ପୁଲିସ୍ ଫାଇଲ୍ରେ ଏସବୁ ମାମଲା ଦବି ରହି ଯାଉଛି।
ବର୍ଷବର୍ଷ ବିତି ଯାଉଛି, ଅଥଚ ଲୋକଙ୍କୁ ଟଙ୍କା ଫେରି ମିଳୁନି। ‘ସମ୍ବାଦ’ ହାତରେ ଏଭଳି ବାଉନ୍ସ ଚେକ୍ର ବ୍ୟାଙ୍କ ଷ୍ଟେଟ୍ମେଣ୍ଟ ଏବଂ ନକଲି ଜମିର କାଗଜପତ୍ର ଲାଗିଛି। ଯାହାକୁ ଦେଖିଲେ ଏହି କାରବାର ଏତେ ବ୍ୟାପକ ଭାବେ ମାଡ଼ି ଚାଲିଥିବା ଜଣାପଡ଼ୁଛି। ସେହିପରି ଅମ୍ବାଭୋନା ବ୍ଲକ୍ରେ ହୀରାକୁଦ ଜଳଭଣ୍ଡାରର ଠିକ୍ ଉପରମୁଣ୍ଡରେ ଥିବା ଏହି ଅଂଚଳର ଶହଶହ ଏକର ଜମିକୁ ଦଲାଲମାନେ ଭୁଆଁ ବୁଲାଇ ବିକ୍ରି କରୁଛନ୍ତି। ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ଯୋଗୁଁ ଏହି ଜମି ବୁଡ଼ି ଯାଇଥାଏ। ଆଶ୍ଚର୍ଯ୍ୟର କଥା, ଖରା ଦିନେ ଜମିଗୁଡ଼ିକୁ ଛତିଶଗଡ଼ର ଦଲାଲମାନେ ବିକ୍ରି କରି ଦେଉଛନ୍ତି। ଜାଲ୍ କାଗଜପତ୍ର କରି ଏସବୁ କାରବାର ଚାଲୁଛି। କିନ୍ତୁ ବର୍ଷାଦିନେ ହୀରାକୁଦ ନଦୀବନ୍ଧର ପଛୁଆ ପାଣି ଆସିଲେ ଏସବୁ ଜମି ଜଳମଗ୍ନ ହୋଇଯାଉଛି। ଜମି କିଣିଥିବା ଲୋକ ମୁଣ୍ଡ ଆଉଁସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/13-2.jpg)