ବାଲି ଚାଲାଣରେ ମାଫିଆ ରାଜ୍‌: ବନ୍ଧୁକ ଦେଖାଇ ଦସ୍ତଖତ ନେଲେ

ଥାନାର ଦ୍ବାରସ୍ଥ ହେ‌ଲେ ଲିଜ୍‌ଧାରୀଙ୍କ ପ୍ରତିନିଧି, ଗଞ୍ଜାମରେ ବାଲି ପାଇଁ ଗଡ଼ିବ ମୁଣ୍ଡ!

ଚିକିଟି : ଗଞ୍ଜାମ ବାଲି ଏବେ ସୁନା ଦରରେ ବିକ୍ରି ହେଉଛି। ଏଣେ ଲିଜ୍‌ ଓ ବିନା ଲିଜ୍‌ ଏରିଆରୁ ଦିନରାତି ବାଲି ଚାଲାଣ ବେପାରରେ ମାଫିଆରାଜ୍‌ ନିୟନ୍ତ୍ରଣ ବାହାରକୁ ଗଲାଣି। ବାଲି ପାଇଁ ଆଇନ କାନୁନ, ନିୟମ କିଛି କାମ କରୁନି, ବନ୍ଧୁକ କଥା କହୁଛି। ମାଉଜର୍‌ ମୁନରେ ଚାଲିଛି ବାଲି ବ୍ୟବସାୟ। ଟିକିଏ ଟିକିଏ କଥାରେ ମିଳୁଛି ଧମକ। ଏହିଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ବାହୁଦା ବାଲି ଟେଣ୍ଡର୍‌ ଓ ବ୍ୟବସାୟକୁ ନେଇ ଲିଜ୍‌ଧାରୀଙ୍କ ପ୍ରତିନିଧିଙ୍କୁ ମାଡ଼ମାରିବା ସହ ମୁଣ୍ଡରେ ପିସ୍ତଲ ଲଗାଇଛନ୍ତି ମାଫିଆ। ଏଥିସହିତ, ବଳପୂର୍ବକ ସାଦା କାଗଜରେ ଦସ୍ତଖତ ବି ନେଇଛନ୍ତି। ଏପରିକି, ଏହି ସମୟରେ ମୋବାଇଲ୍‌ ଡାଟାକୁ ଉଡ଼ାଇ ଦିଆଯାଇଛି। ଚିକିଟି କେ.ନୂଆଗାଁ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଅଭିଯୋଗ ଅନୁସାରେ, ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ସିଏଚ୍‌. ଟିକରପଡ଼ା ନିକଟ ବାହୁଦା ନଦୀ ବାଲିଘାଟରେ ଲିଜ୍‌ଧାରୀ ପ୍ରିମେକ୍ସ କମ୍ପାନି ସହ ବାଲି ଦେଣନେଣ ନେଇ ଦେବାଶିଷ ପାଢ଼ୀ ନାମକ ଜଣେ ଯୁବକଙ୍କ ଚୁକ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ଚୁକ୍ତିନାମାର ଉଲ୍ଲଂଘନ ହୋଇଥିବାରୁ ହିସାବ କରିବାକୁ ଲିଜ୍‌ଧାରୀ ପ୍ରିମେକ୍ସ ସହ ଚୁକ୍ତି କରିଥିବା ଦେବାଶିଷଙ୍କୁ ଡକା ଯାଇଥିଲା କିନ୍ତୁ ଦେବାଶିଷ ଘଟଣାସ୍ଥଳକୁ ନିଜେ ନଆସି ହିସାବପତ୍ର ଦେଖାଇବା ପାଇଁ ଗତ ୨୪ ତାରିଖରେ ତାଙ୍କ ପ୍ରତିନିଧି ପ୍ରମୋଦ ପଣ୍ଡାଙ୍କୁ ପଠାଇଥିଲେ। ପ୍ରମୋଦ ସେଠାରେ ଦିନ ସାଢ଼େ ୧୦ଟାରେ ପହଞ୍ଚି ହିସାବପତ୍ର ଦେଖାଇଥିଲେ। ହେଲେ ପୂର୍ବରୁ ବାହୁଦା ବାଲିଘାଟରେ ଅପେକ୍ଷା କରିଥିବା ଲିଜ୍‌ଧାରୀ କମ୍ପାନିର ୧୫ରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଚୁକ୍ତିନାମାରେ ଥିବା ସର୍ତ୍ତ ସହ ହିସାବ ତାଳମେଳ ରହୁ ନଥିବାରୁ କ୍ରମଶଃ ଦୁଇପକ୍ଷ ମଧ୍ୟରେ ଉଚ୍ଚବାଚ ଆରମ୍ଭ ହୋଇଥିଲା। ଘଟଣା ଥମିବା ପରିବର୍ତ୍ତେ ଉଗ୍ରରୂପ ନେଇଥିଲା। କମ୍ପାନି ଗୁଣ୍ଡାମାନେ ମାଉଜର ଉଠାଇବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ। ପ୍ରମୋଦଙ୍କ ମୁଣ୍ଡରେ ମାଉଜର୍‌ ରଖି ସାଦା କାଗଜରେ ତାଙ୍କର ଦସ୍ତଖତ ନେଇଥିଲେ ଓ ମାରିଦେବାକୁ ଧମକ ଦେଇ ଛାଡ଼ିଥିଲେ।

ଏହି ମାମଲା ଏବେ ପୁଲିସରେ ପହଞ୍ଚିଛି। ଜରଡ଼ା ଥାନା ଷୋଳଭାଗ ପେଣ୍ଠ ଗ୍ରାମର ପ୍ରମୋଦ କୁମାର ପଣ୍ଡା ଏ ନେଇ କେ.ନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏତଲାରେ ସେ ଦର୍ଶାଇଛନ୍ତି, ପ୍ରିମେକ୍ସ କମ୍ପାନିର ମାଲିକଙ୍କ ଉପସ୍ଥିତିରେ ୧୫ରୁ ଊର୍ଦ୍ଧ୍ବ ଗୁଣ୍ଡା ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ମୁଣ୍ଡକୁ ମାଉଜର୍‌ ଦେଖାଇ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇ ସେଥିରେ ଥିବା ସବୁ ମେସେଜ୍‌, ପ୍ରମାଣ, କଲ୍‌ ରେକର୍ଡ଼ ଉଡ଼ାଇ ଦେଲେ। ଏକ ସାଦା କାଗଜରେ ତାଙ୍କଠାରୁ ଦସ୍ତଖତ କରାଇ ନେଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଓ ସୁରକ୍ଷା ଦେବାକୁ ପୁଲିସ ନିକଟରେ ପ୍ରମୋଦ ଗୁହାରୀ କରିଛନ୍ତି।

ଅନ୍ୟପକ୍ଷରେ, ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଏବେ ଦିବାଲୋକରେ ବାଲିଘାଟରେ ମାଉଜର୍‌ ବୁଲୁଛି। ଆଗକୁ ସ୍ଥିତି କ’ଣ ହେବ କହି ହେଉନି। ଏହାକୁ ନେଇ ଅଂଚଳବାସୀଙ୍କ ମନରେ ଛନକା ପଶିଛି।

ସମ୍ବନ୍ଧିତ ଖବର