ଭୁବନେଶ୍ବର : ପିଚୁ ବୋଝେଇ ଏକ ହାଇୱାରୁ ୧୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ଘଟଣାରେ ଫେରାର୍ ଥିବା ମାଫିଆକୁ ଆଜି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଧରମପୁର ଅଞ୍ଚଳର ରଣା ମୁନା ଡ଼ୋରା। ସୂଚନା ମୁତାବକ, ଗତ ୪ ତାରିଖ ସନ୍ଧ୍ୟାରେ ରଣା ଓ ହାଇୱା ଚାଳକ ରାଜେଶ ସିଂ କନ୍ଧମାଳରୁ ଗଂଜେଇ ନେଇ ବିହାର ଯାଉଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତମାଣ୍ଡୋ ନିକଟ ଜାତୀୟ ରାଜପଥରେ ଏସ୍ଟିଏଫ୍ ସେମାନଙ୍କୁ ଅଟକାଇଥିଲା। ଅଧିକାରୀମାନେ ହାଇୱା ଡାଲାରେ ଲଦା ହୋଇଥିବା ପିଚୁ ଡ୍ରମ୍ ହଟାଇ ଯାଞ୍ଚ କରିବାରୁ ସ୍ବତନ୍ତ୍ର ଭାବେ ନିର୍ମାଣ ହୋଇଥିବା ଗୁପ୍ତ କୋଠରି ଦେଖିବାକୁ ପାଇଥିଲେ। ଡାଲା ବେସ୍କୁ ଗ୍ୟାସ୍ କଟର୍ରେ କାଟି ଚାମ୍ବର ତିଆରି ହୋଇଥିଲା। ପୁଲିସ ତାହାକୁ ଖୋଲିବାରୁ ୧୦୧୦ କେଜି ଓଜନର (କୋଟିଏ ଟଙ୍କାର) ଗଂଜେଇ ମିଳିଥିଲା। ଘଟଣାସ୍ଥଳରୁ କୌଶଳକ୍ରମେ ରଣା ଖସି ଯାଇଥିବା ବେଳେ ରାଜେଶକୁ ଏସ୍ଟିଏଫ୍ ଗିରଫ କରିଥିଲା। ଗତ ରାତିରେ ଏସ୍ଟିଏଫ୍ ଏବଂ ସ୍ଥାନୀୟ ପୁଲିସ ରଣା ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲେ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
ଏସ୍ଟିଏଫ୍ ସୂଚନାନୁଯାୟୀ, ରଣା ଜଣେ କୁଖ୍ୟାତ ନିଶା ମାଫିଆ। ୨୦୨୧ ମସିହାରେ ମଧ୍ୟ ପାଟପୁର ଅଞ୍ଚଳରୁ ଏକ ବଡ଼ଧରଣର ଗଞ୍ଜେଇ ଚାଲାଣରେ ତା’ର ସମ୍ପୃକ୍ତି ଥିଲା। ସେତେବଳେ ୩୦ କ୍ବିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ତା’ ରାକେଟ୍ରେ ଆଉ କେଉଁ କେଉଁମାନେ ସାମିଲ ଅଛନ୍ତି, ସେ ଗଂଜେଇ ବିହାର ସମେତ ଆଉ କେଉଁ କେଉଁ ରାଜ୍ୟକୁ ଚାଲାଣ କରୁଛି ଆଦି ଉପରେ ଅଧିକ ତଥ୍ୟ ହାସଲ ପାଇଁ ଏସ୍ଟିଏଫ୍ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।