ମନ୍ଦିର, ମଠ ଜମି ବିକି ମାଫିଆ କୋଟିପତି, ପ୍ରଶାସନର ନଜର ପଡୁନି

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟିର ରାଜାରାଜୁଡ଼ା ଅମଳର ମଠ ଓ ମନ୍ଦିରର ଭୂ-ସମ୍ପତ୍ତି ଲୁଟି ଚାଲିଛନ୍ତି ଜମି ମାଫିଆ। ଅନେକ ମଠ ଓ ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହେଉଥିବା ବେଳେ ଆଉ କିଛି ପୂଜାରୀ ଓ ମହନ୍ତଙ୍କ ଅକ୍ତିଆରରେ ରହିଛି। କିଛି ମଠ ଓ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିବାକୁ ବସିଲାଣି। ଅନେକ ଜାଗାରେ ଠାକୁରଙ୍କ ନାଁରେ ଥିବା ଶହ ଶହ ଏକର ଜମି ପ୍ଲଟିଂ ହୋଇ ବିକ୍ରି ଚାଲିଛି। ଏଭଳି ସ୍ଥିତିରେ ସରକାର ଓ ପ୍ରଶାସନ ନିରବ ବସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି। ଆଉ ସବୁ ଭୂ-ସମ୍ପତ୍ତି ହଡ଼ପ ହେବା ପରେ ମଠ ମନ୍ଦିରଗୁଡ଼ିକର ନୀତିକାନ୍ତି ଦିନେ ଉଜୁଡ଼ିଯିବ ବ‌ୋଲି ମତପ୍ରକାଶ ପାଇଛି।
ବର୍ତ୍ତମାନ କିଛି ମଠ ଓ ମନ୍ଦିରର ଜମି ଗୁଡ଼ିକ ଭାଗ ଚାଷୀଙ୍କ ଅଧୀନରେ ଅଛି। ପ୍ରାୟ ଜମି ଗୁଡ଼ିକରେ ଚାଷ ହେଉନି କି, ମନ୍ଦିରକୁ ଚୌଥ ଭାଗ ବି ଦିଆଯାଉନି। ଯ’ଦ୍ବାରା ନୀତିକାନ୍ତିରେ ସମସ୍ୟା ଉପୁଜିଛି। ଏହାର ସୁଯୋଗ ନେଇ ଗତ କିଛି ବର୍ଷ ହେଲା ମନ୍ଦିରର ଭୂ-ସମ୍ପତ୍ତି ଉପରେ ଜମି ମାଫିଆମାନେ ନଜର ପକାଇଛନ୍ତି। ଆଇନର ଗଳାବାଟ ଦେଇ ମାଫିଆମାନେ ଶତାଧିକ ଏକର ଦେବୋତ୍ତର ଭୂ-ସମ୍ପତ୍ତିକୁ ପ୍ଲଟିଂ କରି ବିକ୍ରି କରି କୋଟିପତି ହୋଇ ସାରିଲେଣି।

ଚିକିଟିଗଡ଼ ଭଗବତ ଦାସ ମଠ (ରଘୁନାଥ)ମଠର ଚିକିଟି ବଜାରକୁ ଲାଗି ପ୍ରାୟ ୮ ଏକର ଜମି ରହିଛି। ଏହା ଉପରେ କାଳଞ୍ଜି ବନ୍ଧ ରହିଛି। ରାଜସ୍ବ ବିଭାଗର ରେକର୍ଡ଼ ଅନୁସାରେ, ଏହା ଏକ ଦୋଫସଲି ଜମି। କିନ୍ତୁ ୨୦ ବର୍ଷ ହେଲା ଏହି ଜମିରେ ଆଉ ଚାଷ କରାଯାଉନି। ପ୍ଲଟିଂ ପାଇଁ ସୁଚିନ୍ତିତ ଯୋଜନା କରି ଏଠାରେ ଚାଷ କରାଯାଇନି। ଏହାକୁ ପଡ଼ିଆ ରଖି ପଦର ଭୂମି କରାଯାଇ ସାରିଲାଣି।

ସେହିପରି ଚିକିଟିଗଡ଼ ରାଧାମୋହନ ମହାପ୍ରଭୁଙ୍କ ପ୍ରାୟ ୧୦୦ ଏକର ଜମି ପଡ଼ିଆ ପଡ଼ିଛି। ତନ୍ମଧ୍ୟରୁ ପ୍ରାୟ ଦଶ ଏକର ଜମି ଧାନଘର ଛକ (ଗଡ଼ଛକ) ନିକଟରେ ଅଛି। କିନ୍ତୁ ଚାଷ ହେଉନି। ଏହା ମଧ୍ୟରେ ମାଫିଆ ଏହି ଜମିରେ ପ୍ଲଟିଂ କରି ବିଫଳ ହେଉଛନ୍ତି। ଏହି ଭୂ-ସମ୍ପତ୍ତିକୁ ଜଣେ ବ୍ୟବସାୟୀ ଜବରଦଖଲ କରି ରଖିଛନ୍ତି। କାହା ଅନୁମତିରେ ସେ ଏହି ଜମି ଉପରେ ନିଜର ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିଲେ ଏହାର ତଦନ୍ତ ହେବା ଦରକାର ବୋଲି ସାଧାରଣରେ ଦାବି ହେଉଛି।
ପୂର୍ବରୁ ଚିକିଟିପେଣ୍ଠର ରଘୁନାଥ, ଜଗନ୍ନାଥ ମହାପ୍ରଭୁ, ଲୋକନାଥପୁର ନୃସିଂହନାଥ, ଚିକିଟିଗଡ଼ର ଲକ୍ଷ୍ମୀନାରାୟଣ ମଠ, ଝଗଡ଼ାନାଥେଶ୍ୱର ମହାଦେବ, ଚିକିଟିଗଡ଼ର ଜରଡ଼ା ମଠ ଓ ଅକ୍ରୁରନାଥଙ୍କ ଜମି ଉପରେ ମାଫିଆଙ୍କ ନଜର ରହିଥିଲା। ବର୍ତ୍ତମାନ ଉକ୍ତ ଭୂ-ସମ୍ପତ୍ତି ଉପରେ ବେଆଇନ ଭାବେ ପ୍ଲଟିଂ ଚାଲିଛି। ହେଲେ ଦେବୋତ୍ତର ବିଭାଗ ନିକଟରେ ଏ ସଂକ୍ରାନ୍ତରେ କିଛି ତଥ୍ୟ ଅଛି କି ନାହିଁ, ନା ବିଭାଗୀୟ ଅଧିକାରୀମାନେ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବ୍ରହ୍ମପୁର ଦେବୋତ୍ତର ବିଭାଗ ନିରୀକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସଂକ୍ରାନ୍ତ‌ରେ ଆମ ନିକଟରେ କୌଣସି ଖବର ନାହିଁ। ଗଣମାଧ୍ୟମରୁ ସୂଚନା ହସ୍ତଗତ ହୋଇଛି। ସତ୍ୟାସତ୍ୟ ଅନୁସନ୍ଧାନ ସହ ପଦ‌କ୍ଷେପ ଗ୍ରହଣ କରାଯିବ। ତେବେ ଦେବୋତ୍ତର ବିଭାଗ ଏବେଠୁ କୌଣସି ତତ୍ପରତା ନଦେଖାଇଲେ ଗୌରବମୟ ଚିକିଟିର ସବୁ ମନ୍ଦିର ଓ ମଠର ଭୂ-ସଂପତ୍ତି ମାଫିଆଙ୍କ ଗର୍ଭକୁ ଚାଲିଯିବ ବୋଲି ମତପ୍ରକାଶ ପାଇଛି। ଅପରପକ୍ଷରେ ଦୀର୍ଘ ବର୍ଷ ଧରି ପଡ଼ିଆ ପଡ଼ିଥିବା ଜମିକୁ ଚାଷ ଉପଯୋଗୀ କରିବାକୁ ନୂତନ ଚାଷୀଙ୍କୁ ରୟତି ହକ୍ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି। ଯ’ଦ୍ବାରା ମଠ ଓ ମନ୍ଦିରର ଭୂ-ସମ୍ପତ୍ତିର ସୁରକ୍ଷା ସହ ରାଜସ୍ବ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର