କଟକ: ଟାଙ୍ଗୀ-ଚୌଦ୍ବାର ବ୍ଲକ୍ କହ୍ନେଇପୁର ପଞ୍ଚାୟତରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିକୁ ମାଫିଆମାନେ ଦଖଲ କରି କିସମ ପରିବର୍ତ୍ତନ କରିବା ସହିତ ରେକର୍ଡ ବଦଳାଇ ଅନ୍ୟ ତିନିଜଣଙ୍କୁ ବିକ୍ରି କରିଦେବା ଭଳି ଘଟଣା ସାମନାକୁ ଆସିଛି। ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଜମିର କିଛି ଅଂଶର ପଟ୍ଟା ଖାରଜ କରାଯାଇଛି। ଏବେ ଅବଶିଷ୍ଟ ଜମି ଶ୍ରୀଜଗନ୍ନାଥଙ୍କ ନାମକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।
୧୯୭୩ ମସିହା ଜୁଲାଇ ୯ ତାରିଖରେ ପ୍ରକାଶିତ ବନ୍ଦୋବସ୍ତ ଖାତା ନମ୍ବର ୩ର ଦୁଇଟି ପ୍ଲଟ୍ରେ ୮ଜଣଙ୍କ ନାମରେ ୧୬ ଅଣା (୪ ଏକର) ଜମି ରେକର୍ଡଭୁକ୍ତ ହୋଇଥିଲା। ସେଠାରେ ସ୍ଥାନୀୟ ଅଞ୍ଚଳର ସିଦ୍ଧପୀଠ କନକଗିରି ମଠ ଅବସ୍ଥିତ। ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ଜମି ଉପରେ ମଠ ଥିବାବେଳେ ବିଭିନ୍ନ ପର୍ବପର୍ବାଣିରେ ମହାଆଡ଼ମ୍ବରରେ ପୂଜାପାଠ ହୋଇଥାଏ। ଏଥିସହିତ ମଠ ଉପରକୁ କନକଗିରି ପାହାଡ଼ ଉପରେ ମା’ ନିରାକାରଙ୍କ ସାଧନା ପୀଠ, ଦୁର୍ଗାମନ୍ଦିର, ରାମମନ୍ଦିର, ମାଳିକା ବର୍ଣ୍ଣିତ ଗୁମ୍ଫା ତଥା ଅତିବଡ଼ୀ ଜଗନ୍ନାଥ ଦାଶଙ୍କ ଶିଷ୍ୟ ସିଦ୍ଧ ହରି ଦାସଙ୍କ ତପସ୍ୟା ପୀଠ ଓ ମା’ ନିରାକାରଙ୍କ ମୁଖ୍ୟ ଶିଷ୍ୟ ସନ୍ଥ ଧ୍ରୁବଚରଣ ବାବାଙ୍କ ସମାଧି ପୀଠ ରହିଛି। କିନ୍ତୁ ଜମି ମାଲିକଙ୍କ ମଧ୍ୟରୁ କେତେକଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ସେମାନଙ୍କର ପରିବାର ଲୋକେ ଉକ୍ତ ଜମିଗୁଡ଼ିକୁ ପୁଣି ଥରେ ବିକ୍ରି କରିଦେଇଛନ୍ତି। ଜଗତପୁର ସବ୍ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟରୁ ମିଳିଥିବା କବଲା ଅନୁସାରେ ଏହି ଜମି ୪ଜଣଙ୍କ ନାମରେ ରେକର୍ଡଭୁକ୍ତ ହୋଇଛି। ତେବେ ହାଲ ଖାତା ନମ୍ବର ଦାଖଲ ଖାରଜ କେସ୍ର ତଦନ୍ତ କରାଯିବା ବେଳେ ପବ୍ଲିକ୍ ନୋଟିସ୍ ଦିଆଯାଇ ନଥିଲା। ଏଥିସହ ସର୍ଜମିନ ତଦନ୍ତ କରା ନଯାଇ ତଦନ୍ତକାରୀ ଅଧିକାରୀ ସ୍ବତନ୍ତ୍ର ଖାତା ପ୍ରସ୍ତୁତ କରିବା ସହିତ ତହସିଲଦାରଙ୍କ ଦୃଷ୍ଟିକୁ ନ ଆଣି ଦାଖଲ ଖାରଜ ପଟ୍ଟା ପ୍ରଦାନ କରିଥିବା ଜଣାପଡ଼ିଛି।
ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଓ ସିଦ୍ଧପୀଠ କନକଗିରି ବିକାଶ ଓ ସୁରକ୍ଷାମଞ୍ଚର ସଭ୍ୟମାନେ ଖୋଳତାଡ଼ କରିବା ପରେ ଏହି ଜମି ଆରମ୍ଭରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜଣାପଡ଼ିଥିଲା। ୧୯୩୧ ମାର୍ଚ୍ଚ ୨୧ ତାରିଖରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାର୍ଫତ ଅଧିକାରୀ ଚିନ୍ତାମଣି ଦାସଙ୍କ ନାମରେ ୪ଏକର ୬୩ ଡେସିମିଲ୍ ଜମି ରେକର୍ଡଭୁକ୍ତ ହୋଇଥିବା ସାମନାକୁ ଆସିଥିଲା। ୮୧ ଡେସିମିଲ୍ ଜମି ବିକ୍ରି ହୋଇ ନଥିଲା ବେଳେ ଅନ୍ୟ ଜମିଗୁଡ଼ିକୁ ବିକ୍ରି ହୋଇଯାଇଛି। ତେଣୁ ଏହା ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବା ପରେ ତିନୋଟି ପଟ୍ଟାରୁ ଗୋଟିଏ ଜମିରେ ପାଖାପାଖି ୨ଏକର ଜମି ଜଗନ୍ନାଥଙ୍କ ନାମକୁ ଫେରିସାରିଛି। ଅବଶିଷ୍ଟ ଜମି ଫେରାଇବା ପାଇଁ ସୁରକ୍ଷା ମଞ୍ଚର କର୍ମକର୍ତ୍ତାଙ୍କ ସହ ଟାଙ୍ଗୀ-ଚୌଦ୍ବାର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଆଜି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ଜିଲ୍ଲାପାଳ ମଧ୍ୟ ଏହି ଜମି ଜଗନ୍ନାଥଙ୍କ ନାମକୁ ଫେରାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/08/amrit-manohi-land-cannot-be-transferred-to-the-name-of-a-traitor-2025-09-08-22-53-39.jpg)