ରାଜନଗର: ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜି ୬ଟି ଟ୍ରଲର୍‌ ମିଳିତ ଭାବେ ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ କରିଛନ୍ତି। ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର୍‌କୁ ଧରିବା ପାଇଁ ଉଦ୍ୟମ କରୁଥିବା ବନ ବିଭାଗ ଟ୍ରଲର୍‌କୁ ମଝି ସମୁଦ୍ରରେ ଘେରିଯିବା ସହିତ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଛଡ଼ାଇ ନେଇଛନ୍ତି। ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଗୋଟିଏ ଟ୍ରଲର୍‌ ଓ ଜଣେ ମତ୍ସ୍ୟଜୀବୀଙ୍କୁ ଧରି କୂଳକୁ ଫେରିଛି। ମାଫିଆଙ୍କ ଆତଙ୍କରାଜ ଯୋଗୁଁ ପାଟ୍ରୋଲିଂ ଟିମ୍‌ ଭୟଭୀତ ହୋଇପଡ଼ିଥିଲା ବେଳେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପ୍ରତି ବଡ଼ଧରଣର ବିପଦ ସୃଷ୍ଟି ହୋଇଛି।

Advertisment

ଆଜି ସକାଳେ ଗହୀରମଥା ରେଞ୍ଜ ବାବୁବାଲି ଫରେଷ୍ଟର ସୁରେଶ କୁମାର ପୃଷ୍ଟିଙ୍କ ନେତୃତ୍ବରେ ବନ ବିଭାଗ ଟିମ୍‌ ସମୁଦ୍ରରେ ଅଲଭିୟା ଟ୍ରଲର୍‌ ଯୋଗେ ପାଟ୍ରୋଲିଂ କରୁଥିଲେ। ଦିନ ପ୍ରାୟ ୧୨ଟା ବେଳେ ପାଟ୍ରୋଲିଂ ଟିମ୍‌ କୂଳରୁ ପ୍ରାୟ ୭ କିମି ଦୂରରେ ଚଣ୍ଡୀ ତାରିଣୀ-୩ ନାମକ ଟ୍ରଲର୍‌ (ରେଜିଷ୍ଟ୍ରେସନ୍‌ ନଂ-ଆଇଏନ୍‌ଡି-ଓଆର୦୧ଏମ୍‌ଏମ୍‌୩୧୭) ବେଆଇନ ଭାବେ ମାଛ ଧରୁଥିବା ଦେଖିଥିଲେ। ପାଟ୍ରୋଲିଂ ଟିମ୍‌ ଉକ୍ତ ଟ୍ରଲର୍‌କୁ ଗୋଡ଼ାଇ ଜବତ କରିବା ସହିତ ଡ୍ରାଇଭର୍‌ ଓ ୮ଜଣ ମତ୍ସ୍ୟଜୀବୀଙ୍କୁ ଧରିଥିଲେ। ଏହି ସମୟରେ ଚଣ୍ଡୀ ତାରିଣୀ-୩ ଟ୍ରଲର୍‌ ଅନ୍ୟ ଟ୍ରଲର୍‌ଗୁଡ଼ିକୁ ଡକାଇ ସାରିଥିଲା। ବନ ବିଭାଗ ପାଟ୍ରୋଲିଂ ଟିମ୍‌କୁ ୬ଟି ଟ୍ରଲର୍‌ ଘେରିଯାଇଥିଲା। ପାଟ୍ରୋଲିଂ ଟିମ୍‌ ଜୀବନ ବଞ୍ଚାଇବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ମାଫିଆମାନେ ପାଲଟା ଗୁଳି ଚଳାଇ ବନ ବିଭାଗ ଧରିଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ଛଡ଼ାଇ ନେଇ ଯାଇଥିଲେ। ବନ ବିଭାଗ କର୍ମଚାରୀମାନେ ଜବତ ଟ୍ରଲର୍‌ ଓ ଏହାର ଡ୍ରାଇଭର ଭଦ୍ରକ ଜିଲ୍ଲାର ମାଧବ କୁମାର ମଲିକଙ୍କୁ ଧରି କୂଳକୁ ଫେରିଥିଲେ। ଜବତ ହୋଇଥିବା ଟ୍ରଲର୍‌ ବାଲେଶ୍ବର ବଳରାମଗଡ଼ି ଅଞ୍ଚଳର ଏବଂ ଏହାର ମାଲିକଙ୍କ ନାମ ଅବିନାଶ କୁମାର ନାୟକ ବୋଲି ଜଣାପଡ଼ିଛି। 

ସୂଚନାଯୋଗ୍ୟ ଯେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ କଟକଣା ରହିଥାଏ। ବିଶେଷ କରି, ଅଲିଭ୍‌ ରିଡ୍‌ଲେଙ୍କ ପ୍ରଜନନ ଋତୁ ପାଇଁ ନଭେମ୍ବର୧ ରୁ ମେ’ ୩୧ ତାରିଖ ୭ମାସ ପର୍ଯ୍ୟନ୍ତ ଦେବୀ ମୁହାଣରୁ ଧାମରା ମୁହାଣ ଯାଏଁ ୨୦ କିମି ଅଞ୍ଚଳରେ ମାଛଧରା ଓ ଟ୍ରଲର୍‌ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହାସତ୍ତ୍ବେ ମାଫିଆମାନେ ବେଆଇନ ଭାବେ ପଶି ମାଛ ମାରୁଛନ୍ତି।  ମାଛ ମାରୁଥିବା ଟ୍ରଲର୍‌କୁ ଧରିବା ପାଇଁ ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଉଦ୍ୟମ କଲେ ମାଫିଆମାନେ ଆକ୍ରମଣ କରୁଛନ୍ତି। ଗତବର୍ଷ ମଧ୍ୟ ବନ ବିଭାଗ ପାଟ୍ରୋଲିଂ ଟିମ୍‌ର ଟ୍ରଲର୍‌କୁ ଅନ୍ୟ ଟ୍ରଲର୍‌ ସମୁଦ୍ରରେ ବୁଡ଼ାଇ ଦେବାକୁ ଉଦ୍ୟମ କରିଥିଲେ। ବାରମ୍ବାର ଏଭଳି ଘଟଣା ସତ୍ତ୍ବେ ଠୋସ୍‌ ପଦକ୍ଷେପ ନିଆଯାଉ ନ ଥିବାରୁ ମାଫିଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।

ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ଯେ ଅଲଭିଆ ଟ୍ରଲର୍‌ ଯୋଗେ ପାଟ୍ରୋଲିଂ କରୁଥିବା ବନ ବିଭାଗ ଟିମ୍‌ ଆଜି ୬ଟି ଟ୍ରଲର୍‌ ମାଛ ମାରୁଥିବା ଦେଖିଥିଲେ। ସେଥିମଧ୍ୟରୁ ଗୋଟିଏ ଟ୍ରଲର୍‌କୁ ପାଟ୍ରୋଲିଂ ଟିମ୍ ଜବତ କରିଥିଲେ। ଏତିକି ବେଳେ ଅନ୍ୟ ଟ୍ରଲର୍‌ର ପ୍ରାୟ ୬୦/୭୦ ଲୋକ ବନ ବିଭାଗ ଟିମ୍‌କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସେମାନେ ଜବତ ଟ୍ରଲର୍‌ରେ ଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଛଡ଼ାଇ ନେଇଛନ୍ତି।