ଉଦଳା-୧/କୁଳିଅଣା: ମୟୂରଭଞ୍ଜରେ ଲଘୁ ଖଣିଜ ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିପାରୁନି ପ୍ରଶାସନ। ଆଉ ସାଧାରଣ ଲୋକେ ଏହାର ବିରୋଧ କଲେ ସେମାନଙ୍କୁ ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ଜିଲ୍ଲାର ଉଦଳା ଓ କୁଳିଅଣା ବ୍ଲକ୍ରୁ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି। ଚୋରା ବାଲି ଚାଲାଣକୁ ବିରୋଧ କରିବାରୁ ବାଲି ମାଫିଆ ଜଣେ ଯୁବକଙ୍କୁ ଉଦଳା ବଜାରରେ ପ୍ରାଣାନ୍ତକ ଆକ୍ରମଣ କରିଥିବା ବେଳେ କୁଳିଅଣାରେ ପଥର ମାଫିଆ ଜଣେ ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି।
ବାଲିଗାଡ଼ି ଅଟକାଇବାରୁ ପ୍ରାଣାନ୍ତକ ଆକ୍ରମଣ
ପଥର ଚାଲାଣକୁ ବିରୋଧ କରିବାରୁ ଗାଡ଼ି ଚଢ଼ାଇଦେଲେ
ଅଭିଯୋଗ ଅନୁସାରେ, ସୋମବାର ଭୋର୍ ୪.୩୦ ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର (ଓଡି-୦୧ଏଏମ-୮୨୪୪) ଉଦଳା-କପ୍ତିପଦା ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ଭୀମତାଳି ପଞ୍ଚାୟତ ବାଉଁଶପାଳ ଗ୍ରାମର କିଛି ଲୋକ ଅଟକାଇଥିଲେ। ଏହାପରେ ଉଦଳା ଏନ୍ଏସିର କିଛି ଯୁବକ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବାରୁ ଗ୍ରାମବାସୀ ଟ୍ରାକ୍ଟରକୁ ଛାଡ଼ି ଦେଇଥିଲେ। ତେବେ ଆଜି ଦିନ ସାଢ଼େ ୧୧ଟା ସମୟରେ ଉଦଳା ଏନ୍ଏସିର ଦେବାଶିଷ ଘୋଷ ଓ ଶୁଭମ ମୁଖି ବାଉଁଶପାଳ ଗ୍ରାମର ବିକର୍ତ୍ତନ ପୋଇ (୨୭)ଙ୍କୁ ଫୋନ୍ କରି ଉଦଳା ଡାକିଥିଲେ। ଉଦଳା ବଜାରରେ ସେମାନେ ଗାଳିଗୁଲଜ କରିବା ସହ ବାଉଁଶରେ ମୁଣ୍ଡକୁ ପିଟିଥିଲେ। ଏହାପରେ ଦାଉଦ୍ ନାମକ ଅନ୍ୟ ଜଣେ ଯୁବକ ପହଞ୍ଚିବା ପରେ ସମସ୍ତେ ମିଶି ନିସ୍ତୁକ ମାଡ଼ ମାରିଥିଲେ ବୋଲି ବିକର୍ତ୍ତନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଦେବାଶିଷଙ୍କୁ ଗିରଫ କରିଥିବା ବେଳେ ଶୁଭମ୍ ଓ ଦାଉଦ୍ ଫେରାର ଥିବା ଉଦଳା ଥାନା ଅଧିକାରୀ ବନମାଳୀ ବାରିକ କହିଛନ୍ତି। ଉଦଳା ତହସିଲ ଅଞ୍ଚଳରେ କୌଣସି ବାଲିଘାଟକୁ ମଞ୍ଜୁରି ମିଳିନଥିବା ବେଳେ ମାଫିଆମାନେ ବେଧଡ଼କ ବାଲି ଲୁଟୁଛନ୍ତି। ଏହାକୁ ବିରୋଧ କଲେ ଆକ୍ରମଣ କରାଯିବା ଘଟଣାକୁ ବ୍ଲକ୍ ଉପାଧ୍ୟକ୍ଷ ରଜନୀ ଦାସ ଦୃଢ଼ ନିନ୍ଦା କରିଛନ୍ତି।
ସେହିପରି, ରବିବାର ରାତିରେ କୁଳିଅଣା ଥାନା ଟମକିଆଶୋଳ ମନ୍ଦିର ନିକଟରେ ବେଆଇନ ପଥର ଚାଲାଣକୁ ବିରୋଧ କରିବାରୁ ଜଣେ ଯୁବକଙ୍କୁ ମାଫିଆମାନେ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପଥର ମାଫିଆଙ୍କ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ଏବେ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ମଣ୍ଟୁ ନାଏକ। ପଥର ଚୋରାଚାଲାଣକୁ ବିରୋଧ କରିବାରୁ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ ହୋଇଥିଲା। ତେବେ ସେ କୌଣସମତେ ନିଜ ଜୀବନ ବଞ୍ଚାଇ ଚାଲି ଆସିଥିଲେ ବୋଲି ମଣ୍ଟୁ କହିଛନ୍ତି। ଚିକିତ୍ସିତ ହୋଇ ଫେରିଲେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ତେବେ ମଣ୍ଟୁ ନାଏକ ଓ ଅନ୍ୟ ୬ଜଣ ଯୁବକ ତାଙ୍କ ଗାଡ଼ି ଅଟକାଇ ଦାଦା ବଟି ମାଗିଥିବା ପାଲଟା ଅଭିଯୋଗ କରିଛନ୍ତି ବାରିପଦା ରଘୁନାଥପୁର ଅଞ୍ଚଳର ପ୍ରଭାତ ରଞ୍ଜନ ବେହେରା। ଏନେଇ କୁଳିଅଣା ଥାନାରେ ୬୬/୨୫ରେ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/08/6LfyKC4aWzquBn3szkxO.jpg)