ବାରିପଦା/କପ୍ତିପଦା/ଶାଳଚୁଆ: ମୟୂରଭଞ୍ଜଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ବାଲି ମାଫିଆଙ୍କ ଆତଙ୍କରାଜ। ବେଆଇନ୍ ଭାବେ ଗଚ୍ଛିତ ରଖିଥିବା ବାଲିକୁ ଜବତ ଲାଗି ଯାଇଥିବା ଥାନା ଅଧିକାରୀଙ୍କୁ ମାଡ଼ ମାରିଛନ୍ତି। ପଥର ମାଡ଼ କରି ପୁଲିସ ଭ୍ୟାନ୍କୁ ବି ଭାଙ୍ଗିଛନ୍ତି। କପ୍ତିପଦା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ରଥ କହିଛନ୍ତି ଏହି ଅଞ୍ଚଳରେ ଚୋରା ବାଲି ଓ ପଥର ଚାଲାଣ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେ ଓ ଅତିରିକ୍ତ ତହସିଲଦାର ଉମାକାନ୍ତ ମାଝୀ ମଙ୍ଗଳବାର ରାତି ପ୍ରାୟ ୧୧ଟାରୁ ୩ଟା ଯାଏ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ସେହି ରାତିରେ ଡାହିସାହି ନିକଟସ୍ଥ ଖପରାପାଳ ଘାଟରେ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ବିପୁଳ ପରିମାଣର ବାଲି ଜବତ କରିଥିଲେ। ଘେରା ନାମକ ଜଣେ ବ୍ୟକ୍ତି ଓ ଅନ୍ୟ କିଛି ମାଫିଆ ଏହି ବାଲି ରଖିଥିବା ଜାଣିବାକୁ ପାଇ ବାଲି ନ ଉଠାଇବା ପାଇଁ ତାଗିଦ କରିଥିଲେ। ତେବେ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଉକ୍ତ ଜବତ ବାଲିକୁ ମାଫିଆମାନେ ରାତାରାତି ଉଠାଇ ନେଇଥିଲେ। ଫଳରେ ସେମାନେ ଅଭିଯୁକ୍ତ ଘେରାକୁ ଖୋଜିଥିଲେ। ଏହି ସମୟରେ ଘେରାର ପତ୍ନୀ ସମେତ ୫ରୁ ଅଧିକ ମହିଳା ହଠାତ୍ ଆଇଆଇସିଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ତାଙ୍କୁ ପଥର ମାଡ଼ କରିବା ସହିତ ତାଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଆକ୍ରମଣରେ ଆଇଆଇସିଙ୍କ ବେକ ଓ ପିଠିରେ ଆଘାତ ଲାଗିଥିଲା।
ପୁଲିସ ଗାଡ଼ି ଭାଙ୍ଗିଲେ
ଡାହିସାହି ଗ୍ରାମରେ ପୁଲିସ ଛାଉଣି
ସୋନ ନଦୀରୁ ଲୁଟୁଥିଲେ ଶହଶହ ଟ୍ରିପ୍ ବାଲି
ସେ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣାକୁ ପ୍ରଶାସନ ଗୁରୁତ୍ବର ସହ ନେଇଥିଲା। ମାଫିଆଙ୍କୁ ଧରିବା ପାଇଁ ଖଣି ଅଧିକାରୀ, କପ୍ତିପଦା ତହସିଲଦାର, ପରିବହନ ଅଧିକାରୀଙ୍କ ସହ ୧ ପ୍ଲାଟୁନ୍ ପୁଲିସ ଫୋର୍ସ ତୁରନ୍ତ ଡାହିସାହି ଗ୍ରାମରେ ପହଞ୍ଚିଥିଲେ। ପୂରା ଗାଁକୁ ପୁଲିସ ଘେରିଯିବା ସହ ମାଫିଆମାନେ ଗଚ୍ଛିତ ରଖିଥିବା ପ୍ରାୟ ୨୦ ଟ୍ରାକ୍ଟର ବାଲିକୁ କପ୍ତିପଦା ଥାନା ପରିସରକୁ ନେଇ ଆସିଥିଲା ପ୍ରଶାସନ। ତେବେ ପ୍ରଶାସନର ଚଢ଼ଉ ପୂର୍ବରୁ ସମସ୍ତ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି। ମାଫିଆମାନେ ନିକଟସ୍ଥ ସୋନ ନଦୀରୁ ବେଆଇନ ଭାବେ ଦୈନିକ ୩୦ରୁ ୪୦ ଟ୍ରିପ୍ ବାଲି ଉଠାଇ ଚୋରାରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। ଏହି ବାଲି ଲୁଟ୍ ପଛରେ ବଡ଼ ରୢାକେଟ୍ କାମ କରୁଛି। କିଛି ମୁଷ୍ଟିମେୟ ଲୋକ ପରଦା ପଛରେ ରହି ଏହି କାରବାର ଚଳାଉଛନ୍ତି ଏବଂ ପୁଲିସକୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ଇଙ୍ଗିତରେ ହିଁ ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ଥାନା ଅଧିକାରୀ ଶ୍ରୀ ରଥ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/19/OqxL381i4hlk8tETSAC4.jpg)