ମକାର ବଜାର ବ୍ୟବସ୍ଥା ନାହିଁ, ନୂଆପଡ଼ାର ଚାଷୀ ଅଭାବୀ ବିକ୍ରିର ଶିକାର

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ମକାଚାଷୀ ବର୍ତ୍ତମାନ ସମସ୍ୟା ଭୋଗୁଛନ୍ତି। ଜିଲ୍ଲାରେ ମକା ବଜାର ବ୍ୟବସ୍ଥା ହୋଇ ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅନ୍ୟପଟେ କମ୍ ଦାମରେ ମକା କିଣି ଜିଲ୍ଲା ବାହାର ଏବଂ ଛତିଶଗଡ଼ର ବ୍ୟବସାୟୀ ଲାଭବାନ୍‌ ହେଉଥିବା ଅଭିଯୋଗ ହୋଇଛି।

ଚଳିତ ବର୍ଷ ଭଲ ବର୍ଷା ଓ ପାଗ ଅନୁକୂଳ ଥିବାରୁ ମକା ଚାଷ ଭଲ ହୋଇଥିଲା। ବର୍ତ୍ତମାନ ଜିଲ୍ଲାରେ ପ୍ରଚୁର ପରିମାଣରେ ମକା ଅମଳ ହୋଇ ରହିଛି। ଜିଲ୍ଲାରେ ମକା ଅଧିକ ଅମଳ ହେଉଥିଲେ ମଧ୍ୟ ବିକ୍ରି ହୋଇପାରୁନାହିଁ। ବଜାର ବ୍ୟବସ୍ଥା ନଥିବାରୁ ଚାଷୀ କେଜିପ୍ରତି ୭ଟଙ୍କାରୁ ୮ଟଙ୍କା ଦରରେ ବ୍ୟବସାୟୀଙ୍କୁ ବିକ୍ରି କରୁଛି। ସରକାରୀ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଜିଲ୍ଲାରେ ୮ ହଜାର ହେକ୍ଟର ମକା ଚାଷ ହୋଇଥିଲା। ନୂଆପଡ଼ା ବ୍ଲକ୍‌ରେ ୧୦୦୦ ହେକ୍ଟର ହାଇବ୍ରିଡ୍‌ ଓ ୧୫୦ ହେକ୍ଟର ଦେଶୀ ମକା, କୋମନା ବ୍ଲକ୍‌ରେ ୨୫୦୦ ହେକ୍ଟର ହାଇବ୍ରିଡ୍‌ ଓ ୧୦୦ ହେକ୍ଟର ଦେଶୀ ମକା, ବୋଡ଼େନ ବ୍ଲକ୍‌ରେ ୬୦୦ ହେକ୍ଟର ହାଇବ୍ରିଡ୍‌ ଓ ୩୫୦ ହେକ୍ଟର ଦେଶୀ ମକା, ଖଡ଼ିଆଳ ବ୍ଲକ୍‌ରେ ୭୦୦ ହେକ୍ଟର ହାଇବ୍ରିଡ୍‌ ଏବଂ ୧୫୦ ହେକ୍ଟର ଦେଶୀ ମକା, ସିନାପାଲି ବ୍ଲକ୍‌ରେ ୨୨୦୦ ହେକ୍ଟର ହାଇବ୍ରିଡ୍‌ ଓ ୨୫୦ ହେକ୍ଟର ଦେଶୀ ମକା ଚାଷ କରାଯାଇଥିଲା।

ଜିଲ୍ଲାର ନୂଆପଡ଼ା ବ୍ଲକ୍‌ରେ ୧୧୫୦ ହେକ୍ଟର, କୋମନା ବ୍ଲକ୍‌ରେ ୨୬୦୦ ହେକ୍ଟର, ବୋଡ଼େନ ବ୍ଲକ୍‌ରେ ୯୫୦ ହେକ୍ଟର, ଖଡ଼ିଆଳ ବ୍ଲକ୍‌ରେ ୮୫୦ ହେକ୍ଟର ଏବଂ ସିନାପାଲି ବ୍ଲକ୍‌ରେ ୨୪୫୦ ହେକ୍ଟର ମକା ଚାଷ କରାଯାଇଛି। ହେକ୍ଟରକୁ ୩୫ କ୍ବିଣ୍ଟାଲ ମକା ଉତ୍ପାଦନ ହେଉଥିବା ବେଳେ ଚଳିତ ବର୍ଷ ୨ଲକ୍ଷ ୮୦ ହଜାର କ୍ବିଣ୍ଟାଲ ମକା ଉତ୍ପାଦନ ହୋଇଛି। ଜିଲ୍ଲାରେ କିଛି ବର୍ଷ ହେବ ମକା ଚାଷ ପରିମାଣ ବଢ଼ିଛି। ଏହାସହ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ଜିଲ୍ଲାର ଚାଷୀ ସରକାରୀ ଧାର୍ଯ୍ୟ ମୂଲ୍ୟ କିଭଳି ପାଇବେ ସେଥିପାଇଁ ନବରଙ୍ଗପୁରର କିଛି ଟ୍ରେଡର୍ସଙ୍କ ସହ ଆଲୋଚନା କରାଯାଉଛି ବୋଲି ନୂଆପଡ଼ା ଜିଲ୍ଲାପାଳ ସ୍ବାଧାଦେବ ସିଂହ ଜଣାଇଛନ୍ତି।

ସମ୍ବନ୍ଧିତ ଖବର