ପରଂପରା: ମା’ମାଉଲିଙ୍କ ମାଘ ଯାତ୍ରାରେ ରକ୍ତରଂଜିତ ହେଲା ପୀଠ

ମାଲକାନଗିରି: ମାଲକାନଗିରି ନିକଟସ୍ଥ ଚାଲାଣଗୁଡା ଠାରେ ରହିଥିବା ମା’ ମାଉଲିଙ୍କ ମନ୍ଦିରରେ ଆଜି ମାଘ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ବିଭିନ୍ନ ସ୍ଥାନରୁ ଲାଠି ଆସିବା ପରେ ଆଜି ପାରଂପାରିକ ରୀତିରେ ପୂଜାର୍ଚ୍ଚନା କରାଯାଇ ଯାତ୍ରା ଆରମ୍ଭ ହୋଇଥିଲା। ହଜାର ହଜାର ଭକ୍ତ ମାଲକାନଗିରି ଜିଲ୍ଲା ସମେତ ଛତିଶଗଡର ସୀମାନ୍ତ ଗ୍ରାମଗୁଡିକରୁ ଏହି ଯାତ୍ରା ଦେଖିବା ପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଦଶହରା ଏବଂ ମାଘ ମାସରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାଲକାନଗିରି ଜିଲ୍ଲାର ବଡ ଯାତ୍ରା ଭଳି ଏଠାରେ ମଧ୍ୟ କାପତଦାସ, ଧାରାବାଡିଆ,ଭୀମସେନ ରାଜା, ଲିଙ୍ଗରାଜ ଏବଂ କନକଦୁର୍ଗାଙ୍କୁ ନିକଟସ୍ଥ ବଡ ବେଦନା ପାହାଡରୁ ଅଣାଯାଇ ଏଠାରେ ସ୍ଥାପିତ କରାଯାଇଥାଏ। ଭକ୍ତମାନେ ନିଜର ମାନସିକ ପୂରଣ ହୋଇଥିଲେ ଏଠାରେ ମା’ଙ୍କ ନିକଟରେ ବଳି ମଧ୍ୟ ଦେଇଥାନ୍ତି। ଆଜି ମା’ ମାଉଲିଙ୍କ ମନ୍ଦିର ରକ୍ତରଂଜିତ ହୋଇଯାଇଥିଲା। ଛେଳି, ପାରା, ବତକ, କୁକୁଡା ଆଜି ବଳି ଦିଆଯାଉଥିବା ଦେଖିବାକୁ ମିଳିଥିଲା।

ପାରଂପାରିକ ବାଦ୍ୟର ତାଳେ ତାଳେ ଭକ୍ତମାନେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁମାନେ ବଡଦେବତା ହୋଇଥାନ୍ତି ସେମାନେ କଣ୍ଟା ଦୋଳିରେ ଝୁଲନ୍ତି।ମା’ ମାଉଲିଙ୍କ ପୂଜାର୍ଚ୍ଚନା ପାଇଁ ପ୍ରଦୀପ ଦୁରୁଆ, ବୁଦ୍ରା ଦୁରୁଆ ଏବଂ ସୋମା ଦୁରୁଆ ମୁଖ୍ୟ ପୂଜାରୀ ଭାବେ ରହିଛନ୍ତି। ଯାତ୍ରାକୁ ଆଖି ଆଗରେ ରଖି ମୀନାବଜାର ସହ ବଡ ବଡ ଦୋକାନ ବଜାର ମଧ୍ୟ ପଡିଛି। ସଂଧ୍ୟାରେ ଆହୁରି ଅଧିକା ଲୋକଙ୍କ ସମାଗମ ହେବାର ଆଶଂକା ରହିଛି। ସେହିପରି ଭକ୍ତମାନଙ୍କ ପାଇଁ ଦିନରାତି ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ଥାନୀୟ ଲୋକେ ଏହାକୁ ପରିଚାଳନା କରୁଥିବା ବେଳେ ଭକ୍ତମାନେ ନିଜର ମାନସିକ କରି ଆସନ୍ତା ପୂଜାରେ ମାଙ୍କ ନିକଟରେ ବଳି ଦେବା ପାଇଁ ଅଳଗି କରିଛନ୍ତି। ଆସନ୍ତାକାଲି ବାସିପୂଜା ଅନୁଷ୍ଠିତ ହେବ।ତେବେ ରାତି ତମାମ ଦେଶିଆ ନାଟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ତେବେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର