କୋଣାର୍କ : ଆସନ୍ତା ୨୩ ତାରିଖ ସନ୍ଧ୍ୟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ ପୁରାଣ ବର୍ଣ୍ଣିତ ବିଶ୍ୱ ପ୍ରସିଦ୍ଧ ମାଘସପ୍ତମୀ ମେଳା ।ଏହି ମେଳା ଓ ବୁଡ଼ ଲାଗି ୨୩ ତାରିଖ ଅପରାହ୍ନରୁ ଭିଡ଼ ଲାଗିବ ।ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲକ୍ଷାଧିକ ଜନସମାଗକୁ ଦୃଷ୍ଟିରେ ରଖି ଓ ତୀର୍ଥପୁଷ୍କରଣୀରେ ବୁଡ଼ ପକାଇବାକୁ ସୁଯୋଗ ଦେବାଲାଗି ଏବଂ ଅଘଟଣକୁ ଏଡ଼ାଇବାଲାଗି ତୀର୍ଥପୁଷ୍କରଣୀକୁ ବ୍ୟାରିକେଡ଼ରେ ଆବଦ୍ଧ କରାଯାଇଛି । ୨୩ ତାରିଖ ଅପରାହ୍ନରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ କୋଣାର୍କ,ନବଗ୍ରହ ଓଚନ୍ଦ୍ରଭାଗାରେ ଭିଡ଼ ରହିବ । ଏଦୃଷ୍ଟିରୁ ପ୍ରଶାସନ ଓପୁଲିସ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋର ଧରିଛି ।
ତୀର୍ଥପୁଷ୍କରଣୀରେ ୬ଟି ପ୍ରବେଶ ପଥ ଓ ୪ଟି ପ୍ରସ୍ଥାନ ପଥ ରଖାଯାଇଛି । ଉଭୟ ପଟରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ତୀର୍ଥ ପୁଷ୍କରଣୀର ଜଳ ବିଶୋଧନ ଲାଗି ୨ କ୍ୟୁଣ୍ଟାଲରୁ ଅଧିକ ଚୁନ ସହିତ ପ୍ରାୟ ୧୦ ବସ୍ତା ବ୍ଳିଚିଂ ପକାଯାଇଥିବାର ଜଣାପଡ଼ିଛି । ସେହିଭଳି ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷାଲାଗି ଚଳିତବର୍ଷ ୩୦ ପ୍ଳାଟୁନ ପୁଳିସ ସହିତ ଅତିରିକ୍ତ ଏସପି ,ଡ଼ିଏସପି , ଇନ୍ସପେକ୍ଟର,ଏସଆଇ ,ଏଏସଆଇ ପାହ୍ୟାର ୧୫୦ ଅଫିସର ,୨୦୦ରୁ ଅଧିକ ହାବିଲଦାର, କନେଷ୍ଟବଳ,ଟ୍ରାଫିକ ହାବିଲଦାରଙ୍କୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।
ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଓ ମେଳାପଡ଼ିଆରେ ରାତ୍ରିଯାପନ ଏବଂ ରୋଷେଇ ସୁବିଧାଲାଗି ମେଳା ପଡ଼ିଆରେ ୩୦ଟି ସ୍ଥାନରେ ଅସ୍ଥାୟୀ ପାଇପ ଲାଇନ ପିଇବା ପାଣି ଯୋଗାଣ ଓ ୨୫ଟି ଅସ୍ଥାୟୀ ନଳକୁପ ସ୍ଥାପନ କାର୍ଯ୍ୟ ଜାରି ରହିଛି । କୋଣାର୍କ ହେଲିପ୍ୟାଡ଼, ବସଷ୍ଟାଣ୍ଡ,ମ୍ୟୁଜିୟମପାର୍କିଂ,ମେଡ଼ିକାଲ ପଛପାଖ ପଡ଼ିଆ ଓ କଲେଜ ପଡ଼ିଆଭଳି ସ୍ଥାନ ମାନଙ୍କରେ ଯାନବାହାନ ପାର୍କିଂ ବ୍ୟବସ୍ଥା କରାଯାଇଛି ।