ଭୀମ ଭୋଇ ସମାଧି ପୀଠକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ମନା, କେବଳ ନୀତିକାନ୍ତିରେ ହେବ ମାଘ ମେଳା

ସୋନପୁର: ଚଳିତ ବର୍ଷ ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିରେ କେବଳ ନୀତିକାନ୍ତିରେ ମାଘ ମେଳା ଅନୁଷ୍ଠିତ ହେବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଭୀମ ଭୋଇ ସମାଧି ପୀଠ ଖଲିଆପାଲିରେ ଟ୍ରଷ୍ଟି, ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

କରୋନାର ନୂତନ ଷ୍ଟ୍ରେନ ଦେଶର ବିଭିନ୍ନ ରାଜ୍ୟକୁ ପ୍ରବେଶ କରି ସାରିଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ମାଘମେଳାର ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ କେବଳ ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯିବ। ଏପରିକି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ଭାବରେ ବାରଣ ପାଇଁ ଆଲୋଚନା ହୋଇଥିଲା।

ଚଳିତ ବର୍ଷ ସମାରୋହକୁ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାଇ ନୀତିକାନ୍ତି ମଧ୍ୟରେ ପାଳନ କରାଯିବ। ବୈଠକରେ ସୋନପୁର ବିଡିଓ ଆକାଶ ରଞ୍ଜନ ସାହୁ, ତହସିଲଦାର ନବୀନ କିଶୋର ପାଢ଼ୀ, ଏସ୍‌ଡିପିଓ ମିହିର ପଣ୍ଡା, ମ୍ୟାନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ଓ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର