ନିର୍ଘଣ୍ଟ ହେଲା ମାଘ ମେଳା ନୀତି

କୋଣାର୍କ : ଚଳିତମାସ ୧୮ତାରିଖ ଅପରାହ୍ନରୁ ୧୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ କୋଣାର୍କ ଚନ୍ଦ୍ରଭାଗାରେ ବିଶ୍ବପ୍ରସିଦ୍ଧ ମାଘସପ୍ତମୀ ମେଳା ଓ ବୁଡ଼ ଅନୁଷ୍ଠିତ ହେବ। ଏନେଇ ଶନିବାର ଦିନ କୋଣାର୍କ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ୨ୟ ପ୍ରସ୍ତୁତି ବୈଠକ ତଥା ସବ୍‌କମିଟି ବୈଠକ ଅନୁଷ୍ଠିତ ହୋଇଛି। କୋଣାର୍କ ମାଘମେଳାର ତିନି ଆରାଧ୍ୟ ଠାକୁର ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ବର, ସନ୍ଥପୁରର ବାବା ଐଶାନେଶ୍ବର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବଙ୍କ ନୀତିନିର୍ଘଣ୍ଟ ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା ।

ତିନି ଠାକୁର ଚନ୍ଦ୍ରଭାଗାରେ ରାତ୍ରି ୩.୩୦ ମିନିଟରେ ପହଞ୍ଚିବେ । ସେଠାରେ ଠାକୁରମାନଙ୍କ ‌ମହୋଦଧି ସ୍ନାନ ଓ ତୀର୍ଥ ସ୍ନାନ କରାଯିବ । ଭୋର ୩.୧୫ ରୁ ୪ ଟା ମଧ୍ୟରେ ତିନି ଠାକୁରଙ୍କ ସ୍ନାନ ଓ ପୂଜାନୀତି ସମାପନ ହେବ । ଠାକୁରଙ୍କ ନୀତି ସମ୍ପନ୍ନ ପରେ ଠାକୁରଙ୍କ ସହିତ ଶୋଭାଯାତ୍ରାରେ ଯାଇ ତୀର୍ଥସ୍ନାନ ପାଇଁ ଅନୁମତି ପାଇଥିବା ସେବାୟତଙ୍କୁ ଭୋର ୪.୩୫ ମିନିଟରେ ତୀର୍ଥ ସ୍ନାନର ସୁଯୋଗ ଦିଆଯିବ। ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ମାଘସପ୍ତମୀ ବୁଡ଼ ଲାଗି ସର୍ବାଧିକ ପାଞ୍ଚଶହ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି ।ଏହି ପାଞ୍ଚଶହ ଲୋକଙ୍କ ମଧ୍ୟରେ ସେବାୟତ, ପୁଲିସ, ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଓ ତିନି ଠାକୁରଙ୍କ କର୍ତ୍ତା ଠାକୁରଙ୍କ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯିବାଲାଗି ଅନୁମତି ରହିଛି । ସୂଚନା ଯୋଗ୍ୟ, ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ମାଘସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରଣୀ ସଂଲଗ୍ନ ଅଞ୍ଚଳରେ ୧୮ ଓ ୧୯ ତାରିଖ ଦୁଇଦିନ ବ୍ୟାପୀ ୧୪୪ ଧାରା ଜାରି ହେବ। ଏଥିସହିତ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକେ ଓ ଅଞ୍ଚଳ ବାହାର ଲୋକଙ୍କର ଚନ୍ଦ୍ରଭାଗା ପ୍ରବେଶ ଉପରେ କଟକଣା ଜାରି କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର