ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘସପ୍ତମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପରେ ସୂର୍ଯ୍ୟମନ୍ଦିର ସନ୍ନିକଟ ନବଗ୍ରହ ପୀଠରେ ହୋମଯଜ୍ଞ କରି ପରିବାରର ମଙ୍ଗଳ କାମନା କରିଛନ୍ତି। ପ୍ରଶାସନ ପକ୍ଷରୁ ଶୁକ୍ରବାର ଭୋର ୪ଟାରୁ ତୀର୍ଥ ପୁଷ୍କରିଣୀରେ ସ୍ନାନ ଲାଗି ବନ୍ଦୋବସ୍ତ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ଆରମ୍ଭ କରିଥିଲେ। କିନ୍ତୁ କୁହୁଡ଼ି ଯୋଗୁ ଠିକ୍‌ ସମୟରେ ସୂର୍ଯ୍ୟଦର୍ଶନ କରିବା ସମ୍ଭବପର ହୋଇପାରିନଥିଲା। ତେବେ ସକାଳ ୬.୩୦ରେ ସୂର୍ଯ୍ୟରଶ୍ମି ବିଚ୍ଛୁରିତ ହେବାପରେ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ମେଳାପଡ଼ିଆ ଓ ସମୁଦ୍ରକୂଳ ପ୍ରକମ୍ପିତ ହୋଇଉଠିଥିଲା।

ମାଘମେଳାର ତିନି ଆରାଧ୍ୟ ଠାକୁର ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁର ଗ୍ରାମର ବାବା ଐଶାନେଶ୍ୱର ମହାଦେବ ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମାକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ମଙ୍ଗଳବାର ରାତ୍ରି ୯ଟାରୁ ୧୦ଟା ମଧ୍ୟରେ ବିମାନ ବିଜେ କରାଯାଇଥିଲା। ତୀର୍ଥ ପୁଷ୍କରିଣୀ ଜଳରେ ଠାକୁରମାନଙ୍କୁ ମାଘସ୍ନାନ ପରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା। ପୂଜାନୀତି ସମାପ୍ତ ପରେ ତୀର୍ଥ ପୁଷ୍କରିଣୀରେ ସ୍ନାନଲାଗି ଶ୍ରଦ୍ଧାଳୁମାନଙ୍କୁ ସୁଯୋଗ ଦିଆଯାଇଥିଲା ।

ମାଘସପ୍ତମୀ ଅବସରରେ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ ଥିବାରୁ ସୂର୍ଯ୍ୟମନ୍ଦିର ପରିଦର୍ଶନ ଲାଗି ଶ୍ରଦ୍ଧାଳୁମାନଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହ ଓଡ଼ିଶା ବନ୍ଦ ଯୋଗୁଁ ଅଧିକାଂଶ ଶ୍ରଦ୍ଧାଳୁ ଗାଡ଼ିମଟର ନ ପାଇ ଫେରି ପାରିନଥିଲେ ଓ ବାଧ୍ୟରେ କୋଣାର୍କରେ ଅଟକି ରହିଥିଲେ।

ସମ୍ବନ୍ଧିତ ଖବର