କୋଣାର୍କ : ପବିତ୍ର ମାଘସପ୍ତମୀ ଅବସରରେ ଆଜି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶନିବାର ଭୋର ୪ଟାରେ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା। ତୀର୍ଥ ସ୍ନାନ ପରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟୋଦୟ ଦେଖିବା ସହ ପୂଜାର୍ଚ୍ଚନା କରିଥିଲେ। ସକାଳ ପ୍ରାୟ ୬.୪୭ରେ ସୂର୍ଯ୍ୟୋଦୟ ହେବା ପରେ ଚନ୍ଦ୍ରଭାଗା ବେଳାଭୂମିରେ ଉପସ୍ଥିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନିରେ ମେଳାପଡ଼ିଆ ଓ ସମୁଦ୍ର କୂଳ ପ୍ରକମ୍ପିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ ପ୍ରସ୍ତୁତି ଅନୁଯାୟୀ, ମାଘମେଳାର ତିନି ଆରାଧ୍ୟ ଠାକୁର ମାଧିପୁରର ବାବା ତ୍ରିବେଣୀଶ୍ବର, ସନ୍ଥପୁରର ବାବା ଐଶାନେଶ୍ବର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ଶୁକ୍ରବାର ରାତ୍ରି ୯ଟାରୁ ବିମାନ ବିଜେ ପାଇଁ ଚୂଡ଼ାନ୍ତ ହୋଇଥିଲା। ମାତ୍ର ପ୍ରଶାସନର ତ୍ରୁଟି ବିଚ୍ୟୁତିକୁ ନେଇ ବିମାନ ବାହକଙ୍କ ଅସନ୍ତୋଷ ପାଇଁ ବଡ଼ଠାକୁର ବୁଢ଼ାଦିଅଁଙ୍କ ଚଳନ୍ତି ପ୍ରତିମା ବିମାନ ବିଜେ ହେବାରେ ବିଳମ୍ବ ହୋଇଥିଲା। ଫଳରେ ପରମ୍ପରା ଅନୁଯାୟୀ ଅନ୍ୟ ଦୁଇ ଠାକୁରଙ୍କ ସେବାନୀତିରେ ମଧ୍ୟ ବିଭ୍ରାଟ ସୃଷ୍ଟି ହୋଇଥିଲା। ବିମାନ ବାହକଙ୍କ ସମସ୍ୟାର ସମାଧାନ ହେବା ପରେ ଠାକୁରମାନଙ୍କ ଚଳନ୍ତି ପ୍ରତିମା ବିମାନ ବିଜେ ପରେ ତିନି ଠାକୁର ସୁସଜ୍ଜିତ ବିମାନରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମନ୍ଦିରରୁ ବାହାରି ଏନ୍ଏସି କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହୋଇଥିଲେ। ସେଠାରେ ଏନ୍ଏସି କର୍ତ୍ତୃପକ୍ଷ ପାରମ୍ପରିକ ଭାବେ ତିନି ଠାକୁରଙ୍କୁ ଶଙ୍ଖୋଳି ପୂଜାମଣ୍ଡପକୁ ନେଇଥିଲେ। ସେଠାରେ ତିନି ଠାକୁରଙ୍କ ପୂଜାନୀତି ସଂପାଦନ ପରେ ବିମାନ ଚନ୍ଦ୍ରଭାଗା ଅଭିମୁଖେ ବାହାରିଥିଲା। ବାଟରେ ପୂର୍ତ୍ତ ବିଭାଗ ଓ ରାଜସ୍ବ ବିଭାଗ କାର୍ଯ୍ୟାଳୟରେ ତିନି ଠାକୁରଙ୍କ ପୂଜାନୀତି ସମାପନ ହୋଇଥିଲା। ଏହାପରେ ତିନି ଠାକୁରଙ୍କ ବିମାନ ଘଣ୍ଟ, ମର୍ଦ୍ଦଳ, ଯୋଡ଼ିଶଙ୍ଖ, ନାଗାକାଳିକା ମେଢ଼ର ବିରାଟ ପଟୁଆରରେ ଚନ୍ଦ୍ରଭାଗା ତୀର୍ଥ ଅଭିମୁଖେ ବାହାରିଥିଲା। ତିନି ଠାକୁର ଚନ୍ଦ୍ରଭାଗାରେ ପହଞ୍ଚିବା ପରେ ଜୟଦେବ ବାଟିକା ନିକଟରେ ସାଧୁସନ୍ଥମାନଙ୍କ ପକ୍ଷରୁ ଏବଂ ଚନ୍ଦ୍ରଭାଗା ବଜାରଠାରେ ଚନ୍ଦ୍ରଭାଗା କମିଟି ପକ୍ଷରୁ ଭୋଗ ଲାଗି କରାଯାଇଥିଲା। ତିନି ଠାକୁର ଏକ ସଙ୍ଗରେ ମହୋଦଧି ସ୍ନାନ ସାରିବା ପରେ ତୀର୍ଥ ପୁଷ୍କରିଣୀ ପୂଜାମଣ୍ଡପରେ ବିଜେ ହୋଇଥିଲେ। ସେଠାରେ ତିନି ଠାକୁରଙ୍କ ମାଘସ୍ନାନ ପରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା। ଏହାପରେ ସାଧୁସନ୍ଥମାନଙ୍କ ଦ୍ବାରା ମଧ୍ୟ ତୀର୍ଥ ଆଳତି କରାଯାଇଥିଲା। ତୀର୍ଥ ମଣ୍ଡପରେ କର୍ତ୍ତାଭାବେ ସଂଜୟ ରାଉତରାୟ ଜଗତର ମଙ୍ଗଳକାମନା କରି ହୋମଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ।
ପୂଜାନୀତି ସମାପନ ପରେ ଶ୍ରଦ୍ଧାଳୁମାନଙ୍କୁ ତୀର୍ଥ ସ୍ନାନ ପାଇଁ ସୁଯୋଗ ଦିଆଯାଇଥିଲା। ସୂର୍ଯ୍ୟୋଦୟ ଦେଖି ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟମନ୍ଦିର ସନ୍ନିକଟ ନବଗ୍ରହପୀଠରେ ପୂଜାର୍ଚ୍ଚନା କରିଥିଲେ। ଆଜି ମାଘସପ୍ତମୀ ପାଇଁ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା। ଫଳରେ ସୂର୍ଯ୍ୟମନ୍ଦିରରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. ଉମାଶଙ୍କର ଦାଶ, ଅତିରିକ୍ତ ଏସ୍ପି ଅରୁଣ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ବିନୟଭୂଷଣ ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ସ୍ଥାନୀୟ ତହସିଲଦାର ପୃଥ୍ବୀରାଜ ମଣ୍ଡଳ, ନିମାପଡ଼ା ଏସ୍ଡିପିଓ ପ୍ରଦୀପ କୁମାର ଦଳାଇ, କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ ମଲ୍ଲିକ, କୋଣାର୍କ ଏନ୍ଏସି ନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମେଳାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିଲେ।