ଆନନ୍ଦପୁର : କୋଭିଡ କଟକଣା ପାଇଁ ଚଳିତବର୍ଷ ଘସିପୁରା ବ୍ଲକ୍‌ ବଳରାମପୁର ପଞ୍ଚାୟତ ନଦୁଆଁ ଗାଦିରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ମାଘମେଳା ବାତିଲ କରାଯାଇଛି। କେବଳ ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟାରେ ମହିମା ଭକ୍ତଙ୍କ ଦ୍ବାରା ଅଖଣ୍ଡ ଝାଡ଼ବତି ଲଗାଯିବା ସହ ପୂଜାର୍ଚ୍ଚନା କରାଯାଇଛି।

Advertisment

ଓଡ଼ିଶାରେ ମହିମା ଧର୍ମର ସ୍ବତନ୍ତ୍ରତା ରହିଛି। ପ୍ରତିମା ପୂଜା, ଅନ୍ଧବିଶ୍ବାସ, କୁସଂସ୍କାରରୁ ଲୋକଙ୍କୁ ମୁକ୍ତ କରିବା ସହିତ ଜୀବନକୁ ସୁସ୍ଥ ଓ ନିରାମୟ କରି ଗଢ଼ି ତୋଳିବା ମହିମା ଧର୍ମର ମୁଖ୍ୟ ଉଦେଶ୍ୟ। ଧର୍ମ ଓ ସଂସ୍କୃତିକୁ ଅଧିକ ଲୋକାଭିମୁଖୀ କରିବାପାଇଁ ମହିମା ଗାଦିରେ ବାର୍ଷିକ ମେଳା ଅନୁଷ୍ଠିତ ହୋଇଥାଏ। ଓଡ଼ିଶାରେ ମହିମା ଧର୍ମର ମୁଖ୍ୟସ୍ଥଳ ଢେଙ୍କାନାଳର ଯୋରନ୍ଦା ହୋଇଥିବାବେଳେ ପ୍ରାଚୀନ ନଦୁଆଁ ଗାଦିର ମହାତ୍ମ୍ୟ ମଧ୍ୟ ଚାରିଆଡ଼େ ରହିଛି। ମହିମା ଧର୍ମର ସୃଷ୍ଟି ୧୮୨୬ ମସିହାରୁ ସୃଷ୍ଟି ହୋଇଥିବା ବିଶ୍ବାସ କରାଯାଏ। ୧୮୭୬ରେ ମହିମାସ୍ବାମୀଙ୍କ ଯୋରନ୍ଦାରେ ମହାପରାୟଣ ଘଟିବା ପରେ ସେଠାରେ ପ୍ରତିଷ୍ଠା ‌ହୋଇଥିଲା ତାଙ୍କର ସମାଧି ମନ୍ଦିର। ମହିମାସ୍ବାମୀଙ୍କ ୬୪ଜଣ ପଟଶିଷ୍ୟ ରହିଥିବାବେଳେ ସିଦ୍ଧପୁରୁଷ ବାବା ରଘୁବର ଦାସ ୧୮୬୬ରେ ନଦୁଆଁ ଗ୍ରାମରେ ଆସି ଅବସ୍ଥାନ କରିଥିଲେ। ତାଙ୍କ ଦ୍ବାରା ଶ୍ରଦ୍ଧାଳୁମାନେ ଅନୁପ୍ରାଣିତ ହେବାସହିତ ଆନନ୍ଦପୁର ଉପଖଣ୍ଡରେ ମହିମା ଧର୍ମର ପ୍ରଚାର ହୋଇଥିଲା।

publive-image

ରଘୁବର ବାବାଙ୍କ ଦେହାନ୍ତ ପରେ ୪୭ ବର୍ଷ ହେଲା ଏଠାରେ ଭାଗୀରଥି ବାବା ଗାଦିର ଦାୟିତ୍ବରେ ଅଛନ୍ତି। ଏଠାରେ ରହିଛି ଅଲେଖ ମହିମାଙ୍କ ଶୂନ୍ୟମନ୍ଦିର ସହିତ ଆଶ୍ରମ। ଏଠାରୁ ସମ୍ପ୍ରସାରିତ ହୋଇ ଯାଜପୁର ଜିଲ୍ଲାର ଚିତ୍ରି, ବାଟିପଡ଼ା, ମହାଦେଇପାଟଣା, ଭଦ୍ରକର ଖଜୁରିପଦା, ଗୁଡ଼ପାଳ, ବାଲେଶ୍ବରର ସୋରରେ ରହିଛି ମହିମା ଗାଦି। ପ୍ରତିବର୍ଷ ମାଘ ଚତୁର୍ଦ୍ଦଶୀ ତିଥିରେ ଏଠାରେ ମାଘମେଳା ଓ ଗୁରୁପୂର୍ଣ୍ଣିମା ମହାଡ଼ମ୍ବରରେ ପାଳିତ ହୋଇଥାଏ। ଚଳିତବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି କେବଳ ବିଧି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଭିନ୍ନ ଅଞ୍ଚଳରୁ ମହିମା ଭକ୍ତଙ୍କ ସମାଗମ ହୋଇଛି। ଆଜି ଭୋରରୁ ଅଖଣ୍ଡ ଧୁନି ଲାଗିବା ସହିତ ନାମଯଜ୍ଞ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଭାଗୀରଥି ବାବାଙ୍କ ନେତୃତ୍ବରେ ୨୧ ଶାଖା ବିଶିଷ୍ଟ ଝାଡ଼ବତି ଲଗା ଯାଇଥିଲା। ରାତିରେ ଅହୋରାତ୍ର ନାମଯଜ୍ଞ ଓ ମହିମା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ମହିମା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ମେଳାକୁ ବାତିଲ କରାଯାଇଛି। ଗ୍ରାମର ଚିତ୍ତରଂଜନ ବେହେରା, ନରୋତ୍ତମ ସାହୁ, କବି ‌ବେହେରା, ସୁଦୀପ ସାହୁ, ସାଇସତ୍ୟ ସାହୁ, ମାଧବ ବେହେରା, ଦିବାକର ପାତ୍ର, କେଶବ ଚନ୍ଦ୍ର ସାହୁ, କମଳ ଲୋଚନ ସାହୁ, ଚିନ୍ମୟ ସାହୁ, ପ୍ରଦୀପ ସାହୁ ପ୍ରମୁଖ ସହଯୋଗ କରିଥିଲେ।