ମହିମା ସାଧୁଙ୍କ ‘ଜଗତ ଉଦ୍ଧାର’ ଡାକରେ ପୀଠ ପ୍ରକମ୍ପିତ

ଖଲିଆପାଲିରେ ମାଘମେଳା ଆରମ୍ଭ

ମେଣ୍ଡା: ମହିମା ଧର୍ମର ଅନ୍ୟତମ ପ୍ରମୁଖ ପୀଠ ସନ୍ଥ କବି ଭୀମଭୋଇଙ୍କ ସାଧନା ସିଦ୍ଧି ସମାଧି ପୀଠ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିଠାରେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘମେଳା ଶନିବାର ଆରମ୍ଭ ହୋଇଛି। ଦୂର ଦୂରାନ୍ତରୁ  ମହିମା ଧର୍ମର ସାଧୁସନ୍ଥମାନଙ୍କ ସମାଗମ ବଢ଼ିବାରେ ଲାଗିଛି। ସମାଧି ମନ୍ଦିର ଓ ପୀଠର ମୁଖ୍ୟ ସନ୍ନ୍ୟାସୀ ବାବା ଓ ଅନ୍ୟମାନେ ପାଦୁକା ମନ୍ଦିରରେ ପୂଜାର୍ଚ୍ଚନା ଓ ୧୦୮ ପୂର୍ଣ୍ଣ କଳସ ରଖି ସମାଧି ମନ୍ଦିର ଖୋଲାଯିବା ସହ ନୀତିକାନ୍ତି ସମ୍ପନ୍ନ କରିଥିଲେ। ସମାଧି ମନ୍ଦିର ଦୁଇଦିନ ପାଇଁ ଖୋଲା ରହିବ। ଏହି ଅବସରରେ ଅନ୍ୟ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ଖଲିଆପାଲି ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ଆନୁକୂଲ୍ୟରେ ସାରସ୍ୱତ ସମାରୋହ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟୀ ଛତ୍ରଧାରୀ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟଅତିଥି, ଏସ୍‌ପି ଅମରେଶ ପଣ୍ଡା, ଭୁବନେଶ୍ୱର କାଳରାହାଙ୍ଗ ଭୀମଭୋଇ ପୀଠର ରମେଶ ବାବା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରେମାନିଧି ସେଠ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଭୀମଭୋଇ ଚେୟାରର ପ୍ରଦୀପ ପଣ୍ଡା, ବିଡିଓ ସୌମ୍ୟ ରଞ୍ଜନ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଭୀମଭୋଇ ସ୍ମୃତି ସମ୍ମାନରେ ପ୍ରେମାନିଧି ସେଠ, ଭୀମଭୋଇ ମହିମା ସମ୍ମାନରେ ବାବା ରମେଶ ଦାସ, ଭୀମଭୋଇ ସାହିତ୍ୟ ସମ୍ମାନରେ ପ୍ରଦୀପ ପଣ୍ଡା, ଭୀମଭୋଇ କଳା ସମ୍ମାନରେ ଚନ୍ଦ୍ରାବତୀ ପଣ୍ଡା, ଭୀମ ଭୋଇ ଯୁବ ପ୍ରତିଭା ସମ୍ମାନରେ ପଞ୍ଚାନନ ଜଗଦଲା, ଭୀମଭୋଇ କ୍ରୀଡ଼ା ସମ୍ମାନରେ ଜିତା ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ସଭା କାର୍ଯ୍ୟକୁ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ କାର୍ଯ୍ୟାଳୟ ସଂପାଦକ ଜନ୍ମଜୟ ସ୍ବାଇଁ ସଂଯୋଜନା କରିଥିଲେ।

ବିଡିଓ ଶ୍ରୀ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଟ୍ରଷ୍ଟର ମୁଖପତ୍ର ମହିମା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସଂଧ୍ୟାରେ ମହିମା ସାଧୁମାନଙ୍କ ଦ୍ୱାରା ଜଗତ କଲ୍ୟାଣ ପାଇଁ ୧୦୮ଝାଡ଼ ବତି ପ୍ରଜ୍ବଳନ କରାଯାଇଥିଲା। ପରେ ମନ୍ଦିର ପରିସର ମହିମା  ସାଧୁ ଓ ଭକ୍ତମାନଙ୍କ ଦ୍ବାରା ମହିମା ଭଜନ ଓ ଜଗତ ଉଦ୍ଧାର ଡାକରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା।

ସମ୍ବନ୍ଧିତ ଖବର