କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ଆସନ୍ତାକାଲି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ। ଏଥିପାଇଁ ଆଜିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ଗହଳି ଆରମ୍ଭ ହୋଇଥିବାବେଳେ ତୀର୍ଥ ପୁଷ୍କରିଣୀ ସଂଲଗ୍ନ ମେଳାପଡ଼ିଆ ଚଳଚଞ୍ଚଳ ହୋଇଯାଇଛି। ସୂର୍ଯ୍ୟପୂଜାର ପରମ୍ପରାକୁ ଆଧାର କରି ଏହି ବୁଡ଼ ଅନୁଷ୍ଠିତ ହେଉଛି। ଆଜି ଷଷ୍ଠୀ ତିଥିରେ ମେଳା ପଡ଼ିଆରେ ମହିଳାମାନେ ମାଟି ହାଣ୍ଡିରେ ଶୁଖୁଆ ଡାଲମା, ଭାତ ଓ ଖେଚେଡ଼ି ରାନ୍ଧୁଥିବାର ଦେଖାଯାଇଛି। ଏହାର କିଛି ଅଂଶକୁ ସମର୍ପଣ କରି ପରିବାରର ସୁଖଶାନ୍ତି ସମୃଦ୍ଧି କାମନା କରିବା ପରେ ବଳାକା ଅଂଶକୁ ନିଜେ ଭୋଜନ କରିଥାନ୍ତି। ପରେ ଉକ୍ତ ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି ମାଘ ସପ୍ତମୀ ପ୍ରତ୍ୟୁଷରୁ ତୀର୍ଥ ସ୍ନାନପରେ ସୂର୍ଯ୍ୟପୂଜା କରିଥାନ୍ତି।

Advertisment

ବୁଡ଼ ପକାଇବା ପାଇଁ ରାଜ୍ୟର କୋଣ ଅନୁକୋଣ ସମେତ ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ମେଳା ପଡ଼ିଆରେ ନଡ଼ିଆ ବରଡ଼ାପତ୍ର ଓ ଜରିପାଲରେ ଅସ୍ଥାୟୀ ଘରକରି ରହିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରର ସାଧୁସନ୍ଥମାନେ ଆଜି ସନ୍ଧ୍ୟା ସୁଦ୍ଧା ଚନ୍ଦ୍ରଭାଗାରେ ପହଞ୍ଚି ସାରିଛନ୍ତି। ମାଘମେଳାର ତିନି ଆରାଧ୍ୟ ଠାକୁର ମାଧିପୁରର ବାବା ତ୍ରିବେଣୀଶ୍ବର, ସନ୍ଥପୁରର ବାବା ଐଶାନେଶ୍ବର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ବିମାନ ବିଜେ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବା ପାଇଁ ସମସ୍ତ ପୂଜାନୀତି ଆରମ୍ଭ ହୋଇଛି। ଆସନ୍ତାକାଲି ଭୋର ୪ଟା ପରେ ତୀର୍ଥ ସ୍ନାନ ପାଇଁ ମାହେନ୍ଦ୍ର ଲଗ୍ନ ସ୍ଥିର ହୋଇଛି।