ପୁରୀ : ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି। ତ୍ରିବେଣୀଶ୍ବର, ଦକ୍ଷିଣେଶ୍ବର ଓ ଈଶାଣେଶ୍ବର ମହାଦେବ ଭୋର ୪ଟା ୪୧ରୁ ସକାଳ ୬ଟା ୨୪ ମିନିଟ୍‌ ମଧ୍ୟରେ ମହାସ୍ନାନ କରିବା ପରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ଼ ପକାଇବାର ସୁଯୋଗ ପାଇବେ। ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଦ୍ବାରା ବହୁ ବ୍ୟାଧିରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ। କୋଭିଡ ଯୋଗୁ ବୁଡ଼ ପକାଇବାରୁ ଶ୍ରଦ୍ଧାଳୁମାନେ ଦୁଇବର୍ଷ ହେଲା ବଞ୍ଚିତ ଥିଲେ। ତେବେ କୋଭିଡ୍‌ ସଂକ୍ରମଣ ସଂପ୍ରତି ହ୍ରାସ ପାଇଥିବାରୁ ଏଥର ଭକ୍ତଙ୍କୁ ଏହି ସୁଯୋଗ ମିଳିବ। ଉକ୍ତ ଦିନ ଚନ୍ଦ୍ରଭାଗା ସ୍ନାନ ପରେ ମନ୍ଦିର ପରିକ୍ରମା କରିବାର ପରମ୍ପରା ରହିଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଦେୟ ଛାଡ଼ ରହିବ। ତେଣୁ ପ୍ରାୟ ୫ଲକ୍ଷରୁ ଊର୍ଧ୍ବ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚନ୍ଦ୍ରଭାଗା ମେଳା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷ ସଞ୍ଜୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସେକ ସଗିର, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଶରତ ଜୟସିଂ, ତିନି ଠାକୁରଙ୍କ ସେବାୟତ ଓ ଅନ୍ୟ ଅଧିକାରୀମାନେ ମେଳାକୁ ଶୃଙ୍ଖଳିତ କରିବା ନେଇ ଆଲୋଚନା କରିଛନ୍ତି।

Advertisment

ରାତି ୮ଟା ୧୦ରୁ ଠାକୁରଙ୍କ ବିମାନ ବିଜେ
ଚନ୍ଦ୍ରଭାଗା ମେଳା ଅବସରରେ ତିନି ମହାଦେବ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ମଧ୍ୟରେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ପହଞ୍ଚିବେ। ତ୍ରିବେଣୀଶ୍ବର ଦେବ, ଦକ୍ଷିଣେଶ୍ବର ଦେବ ଓ ଈଶାଣେଶ୍ବର ଦେବଙ୍କ ନୀତି ସମ୍ପାଦନରେ ଯେପରି ବିଳମ୍ବ ନହୁଏ, ସେଥିପାଇଁ ପୂଜକ ଓ ସେବାୟତଙ୍କୁ ନିର୍ଦେଶ ଦିଆଯାଇଛି। ୨୮ ତାରିଖରେ ମାଘ ସପ୍ତମୀ ପଡ଼ୁଥିବା ବେଳେ ୨୭ ତାରିଖରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ୨୭ ତାରିଖ ରାତି ୮ଟା ୧୦ ମିନିଟ୍‌ରୁ ୧୦ଟା ୪୦ ମଧ୍ୟରେ ଠାକୁରମାନେ ବିମାନ ବିଜେ କରିବେ। ରାତି ୧୧ଟା ୩୦ରୁ ୧୨ଟା ମଧ୍ୟରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଠାକୁରଙ୍କ ପୂଜା ଓ ଭୋଗ ଲାଗି କରାଯିବ। ରାତି ୧୨ଟା ମଧ୍ୟରେ ତିନି ଠାକୁର ପୂଜା ମଣ୍ଡପରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦିତ ହେବ।

ପୌରାଣିକ କିମ୍ବଦନ୍ତୀ
ଚନ୍ଦ୍ରଭାଗା ନଦୀ‌ରେ ସ୍ନାନ କରିବା ଦ୍ବାରା ଚର୍ମ ଓ ବହୁବିଧ ବ୍ୟାଧିରୁ ମୁକ୍ତି ମିଳିବା ନେଇ ବିଶ୍ବାସ ରହିଛି। ଏହା ପଛରେ ପୌରାଣିକ କିମ୍ବଦନ୍ତୀ ରହିଛି। ପୌରାଣିକ କଥାବସ୍ତୁ ଅନୁଯାୟୀ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ପାଇ କୁଷ୍ଠ ବ୍ୟାଧିରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ ମୁକ୍ତି ପାଇଁ ନାରଦ ଶାମ୍ବଙ୍କୁ କୋଣାର୍କରେ ସୂର୍ଯ୍ୟଙ୍କ ଉପାସନା କରିବାକୁ ପରାମର୍ଶ ଦେଇଥିଲେ। କୋଣାର୍କରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ୁଥିବାରୁ ଚନ୍ଦ୍ରଭାଗା ନଦୀ କୂଳରେ ସୂର୍ଯ୍ୟଙ୍କ ଉପାସନା ପାଇଁ ନାରଦ କହିଥିଲେ। ଶାମ୍ବ ଅର୍କବନରେ ୧୨ ବର୍ଷ ତପସ୍ୟା ଓ ସୂର୍ଯ୍ୟଙ୍କୁ ଉପାସନା କରି ଶାମ୍ବ ଦଶମୀରେ କୁଷ୍ଠରୋଗରୁ ମୁକ୍ତି ପାଇଥିଲେ। ମାଘ ସପ୍ତମୀରେ ମହାସ୍ନାନ କରି ସୂର୍ଯ୍ୟଙ୍କ ମୂର୍ତ୍ତି ପାଇ ପୂଜା କରିଥିଲେ। ଏହି କିମ୍ବଦନ୍ତୀ ଆଧାରରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କଲେ ମଣିଷ ବ୍ୟାଧିମୁକ୍ତ ହୁଏ ବୋଲି ବିଶ୍ବାସ ରହିଛି ବୋଲି ଚନ୍ଦ୍ରଭାଗା ତୀର୍ଥସ୍ନାନ ସନ୍ଥ ସମିତିର ସମ୍ପାଦକ ଶରତ ଜୟସିଂହ କହିଛନ୍ତି। ସେଇ ବିଶ୍ବାସ ଆଧାରରେ ଏଠାରେ ପୂର୍ବଦିନ ରାତିରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଆସୁଛି।

୪ ସ୍ବାସ୍ଥ୍ୟ ଶିବିର, ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ିର ବନ୍ଦୋବସ୍ତ
ସଂକ୍ରାମକ ରୋଗ ନିରାକରଣ ନିମନ୍ତେ ଆଶୁ ଚିକିତ୍ସା କେନ୍ଦ୍ର କାର୍ଯ୍ୟକାରୀ ହେବ। ମା’ ରାମଚଣ୍ଡୀ ଠାକୁରାଣୀ, ଚନ୍ଦ୍ରଭାଗା ମେଳା ପଡ଼ିଆ, ହେଲିପ୍ୟାଡ ଓ କୋଣାର୍କ ବସଷ୍ଟାଣ୍ଡରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ରହିବ। ଏହାବ୍ୟତୀତ କୋଣାର୍କ, ନିମାପଡ଼ା, ଗୋପ, ଚାରିଛକ, କାକଟପୁର ଓ ବାଙ୍ଗୁରିଗାଁ ଡାକ୍ତରଖାନାରେ ଔଷଧ ମହଜୁଦ ରଖିବା ସହ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯିବ। ଖାଦ୍ୟ ଅପମିଶ୍ରଣ ତନଖି କରିବା ପାଇଁ ଖାଦ୍ୟ ନିରୀକ୍ଷକ ହେବେ। ଅସ୍ଥାୟୀ ପାଇଖାନା ଓ ପରିଶ୍ରାଗାର ରହିବ। କୋଣାର୍କ ଚନ୍ଦ୍ରଭାଗା ମେଳାକୁ ସଂଯୋଗ ରାସ୍ତାମାନଙ୍କରେ ନୂଳକୂ ସଚଳ କରାଯିବା ସହ ପାଣି ଟ୍ୟାଙ୍କ ବ୍ୟବସ୍ଥା କରାଯାଇଛି।

publive-image

ସୁରକ୍ଷାରେ ୩୦ ପ୍ଲାଟୁନ୍‌ ପୁଲିସ
୨୮ ତାରିଖ ଭୋର ସମୟରୁ ଚନ୍ଦ୍ରଭାଗା ଅସ୍ଥାୟୀ ପୁଷ୍କରିଣୀରେ ବୁଡ଼ ପକାଇବାର ବ୍ୟବସ୍ଥା ହୋଇଛି। ତେଣୁ ପୂର୍ବଦିନରୁ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍‌ ପୁଲିସ ମୁତ୍ତୟନ ହେବେ। ୩ ଜଣ ଆଡିସନାଲ ଏସ୍‌ପି, ୫ ଜଣ ଡିଏସ୍‌ପି ଓ ୧୫ ଜଣ ଇନିସ୍‌ପେକ୍ଟର ଦାୟିତ୍ବରେ ରହିବେ। ଏହି ଅବସରରେ ଯାତ୍ରୀଙ୍କ ଗମନାଗମନ ପାଇଁ ଅଧିକ ବସ ବ୍ୟବସ୍ଥା କରାଯିବ। ଧାର୍ଯ୍ୟ ଭଡ଼ା ଦେଇ ଯେପରି ଲୋକେ ଯାତ୍ରା କରିବେ ‌ତା’ଉପରେ ଦୃଷ୍ଟି ରଖାଯିବ।

ଗାଡ଼ି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଗାଡ଼ି ପାର୍କିଂ ପାଇଁ ଭକ୍ତମାନଙ୍କ ଲାଗି ଭିନ୍ନଭିନ୍ନ ସ୍ଥାନରେ ବନ୍ଦୋବସ୍ତ କରାଯାଇଛି। ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ଠାକୁରାଣୀ ଛକ ମଧ୍ୟରେ ୨ ଚକିଆ ଓ ୪ ଚକିଆ ଯାନ ପାର୍କିଂ ହେବ। ବତୀଘର ଛକଠାରୁ ଲାବଣ୍ୟ ଲଜ୍‌ ପର୍ଯ୍ୟନ୍ତର ଉଭୟ ପାର୍ଶ୍ବ ରାସ୍ତାକୁ ଭାରିଯାନ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। କୋଣାର୍କ ହେଲିପ୍ୟାଡ୍‌ ରାସ୍ତାର ଖାଲଖମା ସମତୁଲ କରି ସେଠାରେ ୨ ଚକିଆ ଓ ୪ ଚକିଆ ଯାନର ବ୍ୟବସ୍ଥା କରାଯିବ। କୋଣାର୍କ ପ୍ରତ୍ନତତ୍ତ୍ବ ବିଭାଗର ପାର୍କିଂ ସ୍ଥାନରେ ଗାଡ଼ି ପାର୍କିଂର ସୁବିଧା ରହିବ।

ଏକକାଳୀନ ୨୦ ହଜାର ‌ଶ୍ରଦ୍ଧାଳୁ ସ୍ନାନ ବନ୍ଦୋବସ୍ତ
କିମ୍ବଦନ୍ତୀ ବର୍ଣ୍ଣିତ ଚନ୍ଦ୍ରଭାଗା ନଦୀ ବହୁ ଅତୀତରୁ ଶୁଖିଯାଇଛି। ତେଣୁ ଏକ ପୁଷ୍କରିଣୀରେ ସ୍ନାନ କରିବାର ବ‌ନ୍ଦୋବସ୍ତ କରାଯାଉଛି। ୫ଶହ ମିଟର ଲମ୍ବ ଓ ୨୦୦ ମିଟର ଓସାର ବିଶିଷ୍ଟ ପୁଷ୍କରିଣୀରେ ଏକକାଳୀନ ୨୦ ହଜାର ଲୋକ ବୁଡ଼ ପକାଇବାର ସୁବିଧା ରହିଛି। ତେବେ ମାଘ ସପ୍ତମୀରେ ଲକ୍ଷାଧିକ ଲୋକ ବୁଡ଼ ଦେଉଥିଲେ ହେଁ ଏହାକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ହେଉନାହିଁ ଏବଂ ପୁଷ୍କରିଣୀ ଧୀରେଧୀ‌ରେ ସଙ୍କୁଚିତ ହେଉଛି ବୋଲି କୋଣାର୍କ ସୁରକ୍ଷା ସମିତିର ଭାଗୀରଥି ସ୍ବାଇଁ କହିଛନ୍ତି। ତେଣୁ ପୋଖରୀକୁ ପରିସ୍କାର ରଖିବା ସହ ଏହାର ପରିସର ଯେପରି ସଙ୍କୁଚିତ ନହୁଏ ସେଦିଗରେ ଧ୍ୟାନ ଦେବାକୁ ଶ୍ରୀ ସ୍ବାଇଁ ଦାବି କରିଛନ୍ତି।