ଅଦାଲତରେ ଚୂଡ଼ାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ଆରମ୍ଭ

ବାଲେଶ୍ୱର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକାଣ୍ଡ

କଟକ : କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସଂଜୟ କୁମାର ସାହୁଙ୍କ ଇଜଲାସରେ ବହୁ ଚର୍ଚ୍ଚିତ ବାଲେଶ୍ୱର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକଣ୍ଡ ମାମଲାର ଆଜି ଶୁଣାଣି ହୋଇଛି। ମାମଲାରେ ପୂର୍ବରୁ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ଆଜି ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ଗ୍ରହଣ ସମୟରେ ମିଳିଥିବା ତଥ୍ୟ ପ୍ରମାଣ ସଂପର୍କରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥି ସହିତ ଅଭିଯୁକ୍ତଙ୍କ ତରଫରୁ ଓକିଲ ମଧ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଆଜି ଯୁକ୍ତି ଉପସ୍ଥାପନ ଅସଂପୂର୍ଣ୍ଣ ରହିଥିବା ବେଳେ ମାର୍ଚ୍ଚ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଏହି ମାମଲାର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୩, ମାର୍ଚ୍ଚ ୧୬ରେ ସରକାରୀ କ୍ୱାର୍ଟରରେ ଅନୁପମା ବେହେରାଙ୍କ ସନ୍ଦେହଜନକ ଅବସ୍ଥାରେ ଶବ ମିଳିଥିଲା। ଏହା ହତ୍ୟାକାଣ୍ଡ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଜ୍ୟୋତିରଂଜନ ମହାନ୍ତି ଓ ପ୍ରିୟରଂଜନ ମହାନ୍ତିଙ୍କୁ ମାମଲାରେ ଗିରଫ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବାଲେଶ୍ୱରରେ ଘଟିଥିବା ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କଟକରେ ଆରମ୍ଭ ହୋଇଥିଲା। ମାମଲାରେ ପ୍ରସିକ୍ୟୁସନ ପକ୍ଷରୁ ଅନୁପମା ବେହେରାଙ୍କ ପରିବାର ସଦସ୍ୟ, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର, ସାଇଣ୍ଟିଫିକ ଅଫିସର, ତଦନ୍ତକାରୀ ଅଧିକାରୀଙ୍କ ସମେତ ମୋଟ ୨୭ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ଜ୍ୟୋତିରଂଜନ ମହାନ୍ତି ଓ ପ୍ରିୟରଂଜନ ମହାନ୍ତିଙ୍କ ବୟାନ ମଧ୍ୟ କୋର୍ଟରେ ରେକର୍ଡ କରାଯାଇଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ସେମାନଙ୍କ ଭାଇ ବିଶ୍ୱ ରଂଜନ ମହାନ୍ତି ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର