କଟକ : କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସଂଜୟ କୁମାର ସାହୁଙ୍କ ଇଜଲାସରେ ବାଲେଶ୍ୱର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକଣ୍ଡ ମାମଲାର ଆଜି ଶୁଣାଣି ହୋଇଛି। ମାମଲାରେ ଆଜି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ମାର୍ଚ୍ଚ ୭ ତାରିଖରେ ମାମଲାର ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଜାରି ରହିଥିଲା। ଅଭିଯୁକ୍ତଙ୍କ ରକ୍ତ ଭିଜା ପୋଷାକ, ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଆଙ୍ଗୁଠି ଛାପ, ଫୋନ କଲ ରେକର୍ଡ ରିପୋର୍ଟ, ଅନ୍ୟାନ୍ୟ ପାରିପାର୍ଶ୍ୱିକ ପରିସ୍ଥିତି ଓ ସାକ୍ଷୀଙ୍କ ବୟାନକୁ ଭିିତ୍ତି କରି ଅଭିଯୁକ୍ତମାନଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପବ୍ଲିକ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ଯୁକ୍ତି ବାଢିଥିଲେ। ସେହିପରି ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆଜି ଯୁକ୍ତି ଉପସ୍ଥାପନ ଶେଷ ହୋଇ ପାରି ନଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

Advertisment

ସୂଚନା ଯୋଗ୍ୟ ଯେ ୨୦୧୩, ମାର୍ଚ୍ଚ ୧୬ରେ ସରକାରୀ କ୍ୱାର୍ଟରରେ ଅନୁପମା ବେହେରାଙ୍କ ସନ୍ଦେହଜନକ ଅବସ୍ଥାରେ ଶବ ମିଳିଥିଲା। ଏହା ହତ୍ୟାକାଣ୍ଡ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଜ୍ୟୋତିରଂଜନ ମହାନ୍ତି ଓ ପ୍ରିୟରଂଜନ ମହାନ୍ତିଙ୍କୁ ମାମଲାରେ ଗିରଫ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବାଲେଶ୍ୱରରେ ଘଟିଥିବା ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କଟକରେ ଆରମ୍ଭ ହୋଇଥିଲା।