କେନ୍ଦୁଝର : ବିଶିଷ୍ଟ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣ କୁଅଁରଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ। ଆଜି ଏ ସମ୍ପର୍କରେ ଘୋଷଣା ହେବାପରେ ତାଙ୍କ ଜନ୍ମମାଟି କେନ୍ଦୁଝର ସହରରେ ଖୁସିର ଲହରି ଖେଳିଯାଇଛି। କଣ୍ଢେଇ ନୃତ୍ୟର ପ୍ରଚାର ପ୍ରସାର ସାଙ୍ଗକୁ ଏହାକୁ ପରବର୍ତ୍ତୀ ପିଢ଼ି ପାଇଁ ବଞ୍ଚାଇ ରଖିବା ଦିଗରେ ଶ୍ରୀ କୁଅଁର ଅହରହ ଉଦ୍ୟମ କରିଚାଲିଛନ୍ତି। ଏଥିପାଇଁ ସେ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Advertisment

କେନ୍ଦୁଝର ସହରର ବୈଦ୍ୟରାଜ ସାହିରେ ୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ ଶ୍ରୀ କୁଅଁର ଜନ୍ମଗ୍ରହଣ କରିଥିଲେ। ସେ ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ରାବଣବଦ୍ଧ, ତ୍ରିପୁରାସୁରବଦ୍ଧ, ଚନ୍ଦ୍ରହାସ୍ୟ ଖଡ୍‌ଗ, ମନ୍ଦୋଦରୀ ବିବାହ, ଚାର୍ଲସ ଶୋଭରାଜ, ବୀରସୁରେନ୍ଦ୍ର ସାଏ, ସହିଦ ଲକ୍ଷ୍ମଣ ନାୟକ, ଶ୍ରୀ ଗଣେଶ, ସତୀ ତୁଳସୀ ପରିବ ୪୫ଟି ବିଷୟବସ୍ତୁକୁ ନେଇ ସେ କଣ୍ଢେଇ ନୃତ୍ୟ ପରିବେଷଣ କରୁଛନ୍ତି। କଣ୍ଢେଇ ନୃ୍ତ୍ୟକୁ ବଞ୍ଚାଇ ରଖିବା ପାଇଁ ଶ୍ରୀ କୁଅଁରଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏଥିପାଇଁ ତାଙ୍କୁ ପତ୍ନୀ ସ୍ନେହଲତାଙ୍କ ଗହଣା ସାଙ୍ଗକୁ ଘରର ବାସନକୁସନ ଏବଂ ନିଜର ମୋଟରସାଇକଲ ବିକ୍ରି କରିବାକୁ ପଡ଼ିଛି। ରାଜ୍ୟର ବିଭିନ୍ନ ମହୋତ୍ସବ ସମେତ ଦେଶର ବିଭିନ୍ନ ମଞ୍ଚରେ ସେ କଣ୍ଢେଇ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ୨୦୦୪ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ମିଳିଥିଲା। ଏହାବାଦ୍‌ ସେ ୨୦୧୪ରେ ରାଜ୍ୟ ସଂଗୀତ ନାଟକ ଏକାଡେମି ସମ୍ମାନ ସମେତ ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

ଏହି ଖବର ପାଇ ଆଜି ସନ୍ଧ୍ୟାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ତାଙ୍କ ବାସଭବନରେ ପହଞ୍ଚି ଶ୍ରୀ କୁଅଁରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏସମ୍ପର୍କରେ ଶ୍ରୀ କୁଅଁର କହିଛନ୍ତି, କଣ୍ଢେଇ ନୃତ୍ୟକୁ ବଞ୍ଚାଇ ରଖିବା ପାଇଁ ସେ ଜୀବନସାରା ଉଦ୍ୟମ କରିଆସିଛନ୍ତି। ବର୍ତ୍ତମାନ ସେ ବୟସର ଅପରାହ୍‌ଣରେ ପହଞ୍ଚିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ସରକାର ତାଙ୍କୁ ଏହି ସମ୍ମାନ ଦେବେ ବୋଲି ଘୋଷଣା କରିଥିବାରୁ ସେ ବେଶ୍‌ ଖୁସି ବୋଲି କହିଛନ୍ତି। କଣ୍ଢେଇ ନୃତ୍ୟକୁ ପରବର୍ତ୍ତୀ ପିଢ଼ି ପାଇଁ ବଞ୍ଚାଇ ରଖିବାକୁ ହେଲେ ରାଜ୍ୟରେ ଏଥିପାଇଁ ଏକ ‌ଏକାଡେମି ଖୋଲାଯିବା ଦରକାର ବୋଲି ଶ୍ରୀ କୁଅଁର କହିଛନ୍ତି।