ରତ୍ନବେଦିରେ ମହାବାହୁ

ରସଗୋଲା‌ ଦେଇ ମହାଲକ୍ଷ୍ମୀଙ୍କ କଲେ ମାନଭଞ୍ଜନ

ପୁରୀ : ଜନ୍ମବେଦି ଓ ବଡ଼ଦାଣ୍ଡରେ ୧୩ ଦିନର ଲୀଳାଖେଳା ସାରି ନୀଳାଦ୍ରି ବିଜେ କରିଛନ୍ତି ଲୀଳାମୟ ଠାକୁର। ନବଦିନାତ୍ମକ ଘୋଷଯାତ୍ରାରୁ ବାହୁଡି ସିଂହଦ୍ୱାରରେ ଚାରିଦିନ ରଥାରୂଢ଼ ‌ପରେ ମହାବାହୁ ଆଜି ଆଷାଢ଼ ଶୁକ୍ଳ ଚଦୁର୍ଦ୍ଦଶୀ ତିଥିରେ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ ଆଉ ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲି ଝୁଲି ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ପହଣ୍ଡିବେଳେ ମହାଲକ୍ଷ୍ମୀଙ୍କ ରୋଷର ଶିକାର ହୋଇଛନ୍ତି ମହାବାହୁ। ଯେଉଁଥିପାଇଁ ସିଂହଦ୍ବାର ଓ ଜୟ-ବିଜୟ ଦ୍ବାରରେ ମହାବାହୁଙ୍କୁ ଅଟକିବାକୁ ପଡ଼ିଛି। ପରେ ରସଗୋଲା ଦେଇ ମାନଭଞ୍ଜନ କରି ରତ୍ନବେଦିକୁ ବିଜେ କରିଛନ୍ତି ମହାପ୍ରଭୁ। ଆଜି ସଅଳ ନୀତିକାନ୍ତି ଶେଷ ହୋଇଛି। ନିର୍ଘଣ୍ଟ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲେ ବି ଢେର ପୂର୍ବରୁ ପହଣ୍ଡି ଶେଷ ହୋଇଛି। ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି।

ନୀଳାଦ୍ରି ବିଜେ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ, ତିନି ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଶେଷ ପରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହୋଇଥିଲା। ପରେ ସକାଳ ଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା। ବେଶ ଶେଷ ପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ଗୋଟାଏରୁ ୩ଟା ୫୦ ଭିତରେ ତିନି ରଥରେ ଚାରବନ୍ଧା ଶେଷ ପରେ ୪ଟାରେ ସିଂହାସନ ମାଜଣା କରାଯାଇଥିଲା। ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟା ୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟାରୁ ୪ଟା ୨୫ ଭିତରେ ମଦନମୋହନ ଓ ରାମ-କୃଷ୍ଣଙ୍କ ପହଣ୍ଡି ‌ଶେଷ ପରେ ସାଢ଼େ ୪ଟାରେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଭୁ ସୁଦର୍ଶନ ପ୍ରଥମେ ରତ୍ନବେଦିକୁ ବିଜେ କରିଥିଲେ। ଅପରାହ୍ଣ ୫ଟା ୧୫ରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ରତ୍ନବେଦିରେ ବଡ଼ଠାକୁର ବିଜେ କରିବା ପରେ ଅପରାହ୍ଣ ୬ଟା ୪୫ରେ ମା’ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରା ରତ୍ନବେଦିରେ ବିଜେ କରିବା ପରେ ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ରାତି ସାଢ଼େ ୯ଟା ସୁଦ୍ଧା ରତ୍ନବେଦିରେ ବିଜେ କରିଥିଲେ ଶ୍ରୀଜିଉ। ୧୩ ଦିନ ବନ୍ଦ ପରେ ଆସନ୍ତାକାଲି ନୀଳାଚଳ ଅବଢ଼ା ମିଳିବ।

ସମ୍ବନ୍ଧିତ ଖବର