ପୁରୀ: ଜନ୍ମବେଦିରେ ଲୀଳା ସାରି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ବାହୁଡ଼ିଛନ୍ତି କାଳିଆ ସାଆନ୍ତ। ଆଜି ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଭକ୍ତଙ୍କ ମେଳରେ ଖରାବର୍ଷାର ଦିବ୍ୟଲୀଳା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଛନ୍ତି। ବଡ଼ଦାଣ୍ଡରେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଗହଣରେ ପୁଣି ଥରେ ଘର୍ଘର ନାଦ ଦେଇ ଗଡ଼ିଛି ତିନିରଥ। ଘଣ୍ଟ ଘଣ୍ଟାର ନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପୁଣିଥରେ ପ୍ରକମ୍ପିତ ହୋଇଛି ଚାରିଦିଗ। ରାତି ହୋଇଯିବାରୁ ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ଲଗାଇ ବଡ଼ଦାଣ୍ଡକୁ ଆଲୋକିତ କରି ରଥଟଣା ହୋଇଛି। ରାତି ୯ଟା ୧୫ ସୁଦ୍ଧା ତିନିରଥ ଆଜି ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି। ସେପଟେ ଆଜି ସଅଳ ପହଣ୍ଡି ଓ ରଥଟଣା ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟର ପ୍ରାୟ ୧ ଘଣ୍ଟା ଆଗରୁ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ଅଧଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଥିଲା। ଆସନ୍ତାକାଲି ସଂକ୍ରାନ୍ତି ଓ କ୍ଷୟ ପଡ଼ୁଥିବାରୁ ଚତୁର୍ଦ୍ଧାବିଗ୍ରହ ରଥାରୂଢ଼ ହୋଇରହିବେ। ଭକ୍ତଙ୍କୁ ରଥ ଉପରୁ ଦର୍ଶନ ଦେବେ। ଜୁଲାଇ ୧୭ରେ ସୁନାବେଶ, ଜୁଲାଇ ୧୮ରେ ଅଧରପଣା ନୀତି ଓ ଜୁଲାଇ ୧୯ରେ ନୀଳାଦ୍ରି ବିଜେ ନୀତି ପରେ ଚତୁର୍ଦ୍ଧାବିଗ୍ରହ ରତ୍ନ ସିଂହାସନକୁ ବିରାଜିବେ।
ରାତି ୯.୧୫ରେ ରଥଟଣା ଶେଷ
ରଥ ଟାଣିଲେ ୫ଲକ୍ଷରୁ ଅଧିକ ଭକ୍ତ
ଲାଇଟ୍ ଲଗାଇ ଟଣାହେଲା ରଥ
ତିନିରଥ ଆଜି ସିଂହଦ୍ବାରରେ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ସଂପନ୍ନ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ବାହୁଡ଼ାଯାତ୍ରା ପାଇଁ ଗତକାଲି କୋଠ ସୁଆଁସିଆମାନେ ଚାରବନ୍ଧା କାମ ଶେଷ କରିବା ପରେ ରାତିରେ ବାହୁଟକଣ୍ଟ, କୁସୁମଲାଗି ପାଇଁ ଦଇତାପତିମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ। ସେନାପଟା ଲାଗି ପରେ ଆଜି ସକାଳ ୭ଟା ୫୫ରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଶ୍ରୀଜିଉଙ୍କୁ ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ଲାଗି ପରେ ମଙ୍ଗଳାର୍ପଣ ହୋଇ ପୂର୍ବାହ୍ଣ ୧୦ଟା ୪୫ରେ ଚତୁର୍ଦ୍ଧାବିଗ୍ରହଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଶେଷ ହେବା ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀବିଗ୍ରହ ରଥରେ ବିଜେ ପୂର୍ବକ ମଧ୍ୟାହ୍ନ ୧୨ଟା ୫୫ରେ ପହଣ୍ଡି ଶେଷ ପରେ ଅପରାହ୍ଣ ୧ଟା ୫୦ରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ବେଶ ଶେଷ ହୋଇ ୨ଟା ୧୦ରେ ଛେରାପହଁରା ଆରମ୍ଭ ହୋଇଥିଲା। ଗଜପତି ମହାରାଜ ଶ୍ରୀନଅରରୁ ସ୍ବତନ୍ତ୍ର ମେହେଣାରେ ରଥ ନିକଟରେ ପହଞ୍ଚିବା ପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଆଳତି ସମର୍ପଣ ସହ ଚାମର ଓ ଆଲଟ ସେବା କରିଥିଲେ। ପରେ ଛେରାପହଁରା କରିଥିଲେ।
ପ୍ରଥମେ ତାଳଧ୍ବଜ ରଥ, ପରେ ନନ୍ଦିଘୋଷ ରଥ ଓ ଶେଷରେ ଦର୍ପଦଳନ ରଥରେ ସୁନାଝାଡ଼ୁରେ ଛେରାପହଁରା କରିଥିଲେ। ଅପରାହ୍ଣ ୩ଟା ୧୦ରେ ଛେରାପହଁରା ଶେଷ ପରେ ଚାରମାଳ ଫିଟା ହୋଇ ରଥରେ ଘୋଡ଼ା ଓ ସାରଥି ଲାଗିଥିଲା। ପ୍ରଥମେ ଅପରାହ୍ଣ ୩ଟା ୨୫ରେ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅପରାହ୍ଣ ୪ଟାରେ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୪ଟା ୧୫ରେ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟାସୁଦ୍ଧା ଦର୍ପଦଳନ ଓ ତାଳଧ୍ବଜ ରଥ ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲେ ବି ଲକ୍ଷ୍ମୀନାରାୟଣ ଭେଟ ନୀତି କାରଣରୁ ନନ୍ଦିଘୋଷ ରଥ ବିଳମ୍ବରେ ପହଞ୍ଚିଥିଲା। ରାତି ୯ଟା ୧୫ରେ ନନ୍ଦିଘୋଷ ରଥ ସିଂହଦ୍ବାର ଚକଡ଼ାରେ ପହଞ୍ଚିବା ପରେ ରଥଟଣା ଶେଷ ହୋଇଥିଲା।