ସମ୍ବଲପୁର: ଡେବ୍ରିଗଡ଼ରେ ପୁଣିଥରେ ଦେଖା ଦେଇଛି ମହାବଳ ବାଘ। ୪ ବର୍ଷ ତଳେ ଏଠାକୁ ଆସିଥିବା ପ୍ରଥମ ଓ ଏକମାତ୍ର ମହାବଳର ଶିକାର ଯୋଗୁଁ ଦୁର୍ନାମ ମୁଣ୍ଡାଇଥିବା ଡେବ୍ରିଗଡ଼କୁ ପୁଣି ଏକ ବାଘ ସ୍ବତଃ ଆପଣାଛାଏଁ ଆସିଛି। ଗତ ୧ ତାରିଖ ଗୁରୁବାର ସଂଧ୍ୟା ପ୍ରାୟ ୫ଟାବେଳେ ଏହି ବାଘଟି ଜିରୋ ପଏଣ୍ଟ ନିକଟସ୍ଥ ମୁଖ୍ୟ ଫାଟକ ଦେଇ ଡେବ୍ରିଗଡ଼ ଅଭୟାରଣ୍ୟକୁ ପ୍ରବେଶ କରିଥିଲା। ଆଖପାଖରେ ବନ ବିଭାଗ କର୍ମଚାରୀ, ସଫାରି ଗାଡ଼ି ଓ ପର୍ଯ୍ୟଟକ ଉପସ୍ଥିତ ଥିଲେ ଓ ସମସ୍ତେ ବାଘଟିକୁ ଦେଖିଥିଲେ। ବାଘଟି ବେଶ୍ କିଛି ସମୟ ଅଭୟାରଣ୍ୟର ମୁଖ୍ୟ ରାସ୍ତାରେ ଆରାମରେ ଚାଲିଚାଲି ଯିବା ପରେ ଜଙ୍ଗଲ ଭିତରକୁ ପଶି ଯାଇଥିଲା। ବନ କର୍ମଚାରୀ ଓ ପର୍ଯ୍ୟଟକମାନେ ବାଘଟିର ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ବାଘଟି ଅଭୟାରଣ୍ୟରେ ପୂର୍ବରୁ କେବେ ଦେଖାଯାଇ ନଥିବାରୁ ଛତିଶଗଡ଼ କିମ୍ବା ଅନ୍ୟ କୌଣସି ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି। ଏହା ଏକ ପୁରୁଷ ଯୁବ ମହାବଳ ବୋଲି ବନବିଭାଗ ଅନୁମାନ କରୁଛି।
ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବାଘର ଅଭୟାରଣ୍ୟ ପ୍ରବେଶ ମାତ୍ରେ ଡେବ୍ରିଗଡ଼ ଜଙ୍ଗଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ବଘଟିର ଗତିବିଧି ଉପରେ ବନବିଭାଗ ନଜର ରଖିଛି। ଅଭୟାରଣ୍ୟ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଆରମ୍ଭ କରାଯାଇଛି। ଗୁଇନ୍ଦା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି। ୨ଟି ଟାଇଗର ମନିଟରିଂ ୟୁନିଟ୍ ଗଠନ କରାଯାଇଛି। ଗୋଟିଏ ଅଭୟାରଣ୍ୟ ଭିତରେ ଏବଂ ଅନ୍ୟଟି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ସମ୍ବଲପୁରସ୍ଥିତ କାର୍ଯ୍ୟାଳୟରେ କାମ କରୁଛି। ଅଭୟାରଣ୍ୟ ମଧ୍ୟରେ ୧୨ଟି ପାଟ୍ରୋଲିଂ ୟୁନିଟ୍ ଦିନରାତି ଅହରହ ଗସ୍ତ କରୁଛନ୍ତି। ପ୍ରାଟ୍ରୋଲିଂ ଆପ୍ର ବ୍ୟବହାର କରାଯାଉଛି। ଯଦି ଅଭୟାରଣ୍ୟ ଭିତରେ କୌଣସି ବାହାର ବ୍ୟକ୍ତି ଦେଖାଯିବେ ତା’େହଲେ ତୁରନ୍ତ ଗିରଫ କରାଯିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ କହାଯାଇଛି।
ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ମୁତାବକ ୨୦୧୮ ପରଠାରୁ ଡେବ୍ରିଗଡ଼ରେ କେବେ ମହାବଳ ଦେଖିବାକୁ ମିଳି ନଥିଲା। ଏହି ମହାବଳଟି ନିଜ ପାଇଁ ସ୍ବତନ୍ତ୍ର ଅଞ୍ଚଳ ସଂଧାନରେ ଥିବା ଏକ ଯୁବ ପୁରୁଷ ବାଘ ଭଳି ମନେ ହେଉଛି। ଏହା ଡେବ୍ରିଗଡ଼ରେ ସ୍ଥାୟୀଭାବେ ରହିପାରେ ବା ନିଜ ଅଞ୍ଚଳ ସଂଧାନରେ ଆଉ କୌଣସି ସ୍ଥାନକୁ ଯାଇପାରେ। ଏହାର ନିରୀକ୍ଷଣ ଓ ସୁରକ୍ଷା ବନ ବିଭାଗ ପାଇଁ ଏକ ବଡ଼ ଦାୟିତ୍ବ। ଆମ ଅଞ୍ଚଳରେ ଥିବା ଯାଏ ତାକୁ ସୁରକ୍ଷା ଦେବାରେ ଆମେ କିଛି ବି ବାକି ରଖିବୁ ନାହିଁ। ବେଆଇନ୍ଭାବେ କେହି ବି ଡେବ୍ରିଗଡ଼ରେ ପ୍ରବେଶ କଲେ ତୁରନ୍ତ ଗିରଫ କରାଯିବ ବୋଲି ସେ କହିଛନ୍ତି। ସେହିପରି ବରଗଡ଼, ସମ୍ବଲପୁର ଜିଲ୍ଲାର ଓ ଡେବ୍ରିଗଡ଼ ଆଖପାଖ ଗ୍ରାମାଞ୍ଚଳର ସମସ୍ତ ସଂଦିଗ୍ଧ ଶିକାରୀଙ୍କ ଉପରେ ନଜର ରଖାଯାଉଛି। ବର୍ତ୍ତମାନ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ୧୦୦ରୁ ଅଧିକ କ୍ୟାମେରା ଲାଗିଛି। ବାଘକୁ ଠାବ କରି ନଜରରେ ରଖିବା ପାଇଁ ୧୨ଟି ଟିମ୍ ୨୪ ଘଣ୍ଟା କାମ କରୁଛି। ସଂଦିଗ୍ଧ ଅଞ୍ଚଳରେ ମେଟାଲ୍ ଡିଟେକ୍ଟର୍ର ବ୍ୟବସ୍ଥା କରାଯାଇଛି। ହୀରାକୁଦ ଜଳଭଣ୍ଡାର ତଟବର୍ତ୍ତୀ ଅଞ୍ଚଳରେ ବୋଟ୍ରେ ମଧ୍ୟ ପାଟ୍ରୋଲିଂ କରାଯାଉଥିବା ସୂଚନା ଦେଇଛନ୍ତି।
୪ ବର୍ଷ ତଳେ ହୋଇଥିଲା ହତ୍ୟାର ଶିକାର
୨୦୧୮ ମସିହାରେ ଏମିତି ଏକ ମହାବଳ ଚାଲି ଆସିଥିଲା ଡେବ୍ରିଗଡ଼କୁ ନିଜର ଘର କରିବା ପାଇଁ। ହେଲେ କିଏ ଜାଣିଥିଲା ଯେ ତାକୁ ତା’ର ମୃତ୍ୟୁ ସେଠାକୁ ଡାକି ଆଣିଥିଲା। ସେ ସମୟରେ ମହାବଳ ଡେବ୍ରିଗଡ଼ରେ ଦେଖାଯିବା ପରେ ବନ ବିଭାଗ ଯେମିତି ତତ୍ପରତା ଦେଖାଇବା କଥା ତାହା ଦେଖାଇଲା ନାହିଁ। ତତ୍କାଳୀନ ଡିଏଫ୍ଓ ବନ କର୍ମଚାରୀମାନେ ଉକ୍ତ ଜଙ୍ଗଲର ରାଜାକୁ ଆଦୌ ଗୁରୁତ୍ବ ଦେଲେ ନାହିଁ। ଫଳସ୍ବରୂପ ୨୦୧୮ ମସିହା ଅକ୍ଟୋବର ୧୩ ତାରିଖ ଦିନ ଅଭୟାରଣ୍ୟ ପାଖର କିଛି ଗ୍ରାମାଞ୍ଚଳ ଶିକାରୀ ଉକ୍ତ ମହାବଳ ବାଘକୁ ବାର୍ହା ଧରା ଫାଶରେ ଧରି ମାରି ଦେଇଥିଲେ। କେବଳ ମାରି ନଥିଲେ, ସେମାନେ ତା’ର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ନିଶ, ଦାନ୍ତ, ନଖ ଆଦି କାଟି ନେଇଥିଲେ। କିଛି ଦିନ ପରେ ପୁଣି ସେମାନେ ବାଘର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନଭିନ୍ନ ସ୍ଥାନରେ ପୋତି ଦେଇଥିଲେ।
ଡେବ୍ରିଗଡ଼ ଅଭୟାରଣ୍ୟର ବରଗଡ଼ ବନଖଣ୍ଡ ଅଧିକାରୀଙ୍କ ଅଞ୍ଚଳରେ ଏସବୁ କାଣ୍ଡ ଘଟିଥିଲାବେଳେ ବନ ବିଭାଗ ପାଖରେ ତା’ର ଟେର ବି ନଥିଲା। ହେଲେ ସ୍ବେଚ୍ଛାକୃତ ବନ୍ୟପ୍ରାଣୀ ୱାର୍ଡେନ୍ ତଥା ସ୍ନେକ୍ ହେଲ୍ପଲାଇନ୍ର ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇ ଡେବ୍ରିଗଡ଼ରେ ପହଞ୍ଚିଥିଲେ ଓ ବାଘର ମୃତଦେହ ଉଦ୍ଧାର ହୋଇଥିଲା। ପ୍ରଥମରୁ ବନ ବିଭାଗ ଏବଂ ସରକାର ଏହା ମହାବଳ ନୁହେଁ କଲରାପତରିଆ ବାଘର ଅବଶେଷ ବୋଲି ଫାଙ୍କିଥିଲେ। କିନ୍ତୁ ପରେ ତାହା ମହାବଳର ମୃତ ଶରୀର ବୋଲି ପ୍ରମାଣିତ ହୋଇଥିଲା। ୨୦୧୮ ନଭେମ୍ବର ମାସରେ ବନ ବିଭାଗ ମହାବଳ ହତ୍ୟା ଅଭିଯୋଗରେ ବରଗଡ଼ ଜିଲ୍ଲାର ୪ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ହେଲେ ସମଗ୍ର ପ୍ରସଂଗରେ ଚରମ ଅବହେଳା ପ୍ରଦର୍ଶନ କରିଥିବା ବନବିଭାଗ ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା।