ଆନନ୍ଦପୁର: କେନ୍ଦୁଝର ବନଖଣ୍ଡର ଘଟଗାଁ ରେଞ୍ଜ ଓ ଆନନ୍ଦପୁର ବନଖଣ୍ଡର ଦେଓଗାଁ ରେଞ୍ଜ ସୀମାରେ ମହାବଳ ବାଘ ଉପସ୍ଥିତି ଜଣାପଡ଼ିଛି। ସୀମାନ୍ତ ଜଙ୍ଗଲରେ ଏକ ମଇଁଷିକୁ ମହାବଳ ମାରି ଦେଇଥିବା ଜଣାପଡ଼ିଛି। ଏହାପରେ ଜଙ୍ଗଲ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଆଜି ଅପରାହ୍ଣରେ ଘଟଗାଁ ବନ ବିଭାଗ କର୍ମଚାରୀମାନେ କୋଳିମାଟି ପଞ୍ଚାୟତ ନୂଆପଡ଼ା ଜଙ୍ଗଲରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଏନେଇ ଦେଓଗାଁ ରେଞ୍ଜର ସୁରେନ୍ଦ୍ର କୁମାର ହେମ୍ବ୍ରମ କହିଛନ୍ତି, ରବିବାର ଏକ ମଇଁଷିକୁ ଜଙ୍ଗଲରେ ବାଘ ମାରିଥିବା ସମ୍ପର୍କରେ ସୂଚନା ମିଳିବା ପରେ ଗତକାଲି ବନ ବିଭାଗର ଏକ ଟିମ୍ ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି।
ଏହି ସ୍ଥାନଟି ଘଟଗାଁ ରେଞ୍ଜ ଅଧୀନରେ ଯାଉଥିବାରୁ ସେଠାକାର ବନ ବିଭାଗକୁ ଖବର ଦିଆଯାଇଛି। ନୂଆପଡ଼ା ଗ୍ରାମରେ ଲେଦା ମୁଣ୍ଡା ଓ ବିଳାସ ଭୁଇଁଜଙ୍କର ମଇଁଷି ଅଛି। ମରିଥିବା ମଇଁଷିଟି କାହାର ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ। ମହାବଳ ବାଘକୁ ନେଇ ନୂଆପଡ଼ା ଅଞ୍ଚଳର ଲୋକଙ୍କ ମଧ୍ୟରେ ଛନକା ପଶିଛି। ସନ୍ଧ୍ୟା ପରେ ଲୋକେ ଘରୁ ବାହାରୁ ନାହାନ୍ତି। ଲୋକେ ସତର୍କ ରହିବା ସହ ଗୃହପାଳିତ ପଶୁକୁ ଜଙ୍ଗଲକୁ ନ ଛାଡ଼ିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।