ଭୁବନେଶ୍ୱର: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଅଭୟାରଣ୍ୟ ଉପରେ ୨୪ ଘଣ୍ଟିଆ ନଜର ରହିବ। ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଶିକାର ଓ ବେଆଇନ ଗଛ କଟା ରୋକିବାକୁ ପ୍ରାଥମିକତା ଦିଆଯିବ। ଏଥିସହ ସାତକୋଶିଆ ଅଭୟାରଣ୍ୟକୁ ପୁଣିଥରେ ମହାବଳ ଫେରାଇ ଆଣିବାକୁ ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି ତାହା କିଭଳି ସଫଳ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ପ୍ରାରମ୍ଭିକ ଭାବେ ଜଙ୍ଗଲରେ ଭିତରେ ସ୍ବତନ୍ତ୍ର ଗାଡ଼ି ନିୟୋଜିତ କରାଯିବ। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ପକ୍ଷରୁ ଆଜି ୧୨ଟି ସ୍ବତନ୍ତ୍ର ଗାଡ଼ି ବନ ବିଭାଗକୁ ପ୍ରଦାନ କରାଯାଇଛି।

Advertisment

ଜଙ୍ଗଲ ଭିତରେ ପହରା କାର୍ଯ୍ୟରେ ବ୍ୟବହାର ପାଇଁ ସ୍ବତନ୍ତ୍ର ଭାବରେ ନିର୍ମିତ ଏହି ଗାଡ଼ିଗୁଡିକରେ ଅନେକ ଆଧୁନିକ ବ୍ୟବସ୍ଥା ରହିଛି। ଜିପିଏସ୍‌, ନାଭିଗେସନ ସମେତ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ବିଭିନ୍ନ ସରଞ୍ଜାମ ଏହି ଗାଡ଼ିଗୁଡ଼ିକରେ ଲାଗିଛି। ଶିକାରୀମାନଙ୍କ ଦୃଷ୍ଟିକୁ ଏଡ଼ାଇବା ପାଇଁ ଗାଡ଼ିଗୁଡିକୁ ବିଶେଷ ଭାବରେ ରଙ୍ଗ ଦିଆଯାଇଛି। ଜଙ୍ଗଲରେ ତୀକ୍ଷ୍ମ ଘାଟି ଓ କଷ୍ଟସାଧ୍ୟ ଅଞ୍ଚଳରେ ଚାଲିବାକୁ ଏହି ଗାଡ଼ିଗୁଡ଼ିକରେ ଆବଶ୍ୟକୀୟ ପରିବର୍ତ୍ତନ ମଧ୍ୟ ହୋଇଛି। ଅଧିକ ସୁରକ୍ଷା କର୍ମଚାରୀ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସମ୍ବେଦନଶୀଳ ଅଞ୍ଚଳରେ ଏହି ଗାଡ଼ିଗୁଡ଼ିକ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ‌ହେବ। ସାତକୋଶିଆରେ ନିୟୋଜିତ ହେବା ପୂର୍ବରୁ ଆଜି ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ, ଏମ୍‌ସିଏଲ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଗାଡ଼ିଗୁଡ଼ିକ ଲୋକାର୍ପିତ ହୋଇଛି।

କାର୍ଯ୍ୟକାରୀ ହେବ ବ୍ୟାଘ୍ର ପୁନରୁଦ୍ଧାର ଯୋଜନା
ଘୁମୁସର ମହାବଳ ଉପରେ ବନ ବିଭାଗର ନଜର

ଏହି ଅବସରରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଶ୍ରୀ ନନ୍ଦ କହିଛନ୍ତି ସାତକୋଶିଆ ଅଭୟାରଣ୍ୟକୁ ୧୨ରୁ ୧୪ଟି ମହାବଳ ଆଣିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ଏନ୍‌ଟିସିଏର ବ୍ୟାଘ୍ର ପୁନରୁଦ୍ଧାର ଯୋଜନା ଅନୁୟାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ସମୟ ମଧ୍ୟରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ଆସିବେ। ୨୦୦୭ ବାଘ ଗଣନା ସମୟରେ ସାତକୋଶିଆ ଅଭୟାରଣ୍ୟରେ ୧୩ରୁ ୧୫ଟି ମହାବଳ ରହିଥିଲେ। ମାତ୍ର ଏବେ ଅଭୟାରଣ୍ୟ ମହାବଳ ଶୂନ୍ୟ ହୋଇଯାଇଛି। ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୁଲ ବୁଝାମଣା ରହିଥିଲା। ତେବେ ଏହି ଯୋଜନା କେବଳ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ସଫଳ ହୋଇପାରିବ। ଅଭୟାରଣ୍ୟର କୋର୍‌ ଏରିଆ ଏବେ ଖାଲି ହୋଇଗଲାଣି। ଅନ୍ୟ ଅଞ୍ଚଳରୁ ଲୋକ ସ୍ବଇଚ୍ଛାରେ ସ୍ଥାନାନ୍ତର ହେଲେ ପ୍ରକଳ୍ପ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଘୁମୁସରରେ ପୁଣି ମହାବଳ ଦେଖାଯିବା ପ୍ରସଙ୍ଗରେ ପିସିସିଏଫ୍(ବନ୍ୟପ୍ରାଣୀ) ଶ୍ରୀ ନନ୍ଦ କହିଛନ୍ତି ‌ଯେ ମହାରାଷ୍ଟ୍ରରୁ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ଆସିଥିଲେ ମଧ୍ୟ କାହାର କୌଣସି କ୍ଷତି କରିନାହିଁ। ସ୍ୱତନ୍ତ୍ର ଟିମ୍‌ ମହାବଳର ଗତିବିଧି ଉପରେ ନଜର ରଖିଛନ୍ତି। ବାଘଟି ମହାରାଷ୍ଟ୍ରରୁ ଆସିବା ପରେ ପ୍ରଥମେ ପାରଳାଖେମୁଣ୍ଡି ଓ ଏବେ ଘୁମୁସର ବନଖଣ୍ଡରେ ରହିଛି। ବନ ବିଭାଗ ପକ୍ଷରୁ ତାକୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଛି। ଅନ୍ୟ ପ୍ରକଳ୍ପକୁ ସ୍ଥାନାନ୍ତର ଲାଗି ଯୋଜନା ରଖାଯାଇଥିବା ସେ କହିଛନ୍ତି।