ଭୁବନେଶ୍ୱର: କେନ୍ଦ୍ରୀୟ ଭାରତ ଲ୍ୟାଣ୍ଡସ୍କେସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ। ବାଘଙ୍କ ଗର୍ଜନରେ ପ୍ରକମ୍ପିତ ହେବ ଅନୁଗୁଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାକୁ ଲାଗିରହିଥିବା ଜଙ୍ଗଲ। ପ୍‌ ଅର୍ଥାତ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଜଙ୍ଗଲରୁ ବାଘ, ବାଘୁଣୀ ଆଣି ସାତକୋଶିଆରେ ଛାଡ଼ିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏ ନେଇ ବନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଅନୁମୋଦନ କରିଛନ୍ତି। ତେବେ ଅନୁମତି ଦେବା ସହ ୧୫ଟି ମଧ୍ୟ ସର୍ତ୍ତ ରଖିଛନ୍ତି। ଯେଉଁଥିରେ ବାଘଙ୍କ ସୁରକ୍ଷା, ଅଭୟାରଣ୍ୟ ଭିତରୁ ଜନବସତି ହଟାଇବା, ଜଙ୍ଗଲକୁ ଶିକାରୀମୁକ୍ତ, ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଲ୍ୟାଣ୍ଡସ୍କେପ୍‌ ସୃଷ୍ଟି, ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଉପଲବ୍ଧ ଉପରେ ଗୁରୁତ୍ବ ଦିଆଯାଇଛି।

Advertisment

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତା ବଜାୟ ରଖିବା ସହ ବାଘବଂଶ ବୃଦ୍ଧି କରିବାକୁ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ୫ ବର୍ଷିଆ ଯୋଜନା କରିଛି। ଯେଉଁଥିରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ପର୍ଯ୍ୟାୟକ୍ରମେ ୧୬ଟି ମହାବଳ ଆଣିବ। କେଉଁ ରାଜ୍ୟରୁ କେତୋଟି ବାଘ ଆସିବେ, ସେ ନେଇ ସ୍ଥିର ହୋଇନାହିଁ। ତେବେ ବାଘଙ୍କ ତୁଳନାରେ ବାଘୁଣୀଙ୍କ ସଂଖ୍ୟା ଅଧିକ ରହିବ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ବାଘୁଣୀ ଓ ଗୋଟିଏ ବାଘ ଅଣାଯିବ। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲର ବାଘମାନଙ୍କ ଜେନେଟିକ୍‌ ସହ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ରହୁଥିବାରୁ ସେଠାରୁ ବାଘ ଅଣାଯିବ। ତା’ ପୂର୍ବରୁ ଅଭୟାରଣ୍ୟ ନିକଟରେ ବସବାସ କରୁଥିବା ଲୋକ ଓ ଜନପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା ହେବ। ଉପଯୁକ୍ତ କ୍ଷତିପୂରଣ ସହ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥ‌ିବା ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଇତିମଧ୍ୟରେ କୋର୍‌ ଏରିଆରୁ ସମସ୍ତ ଜନବସତି ଖାଲି ହୋଇଛି। ବଫର୍‌ ଏରିଆରୁ ୬ଟି ଗାଁ ଖାଲି କରାଯାଇଛି। ବାକି ଥିବା ଆଉ କିଛି ଗାଁ ଖାଲି କରିବା ଦିଗରେ ପଦକ୍ଷେପ ନିଆଯାଉଛି।

ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ ସାତକୋଶିଆରେ ବା‌ଘବଂଶ ବୃଦ୍ଧି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି। ବ୍ୟାଘ୍ର ଅଭୟାରଣ୍ୟ ହୋଇଥିଲେ ମଧ୍ୟ ଏଠାରେ ଗୋଟିଏ ବାଘ ନ ଥିବା ଜଣାପଡ଼ିବା ପରେ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ ପୁଣିଥରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲୁ। ତାହାକୁ ଏନ୍‌ଟିସିଏ ଗ୍ରହଣ କରିବା ସହ ୭ ମାସ ଧରି ସେମାନଙ୍କର ଏକ ବୈଷୟିକ କମିଟି ସାତକୋଶିଆ ଅଭୟାରଣ୍ୟକୁ ଅନୁଧ୍ୟାନ କରୁଥିଲେ। ଏହି ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଯଥେଷ୍ଟ ସମ୍ଭାବନା ରହିଥିବା ସମ୍ପୃକ୍ତ କମିଟି ରିପୋର୍ଟ ଦେବା ପରେ ଏନ୍‌ଟିସିଏ ଅନୁମତି ଦେଇଛି। ପୂର୍ବଥର ଭଳି ଏଥର ଯେପରି ଗୋଟିଏ କିମ୍ବା ଦୁଇଟି ବାଘ ମରିବା ପରେ ପ୍ରକଳ୍ପ ବନ୍ଦ ନ ହୁଏ, ସେଥିପ୍ରତି ଗୁରୁତ୍ବ ଦେବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ସାତକୋଶିଆରେ ବାଘବଂଶ ବୃଦ୍ଧି କରିବାକୁ ୨୦୧୮ରେ ମଧ୍ୟପ୍ରଦେଶରୁ ଗୋଟିଏ ଲେଖାଏଁ ବାଘ, ବାଘୁଣୀ ଅଣାଯାଇଥିଲା। କାହ୍ନା ଅଭୟାରଣ୍ୟରୁ ମହାବଳ ‘ମହାବୀର’ ଓ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’ ଆସିଥିଲା। ତେବେ ଶିକାରୀଙ୍କ ପଞ୍ଝାରେ ପଡ଼ି ‘ମହାବୀର’ର ଜୀବନ ଯାଇଥିବା ବେଳେ ମଣିଷ ମାରିବା ଅଭିଯୋଗରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରାଯାଇଥିଲା। କିଛି ମାସ ଧରି ବନ୍ଦୀ ଜୀବନ କାଟିବା ପରେ ବାଘୁଣୀକୁ ପୁଣିଥରେ ମଧ୍ୟପ୍ରଦେଶ ଫେରାଇ ନିଆଯାଇଥିଲା। ସେବେଠାରୁ ବନ୍ଦ ରହିଥିବା ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା ଏବେ ପୁଣିଥରେ କାର୍ଯ୍ୟକାରୀ କରିବାକୁ ଏନ୍‌ଟିସିଏର ସବୁଜ ସଙ୍କେତ ମିଳିଛି।