ଦେଶରେ ବି ସୁରକ୍ଷିତ ନୁହନ୍ତି ମହାବଳ, ସାଢ଼େ ୫ ମାସରେ ୮୧ ମଲେଣି

ଭୁବନେଶ୍ବର : ସାଢ଼େ ୫ ମାସରେ ଦେଶରେ ୮୧ ମହାବଳ ମଲେଣି। ମଧ୍ୟପ୍ରଦେଶରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ମରୁଛନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବି ସ୍ଥିତି ସଙ୍ଗୀନ। ଓଡ଼ିଶାରେ ବି ଏହି ସମୟ ମଧ୍ୟରେ ଦୁଇଟି ମହାବଳଙ୍କ ଜୀବନ ଯାଇଛି। ୬୨ଟି ବାଘଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ୧୯ଟିକୁ ଶିକାର କରାଯାଇଛି। ବିଭିନ୍ନ ସ୍ଥାନରୁ ବାଘଛାଲ ବି ଜବତ ହୋଇଛି। ମହାବଳଙ୍କ ମୃତ୍ୟୁ ନେଇ ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ସୋସାଇଟି ଅଫ୍‌ ଇଣ୍ଡିଆ(ଡବ୍ଲୁଏଲ୍‌ପିଏସ୍‌) ପକ୍ଷରୁ ଜାରି ରିପୋର୍ଟରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି।

Tierpark Berlin

୨୦୨୧ରେ ୧୭୧ଟି ବାଘଙ୍କର ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ଏବେ ସୁଦ୍ଧା ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହାକୁ ଦେଖିଲେ ମହାବଳଙ୍କ ମୃତ୍ୟୁ ଏବର୍ଷ ସବୁ
ରେକର୍ଡ ଭାଙ୍ଗିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଆକଳନ କରିଛନ୍ତି। କେବଳ ମହାବଳ ମରୁ ନାହାନ୍ତି, କଲରାପତରିଆଙ୍କ ମୃତ୍ୟୁ ବି ଚିନ୍ତା ବଢ଼ାଇଛି। ଜାନୁଆରିରୁ ଏପର୍ଯ୍ୟନ୍ତ ୨୮୦ଟି କଲରାପତରିଆଙ୍କ ଜୀବନ ଯାଇଛି। ସେଥିମଧ୍ୟରୁ ୧୮୬ଟି ସ୍ବାଭାବିକ ଭାବେ ମରିଛନ୍ତି ଏବଂ ୯୪ଟି ଶିକାରୀଙ୍କ ପଞ୍ଝାରେ ପଡ଼ିଛନ୍ତି। ଅର୍ଥାତ୍‌ ଏବର୍ଷ ପ୍ରତି ମାସରେ ପାଖାପାଖି ୫୪ଟି ଲେଖା‌ଏଁ କଲରାପତରିଆଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରୁ ପାଖାପାଖି ୧୩ଟି କଲରାପତରିଆଙ୍କ ମୃତ୍ୟୁ ହେବା ନେଇ ଡବ୍ଲୁଏଲ୍‌ପିଏସ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Smithsonian Magazine

କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ଦ୍ୱାରା ପ୍ରଦତ୍ତ ତଥ୍ୟ କିନ୍ତୁ ମହାବଳଙ୍କ ମୃତ୍ୟୁ ନେଇ ଭିନ୍ନ କଥା କହୁଛି। ସାଢ଼େ ୫ ମାସରେ ୬୭ଟି ମହାବଳଙ୍କ ଜୀବନ ଯାଇଛି। ମଧ୍ୟପ୍ରଦେଶରେ ୨୩, ମହାରାଷ୍ଟ୍ରରେ ୧୪, କର୍ଣ୍ଣାଟକରେ ୧୦, ଆସାମରେ ୫, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ରାଜସ୍ଥାନରେ ୩ଟି ଲେଖାଏଁ ମରିଛନ୍ତି। ଓଡ଼ିଶା ସମେତ ବିହାର, ଛତିଶଗଡ଼ରେ ଗୋଟିଏ ଲେଖାଏଁ ମହାବଳଙ୍କ ମୃତ୍ୟୁ ହୋଇଛି। ଅଭୟାରଣ୍ୟ ଭିତରେ ୪୦ଟି ମହାବଳଙ୍କ ଜୀବନ ଯାଇଥିବା ବେଳେ ବାକି ୨୭ଟି ଅଭୟାରଣ୍ୟ ବାହାରେ ମରିଛନ୍ତି। କେବଳ ଏହି ବର୍ଷ ନୁହେଁ, ଗତ ୮ ବର୍ଷ ମଧ୍ୟରେ ଅଭୟାରଣ୍ୟ ଭିତରେ ବହୁ ମହାବଳଙ୍କ ମୃତ୍ୟୁ ଘଟିଛି। ୨୦୧୨ରୁ ୨୦୨୦ ମଧ୍ୟରେ ଅଭୟାରଣ୍ୟ ଭିତରେ ୫୫.୭୮%, ଅଭୟାରଣ୍ୟ ବାହାରେ ୩୧.୬୨% ଓ ୧୨.୬୦% ବାଘଙ୍କ ଚମଡ଼ା ଜବତ କରାଯାଇଛି। ୨୦୨୨ରେ ୧୪ଟି ଶାବକଙ୍କର ମୃତ୍ୟୁ ଅଧିକ ଚିନ୍ତା ବଢ଼ାଇଛି।

ଓଡ଼ିଶା ସମ୍ପର୍କରେ ଏନ୍‌ଟିସିଏ ଯେଉଁ ତଥ୍ୟ ଦେଇଛି, ତାହାକୁ ଅନୁଧ୍ୟାନ କଲେ ଏବର୍ଷ ଗୋଟିଏ ମହାବଳ ମରିଛି। ବାରିପଦା ସର୍କଲ କେନ୍ଦୁଝର ବନଖଣ୍ଡର ବ୍ରାହ୍ମଣୀପାଳ ରେଞ୍ଜରେ ଗତ ମେ’ ୧୯ ତାରିଖରେ ବୟସ୍କ ମହାବଳର ମୃତ୍ୟୁ ଘଟଛି। ଏହି ଅଞ୍ଚଳ ଅଭୟାରଣ୍ୟ ବାହାରେ ଆସୁଛି। ୨୦୧୨ରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ମରିଥିବା ୮ଟି ମହାବଳଙ୍କ ମଧ୍ୟରୁ ଅଧା କେବଳ ଶିମିଳିପାଳ ଅଭୟାରଣ୍ୟରେ। ଏଠାରେ ୪ଟି ମହାବଳଙ୍କ ଜୀବନ ଯାଇଥିବା ବେ‌ଳେ ସାତକୋଶିଆରେ ଗୋଟିଏ ମରିଛି। ବାକି ୩ଟି ଅଭୟାରଣ୍ୟ ବାହାରେ ମରିଥିବା ନେଇ ଏନ୍‌ଟିସିଏ ପକ୍ଷରୁ କୁହାଯାଇଛି।

ଏନ୍‌ଟିସିଏ ସୂଚନା‌ ଅନୁଯାୟୀ, ୨୦୧୨ରେ ଦେଶରେ ୮୮ଟି, ୨୦୧୩ରେ ୬୮, ୨୦୧୪ରେ ୭୯, ୨୦୧୫ରେ ୮୨ଟି ମହାବଳଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପ୍ରତିବର୍ଷ ମହାବଳଙ୍କ ମୃତ୍ୟୁ ହାର ଶହେ ତଳକୁ ଖସିନି। ୨୦୧୬ରେ ୧୨୧, ୨୦୧୭ରେ ୧୧୬, ୨୦୧୮ରେ ୧୦୨, ୨୦୧୯ରେ ୯୫ ଓ ୨୦୨୦ରେ ୧୦୬ଟି ବାଘଙ୍କର ମୃତ୍ୟୁ ହୋଇଛି। ୨୦୨୧ରେ ଦେଶରେ ୧୨୭ ବାଘଙ୍କ ମୃତ୍ୟୁ ହୋଇଛି। ଅର୍ଥାତ ୨୦୧୨ରୁ ୨୦୨୧ ମଧ୍ୟରେ ଦେଶରେ ୯୮୪ଟି ବାଘଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ଥିବା ବେଳେ ତା’ ତଳକୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ତାମିଲନାଡ଼ୁ, ଆସାମ ଆଦି ରହିଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ୭ଟି ବାଘଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର