ପଶ୍ଚିମ ଓଡ଼ିଶାରେ ‘ମହାବନ୍ଦ’

ସମ୍ବଲପୁର : କୋଶଲ ରାଏଜ୍ ମୁକ୍ତିମୋର୍ଚ୍ଚା ତରଫରୁ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆ ଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଏହାର ଭିନ୍ନଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ମଧ୍ୟରୁ ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲା ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ମିଶ୍ର ପ୍ରଭାବ ଦେଖିବାକୁ ମିଳିଥିଲା। ଦେବଗଡ଼, ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ବନ୍ଦ ପ୍ରଭାବଶୂନ୍ୟ ରହିଥିଲା। ସମ୍ବଲପୁର ଜିଲ୍ଲାରେ ସବୁ ଖୋଲା ଓ ସ୍ବାଭାବିକ ରହିଥିଲା। ଓଲଟା ବନ୍ଦ ଡାକରାକୁ ବିରୋଧ କରି ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରଦର୍ଶନ କରିଥିଲେ ଓ ଜୀବନଯାତ୍ରା ସ୍ବାଭାବିକ ଭାବେ ଜାରି ରଖିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। କୋଶଳ ନାମରେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଆନ୍ଦୋଳନକାରୀ ଦାବି କରୁଥିବାବେଳେ ସମ୍ବଲପୁରରେ ଏହି ନାମକୁ ଅଗ୍ରାହ୍ୟ କରି ବନ୍ଦକୁ ବିରୋଧ କରାଯାଇଥିଲା। ଅଧିକାଂଶ ସ୍ଥାନରେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା ବେଳେ କେଉଁଠି କେଉଁଠି ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ବରଗଡ଼ ଜିଲ୍ଲାର ପଦ୍ମପୁରଠାରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଥିବାରୁ ଆନ୍ଦୋଳନକାରୀମାନେ ଭିତରେ ପଶି ପାଟିତୁଣ୍ଡ କରିଥିଲେ। ସେମାନେ ଡିଏଫ୍‌ଓଙ୍କୁ ଠେଲାପେଲା କରି କାର୍ଯ୍ୟାଳୟ ଭିତରେ ତାଲା ପକାଇବାକୁ ଉଦ୍ୟମ କରିଥିଲେ।

ବଲାଙ୍ଗୀରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, କୋର୍ଟ, ଡାକଘର, ବୀମା କାର୍ଯ୍ୟାଳୟ, ଦୋକାନବଜାର, ସ୍କୁଲ୍‌, କଲେଜ୍‌, ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଜିଲ୍ଲାର ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି ସହର ସମେତ ସବୁ ଅଞ୍ଚଳରେ ବନ୍ଦର ପ୍ରଭାବ ରହିଥିଲା। ବରଗଡ଼ ଜିଲ୍ଲାରେ ବନ୍ଦର ପୂର୍ଣ୍ଣ ପ୍ରଭାବ ରହିଥିଲା ଓ ୧୨ ଘଣ୍ଟା ଧରି ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ସ୍କୁଲ୍, କଲେଜ୍, ସରକାରୀ କାର୍ଯ୍ୟାଳୟ, ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବି ଠପ୍‌ ହୋଇ ଯାଇଥିଲା। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ଜୁନାଗଡ ଓ ଧର୍ମଗଡ ସହର ସମେତ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ରହିଥିଲା। ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ରାସ୍ତା ଅବରୋଧ ଯୋଗୁଁ ସହରାଞ୍ଚଳରେ ଯାନବାହାନ ଚଳାଚଳ ଠପ୍‌ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସମେତ ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହୋଇଥିଲା। ଯାନବାହନ ଚଳାଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବ୍ୟାଙ୍କ ସବୁ ବନ୍ଦ ରହିଥିଲା। ବିଭିନ୍ନ ସ୍ଥାନରେ ଶତାଧିକ ଯାନବାହନ ଅଟକି ରହିଥିଲା।

ସମ୍ବଲପୁର ସହରରେ ହାତଗଣତି ସଂଗଠନ ବନ୍ଦକୁ ସମର୍ଥନ କରୁଥିବାବେଳେ ଅଧିକାଂଶ ସଂଗଠନ ସମ୍ବଲପୁରୀ ଭାଷା ସଂସ୍କୃତିର କୋଶଳୀକରଣ ପ୍ରତିବାଦରେ ଏହି ବନ୍ଦକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ସବୁ କିଛି ଖୋଲା ରଖିବାକୁ ପୂର୍ବରୁ ଡାକରା ଦେଇଥିଲେ, ଯାହାକୁ ଲୋକେ ଗ୍ରହଣ କରିଥିଲେ। ଫଳରେ ସମସ୍ତ ସ୍କୁଲ୍, କଲେଜ୍‌, କାର୍ଯ୍ୟାଳୟ, ଦୋକାନ, ବଜାର ଆଦି ସଂପୂର୍ଣ୍ଣ ଖୋଲା ରହିଥିଲା। ବନ୍ଦକୁ ବିରୋଧ କରି ‘ସବୁଖୋଲା, ସବୁମେଲା’ର ‌ବ୍ୟାନର୍‌ ଧରି ବିଭିନ୍ନ ସଂଗଠନର କର୍ମକର୍ତ୍ତା ରେଳ ଷ୍ଟେସନ୍, ଲକ୍ଷ୍ମୀ ଟକିଜ୍, କଚେରି ଆଦି ଅଞ୍ଚଳରେ ପ୍ରଦର୍ଶନ କରିଥିଲେ। ସମ୍ବଲପୁରରେ ବନ୍ଦ ସପକ୍ଷବାଦୀଙ୍କ ରାସ୍ତାରେ ଉପସ୍ଥିତି ଦେଖିବାକୁ ମିଳି ନଥିଲେ ବି ଉଭୟ ପକ୍ଷ ସାମାଜିକ ଗଣମାଧ୍ୟମରେ ପରସ୍ପର ପ୍ରତି ଆକ୍ଷେପ ପ୍ରତିଆକ୍ଷେପ କରୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର