ଭେଳାରେ ଭସାଇଲୁ, ଜୀବନ ଧରି ଫେରିବ!

ମହାକାଳପଡ଼ା : ‘କଦଳୀ ଭେଳାରେ ଭସାଇ ଦେଉଛୁ, ପୁଣି ଜୀବନ ଧରି ଫେରିଆସିବ।’ ଏହିଭଳି କହି କାନ୍ଦିକାନ୍ଦି ୮ ବର୍ଷର ଝିଅକୁ ବିଦାୟ ଦେଉଥିଲେ ପରିବାର ଓ ଗାଁ ଲୋକ। ଏହା ଅନ୍ଧବିଶ୍ବାସ ହୋଇପାରେ ହେଲେ ସେମାନଙ୍କ ପାଇଁ ପରମ୍ପରା। ଏହି ପରମ୍ପରାର ଅଜବ ନିଦର୍ଶନ ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ଖରିନାସୀରେ।

ମୃତକ ହେଲେ, ଖରିନାସୀ ପଞ୍ଚାୟତ ୭ ନମ୍ବର ୱାର୍ଡର ଶ୍ରୀଦାମ ଦାସଙ୍କ ୮ ବର୍ଷର ଝିଅ ପ୍ରିୟା। ବୁଧବାର ବିଳମ୍ବିତ ରାତିରେ ପ୍ରିୟାଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁବାର ଭୋର ସମୟରେ ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ କଦଳୀ ଭେଳାରେ ନୂତନ ବସ୍ତ୍ର ପିନ୍ଧାଇ ଶୁଆଇ ଦେଇଥିଲେ। ମାଶାରୀ ଟାଙ୍ଗି ଦେଇଥିଲେ। ସେଥିରେ କିଛି ଖାଦ୍ୟ ଓ ବସ୍ତ୍ର ମଧ୍ୟ ରଖିଥିଲେ। ଏହାଛଡ଼ା ଶିଶୁକନ୍ୟାର ଆଧାର କାର୍ଡ ଓ ପରିବାରର ଟେଲିଫୋନ ନମ୍ବର ମଧ୍ୟ ରଖି ଦେଇଥିଲେ। ଶତାଧିକ ମହିଳା ଓ ପୁରୁଷ ରୁଣ୍ଡ ହୋଇ ହୁଳହୁଳି ଓ ହରିବୋଲ ପକାଇ ମୃତଦେହକୁ ସମୁଦ୍ର ମୁହାଣ ନିକଟରେ କଦଳୀ ଭେଳାରେ ବିଦାୟ ଦେଇଥିଲେ।

ଏପରି କରିବା ଦ୍ବାରା ମୃତ ଶିଶୁଟି ପୁଣି ଜୀବିତ ହୋଇ ଫେରି ଆସିବ ବୋଲି ସେମାନଙ୍କ ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର