ମହାକାଳପଡ଼ା ହାଜତ ମୃତ୍ୟୁ ଘଟଣା : ଜିଲ୍ଲାପାଳ-ଏସ୍‌ପିଙ୍କୁ ଏନ୍ଏଚ୍‌ଆର୍‌ସିଙ୍କ ନିର୍ଦେଶ ୨୮ ସୁଦ୍ଧା ରିପୋର୍ଟ ନଦେଲେ ଜୁଲାଇ ୫ରେ ହାଜର

କେନ୍ଦ୍ରାପଡ଼ା : ମହାକାଳପଡ଼ା ଥାନା ହାଜତ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିସନ୍‌(ଏନଏଚଆର୍‌ସି) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚରମ ବାଣୀ ଶୁଣାଇଛନ୍ତି। ଏକାଧିକବାର ନୋଟିସ୍‌ ସତ୍ତ୍ବେ ଏ ସମ୍ପର୍କିତ ଦସ୍ତାବିଜ୍‌ କମିସନ୍‌ଙ୍କ କୋର୍ଟରେ ଦାଖଲ କରାଯାଉ ନ ଥିବାରୁ ଆସନ୍ତା ୨୮ ତାରିଖ ସୁଦ୍ଧା ଅବିନାଶ ପାଇଟାଳ ଓରଫ ମୂଷା ମୃତ୍ୟୁର ସମସ୍ତ ତଦନ୍ତ ପ୍ରମାଣପତ୍ର କୋର୍ଟରେ ହାଜର କରିବାକୁ କମିସନ୍‌ ନିର୍ଦେଶ ଦେଇଛନ୍ତି। ତାହା ନ କଲେ ଜୁଲାଇ ୫ ତାରିଖରେ ଜିଲ୍ଲାପାଳ ଓ ଏସ୍‌ପି ବ୍ୟକ୍ତିଗତ ହାଜର‌୍‌ ହେବାକୁ ମାନବାଧିକାର କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉ କି, ମହାକାଳପଡ଼ା ପୁଲିସ ହେପାଜତରୁ ଖସି ଯାଇଥିବା ମାର୍ଶାଘାଇ ଥାନା ବାଲଣା ଗ୍ରାମର ଅଭିଯୁକ୍ତ ଅବିନାଶ ପାଇଟାଳ ଓରଫ ମୂଷାଙ୍କ ମୃତଦେହ ଗତବର୍ଷ ଅଗଷ୍ଟ ୨୫ ତାରିଖରେ ଝୁଲନ୍ତା ଅବସ୍ଥାରେ ଥାନାଠାରୁ ମାତ୍ର କେଇ ହାତ ଦୂର ଏକ ନିର୍ମାଣାଧୀନ ଘରୁ ଉଦ୍ଧାର କରାଯାଇଥିଲା। ତେବେ, ପୁଲିସ ଅବିନାଶଙ୍କୁ ହାଜତ ଭିତରେ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଥିଲା। ପ୍ରମାଣ ନଷ୍ଟ କରିବାକୁ ଯାଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ପୁଲିସ ଉଦ୍ୟମ କରିଥିଲା ବୋଲି ଅବିନାଶଙ୍କ ପରିବାର ଏତଲା ଦେଇଥିଲେ। ଏହି ଘଟଣାରେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା। ଘଟଣାର ନିରପେକ୍ଷ ତଦନ୍ତ ଏବ˚ ପୀଡ଼ିତ ପରିବାରକୁ ଉଚିତ କ୍ଷତିପୂରଣ ଦାବି କରି ମାନବାଧିକାର କର୍ମୀ ସଚ୍ଚିନ୍ଦ୍ର କୁମାର ସାହୁ ଓ ‘କ୍ୟାମ୍ପେନ ଏଗନେଷ୍ଟ ଟର୍ଚର’ ତରଫରୁ ତରପରୁ ଧନ୍ନା କୁମାର ଏନ୍‌ଏଚ୍‌ଆରସିଙ୍କ ନିକଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର