ଫିଟୁଛି ମହାକାଳପଡ଼ା ଜମି ଦୁର୍ନୀତି ଗୁମର: କୁବେର ସ˚ପତ୍ତିର ମାଲିକ ଏଠି ଭୂମିହୀନ

ଧନୀକ ଗୋଷ୍ଠୀଙ୍କୁ ଦିଆଯାଇଛି ସରକାରୀ ଅନୁକମ୍ଫା
ପୂର୍ବତନ ଜିଲ୍ଲା ପରିଷଦ ଓ ସରପଞ୍ଚଙ୍କୁ ମିଳିଛି ଜଙ୍ଗଲ ଜମି

କେନ୍ଦ୍ରାପଡ଼ା : କାହାର ପାଞ୍ଚ ଏକରରୁ ଅଧିକ ସ˚ପତ୍ତି ଅଛି ତ କାହାର ଦୁଇମହଲା ଘର, ପାଣି କାରଖାନା, ଗ୍ରିଲ ଦୋକାନ। ପୁଣି କାହାର ଦୁଇଏକରରୁ ଅଧିକ ଜମି ସା˚ଗକୁ ଦୁଇମହଲା ଘର, ସିମେଣ୍ଟ-ଗୋଡ଼ି ଦୋକାନ, କାର‌୍‌, ମାଛ ପୋଖରୀ, ମାଳମାଳ ବାଇକ୍‌… ଏମିତି କେତେ କଣ। ସ୍ଥାବର-ଅସ୍ଥାବର ସ˚ପତ୍ତିର ଅଭାବ ନାହିଁ। ଅଥଚ,  ସରକାରୀ ରେକର୍ଡରେ ଏହି ବିତ୍ତଶାଳୀ ଲୋକଙ୍କୁ ଦର୍ଶାଯାଇଛି ଭୂମିହୀନ। କେବଳ ଭୂମିହୀନ ଦର୍ଶାଯାଇଛି ତା’ ନୁହେଁ, କାହାକୁ ୧୦ଡିମିମିଲ୍‌ ସରକାରୀ ଜମି ତ କାହାକୁ ଚଞ୍ଚକତା ପୂର୍ବକ ୩୨ଡିସିମିଲ୍‌ ଜମି ଟେକି ଦିଆଯାଇଛି। ନିଜ ପରିବାରରେ ଏକର ଏକର ସ˚ପତ୍ତି ଥିବା ସତ୍ତ୍ବେ ଏହି ସରକାରୀ ଜମି ହାତେଇଥିବା ୬ ଅଯୋଗ୍ୟ ହିତାଧିକାରୀ ଏବ˚ ସବୁ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇଥିବା ଦୁଇ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ବହୁ ଚର୍ଚ୍ଚିତ ମହାକାଳପଡ଼ା ଜମି କେଳେଙ୍କାରୀ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମହାକାଳପଡ଼ା ଥାନାରେ ମୋଟ ୮ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ତତ୍କାଳୀନ ତହସିଲଦାର ବିଷ୍ଣୁଚରଣ ରାଉତ ଓ ଆର‌ଆଇ ଶିବ ସ୍ବାଇଁଙ୍କ ବ୍ୟତୀତ ଅନ୍ୟ ଯେଉଁ ୬ଜଣ ରାମନଗର ଅ˚ଚଳର ଅଜୟ ଦେବନାଥ, ସୁନୀତା ଦେବନାଥ, ଗଣେଶ ବାଛଡ଼, କାକୁଳି ବାଛଡ଼, ଅମିତ ଦେବନାଥ ଓ ମିଲନ ଦେବନାଥଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେମାନଙ୍କ ପରିବାରର ପୃଷ୍ଠଭୂମିକୁ ଖୋଳତାଡ଼ କରାଯିବା ପରେ ଆସିଥିବା ତଥ୍ୟ ଅତି ଚକିତ କଲା ଭଳି। ଏହି ୬ ଅଭିଯୁକ୍ତ ସ˚ପର୍କରେ ହେଉଛନ୍ତି ସ୍ବାମୀ-ସ୍ତ୍ରୀ ଏବ˚ ବାପ-ପୁଅ।

ହାଣ୍ତିରୁ ଗୋଟିଏ ଭାତ ଚିପିବା ଭଳି ଯଦି ଏହି ବାପ-ପୁଅଙ୍କ ଘଟଣାକୁ ଉଦାହରଣ ଭାବେ ନେବା, ତେବେ ମହାକାଳପଡ଼ା ତହସିଲ୍‌ ଅଧୀନରେ ହୋଇଥିବା ଜମି କେଳେଙ୍କାରୀର ଆକାର କେତେ ବିଶାଳ, ତାହା ସହଜେ ଅନୁମେୟ। ମିଲନ୍‌ ଦେବନାଥଙ୍କ ଘଟଣାକୁ ପ୍ରଥମେ ବିଚାରକୁ ନିଆଯାଉ। ସେ ପୂର୍ବତନ ରାମନଗର ସରପ˚ଚ ସମେତ ୨୩ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଥିଲେ। ତାଙ୍କର ୫ଏକରରୁ ଅଧିକ ସ˚ପତ୍ତି ଥିବାବେଳେ ଦୁଇମହଲା କୋଠା ଘର, ରଡ-ସିମେଣ୍ଟ୍‌ ଦୋକାନ ଅଛି। କାର‌୍‌ ଚଢ଼ନ୍ତି। ଏହା ସତ୍ତ୍ବେ ଚଞ୍ଚକତା କରାଯାଇ ୩୨ଏକର ଜ˚ଗଲ କିସମର ଜମି ପ୍ରଦାନ କରାଯାଇଛି। ଏହାପରେ ପୁଅ ଅମିତ୍‌ଙ୍କୁ ବି ୧୦ଡିସିମିଲ୍‌ ଜମି ଦିଆଯାଇଛି। ତାହା ପୁଣି ନଦୀ କିସମର। କୋଟିଏରୁ ଅଧିକ ସ˚ପତ୍ତିର ମାଲିକ ଥିବା ଏହି ଦେବନାଥ ବାପ-ପୁଅଙ୍କୁ କାଗଜପତ୍ରରେ ଭୂମିହୀନ ସଜାଯାଇ ୪୨ଡିସିମିଲ୍‌ ଜ˚ଗଲ ଓ ନଦୀ କିସମର ସରକାରୀ ଜମି ଦିଆଯାଇଥିବା, ଯାହାକି ସ˚ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଅନ୍ୟତମ ଅଭିଯୁକ୍ତ ଅଜୟ ଦେବନାଥଙ୍କ କ୍ଷେତ୍ରରେ ବି ସମାନ ବେନିୟମ କାର୍ଯ୍ୟ ହୋଇଛି।

ଜଗତସି˚ହପୁର ବସୁନ୍ଧରା ଯୋଜନାରେ ଜମି କେଳେଙ୍କାରୀ ଘଟଣାରେ ଯେତେବେଳେ ତହସିଲଦାର, ଆର‌ଆଇଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇପାରୁଛି, ମହାକାଳପଡ଼ା କ୍ଷେତ୍ରରେ ସମାନ ନ୍ୟାୟରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର