କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ମହାକାଳପଡ଼ା ଜଙ୍ଗଲ ଜମି ଦୁର୍ନୀତି ମାମଲା ନୂଆ ମୋଡ଼ ନେଇଛି। ୨୫ ଏକର ଜମି ଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଭୂମିହୀନ ପଟ୍ଟା ଦିଆଯାଇଛି। ନିଜେ ତହସିଲଦାର ଏକଥା ସ୍ବୀକାର କରିଛନ୍ତି। ସତ୍ୟପାଠ ଦେଇ ହାଇକୋର୍ଟରେ ତହସିଲଦାର ଏହା ସ୍ବୀକାର କରିବା ସହିତ ଦାଖଲଖାରଜ ମାମଲାକୁ ଖାରଜ କରାଯାଇଥିବା ଜଣାଇଛନ୍ତି। କିନ୍ତୁ ଏବେ ବି ଜମି ବ୍ୟକ୍ତିଗତ ମାଲିକାନାରେ ଥିବା ଅନ୍‌ଲାଇନ୍‌ରେ ଦେଖାଉଛି। ଉକ୍ତ ଜମି ସରକାରୀ ଖାତାକୁ ଏଯାଏ ଫେରିନାହିଁ। ସତ୍ୟପାଠ ଦାଖଲକୁ ଦୁଇ ମାସରୁ ଅଧିକ ଦିନ ପୂରିଯାଇଥିଲେ ବି ତହସିଲଦାର ଏ ଦିଗରେ କୌଣସି ପଦକ୍ଷେପ ନ ନେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ମହାକାଳପଡ଼ା ତହସିଲ୍‌ କର୍ତ୍ତୃପକ୍ଷ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ଖରିନାସୀ ମୌଜାର ଅଚଳାଚଳ ସ˚ପତ୍ତିର ମାଲିକ ଥିବା ସନ୍ନ୍ୟାସୀ ଦେବନାଥଙ୍କ ପୁଅ ଅଜୟ ଓ ବୋହୂ ସୋନିତାଙ୍କୁ ଭୂମିହୀନ ଦର୍ଶାଇ ସ୍ଥିତିବାନ୍‌ ପଟ୍ଟା ପ୍ରଦାନ କରିଥିଲେ। ଖରିନାସୀ ମୌଜାର ଖାତା ନମ୍ବର ୬୮, ପ୍ଲଟ୍‌ ନମ୍ବର ୫୧୦/୧୪୧୩ରେ ଥିବା ୨.୧୫ଏକର ଜଙ୍ଗଲ କିସମ ଜମିରୁ ୧୦ ଡିସିମିଲ୍‌ ବା ଅଢେ଼ଇ ଗୁଣ୍ଠ ଜମି ଅଜୟଙ୍କୁ ପ୍ରଦାନ କରାଯାଇଥିଲା। ଏହି ଜମି ପାଇବା ପରେ ଅଜୟ ସେଥିରେ ଦୋକାନ ଘର ନିର୍ମାଣ କରିବା ସହିତ ନିଜେ ଲେଦ୍‌ ବ୍ୟବସାୟ ଚଳାଇ ଅନ୍ୟ ଘରଗୁଡ଼ିକୁ ଭଡ଼ାରେ ଲଗାଇ ଦେଇଥିଲେ। ଏ ସ˚କ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଅଜୟ  ଆର୍ଥିକ ସ୍ବଚ୍ଛଳ ବର୍ଗର ହୋଇଥିବା ବେଳେ ତାଙ୍କୁ ଭୂମିହୀନ ପଟ୍ଟା ମିଳିଥିବା ନେଇ ରାମନଗର ଅଞ୍ଚଳର ଅମିତାଭ ଚାନ୍ଦ ଓ ନରୋତ୍ତମ ଦେବନାଥ ମହାକାଳପଡ଼ା ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

Advertisment

ଅଯୋଗ୍ୟଙ୍କୁ ମିଳିଛି ଭୂମିହୀନ ପଟ୍ଟା

୨୫ ଏକର ଜମି ଥିବା ପରିବାର ହାତେଇଛନ୍ତି ଜଙ୍ଗଲ ଜମି

ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅଭିଯୋଗକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନରେ ଦର୍ଶାଇଥିଲେ ଯେ ସନ୍ନ୍ୟାସୀ, ତାଙ୍କ ଭାଇ, ପୁଅ ଏବ˚ ପୁତୁରାଙ୍କ ନାଁରେ ରାମନଗର, ଖରିନାସୀ ସମେତ କୁଜଙ୍ଗ ତହସିଲର ବଗଦିଆ, ଜଟଣୀ ତହସିଲର ପାଣ୍ତିଆବିଲ ଆଦି ମୌଜାରେ ୨୫ଏକରରୁ ଅଧିକ ସ˚ପତ୍ତି ରହିଛି। ସ୍ଥିତିବାନ୍‌ ସ˚ପତ୍ତି ରହିଥିବାରୁ ନିୟମ ଅନୁଯାୟୀ ଭୂମିହୀନ ପଟ୍ଟା ମିଳିପାରିବ ନାହିଁ। ପୁଣି ଜଙ୍ଗଲ ଜମି ହେଇଥିବାରୁ ଆଦୌ କିସମ ପରିବର୍ତ୍ତନ ହେବା କଥା ନୁହେଁ। କିନ୍ତୁ କୋଟିକୋଟି ଟଙ୍କା ସ˚ପତ୍ତିର ମାଲିକ ଥିବା ଦେବନାଥ ପରିବାରକୁ ଭୂମିହୀନ ପଟ୍ଟା ଦିଆଯାଇ ସରକାରୀ ନିୟମର ଖୋଲା ଉଲ୍ଲ˚ଘନ କରାଯାଇଥିବା ଦର୍ଶାଯାଇଥିଲା। ଅଦାଲତ ମାମଲାର ବିଚାର କରି ୨୦୨୩, ନଭେମ୍ବର ୨୦ତାରିଖରେ ମହାକାଳପଡ଼ା ତହସିଲଦାରଙ୍କୁ ଚାରି ମାସ ଭିତରେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ରାମଚଣ୍ତୀ ଆର‌୍‌ଆଇ ସର୍କଲ ଘଟଣାର ତଦନ୍ତ କରି ଅଜୟ ଓ ତାଙ୍କ ପତ୍ନୀଙ୍କୁ ଦିଆଯାଇଥିବା ଭୂମିହୀନ ପଟ୍ଟା ବେଆଇନ ବୋଲି ତହସିଲଦାରଙ୍କୁ ରିପୋର୍ଟ ଦେଇଥିଲେ। ଏହାସତ୍ତ୍ବେ ଧାର୍ଯ୍ୟ ସମୟ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆବେଦନକାରୀ ତହସିଲଦାରଙ୍କ ବିରୋଧରେ ଅଦାଲତ ଆଦେଶ ଅବମାନନା ମାମଲା ଦାୟର କରିଥିଲେ। 

କୋର୍ଟ ନୋଟିସ୍‌ ଜାରି କରିବା ପରେ ଗତ ସେପ୍ଟେମ୍ବରରେ ତହସିଲଦାର କୋର୍ଟଙ୍କୁ ଯେଉଁ ସତ୍ୟପାଠ ଦେଇଛନ୍ତି, ସେଥିରେ ଅଜୟ ଓ ତାଙ୍କ ପତ୍ନୀଙ୍କୁ ଅଯୋଗ୍ୟ ହିତାଧିକାରୀ ଦର୍ଶାଇବା ସହ ଉକ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଅଣାଯିବ ବୋଲି କହିଛନ୍ତି। କିନ୍ତୁ ଏଯାଏ ଜମି ସରକାରୀ ରେକର୍ଡକୁ ଆସିବା ତ ଦୂରର କଥା ଉକ୍ତ ଜମି ଉପରେ ଗଢ଼ି ଉଠିଥିବା ଦୋକାନ ଘରଗୁଡ଼ିକୁ ବି ଭଙ୍ଗାଯାଇ ନାହିଁ।