କେନ୍ଦ୍ରାପଡ଼ା/ମହାକଳାପଡ଼ା/ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ। ଭିଜିଲାନ୍ସ ଟିମ୍ ତାଙ୍କୁ ତହସିଲ ଅଫିସ୍ ବିଶ୍ରାମ ଗୃହରେ ଧରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛି। ଏହାସହିତ ତାଙ୍କ ମହାକାଳପଡ଼ାସ୍ଥିତ ବିଶ୍ରାମ ଘର, ବାଲିଆ ବଜାରସ୍ଥିତ ଘର, ଡେରାବିଶ ବାଘିଲୋବାବନପୁରସ୍ଥିତ ପୈତୃକ ଘର, ବାଘିଲୋବାବନପୁରରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ, ଗଣେଶପୁରରେ ଥିବା ଦୁଇ ମହଲା ଘର, ଭାଗବତପୁରରେ ଥିବା ତିନିମହଲା ଘର ଓ ପୁରୀ ଡେଲାଙ୍ଗଠାରେ ଥିବା ପୁଅ ଘରେ ଚଢ଼ଉ କରାଯାଇଛି। ପୈତୃକ ଘରୁ ୯୨ହଜାର ଟଙ୍କା ସମେତ ମୋଟ ୧ଲକ୍ଷ ୫୪ହଜାର ଟଙ୍କା, ସାତ ଭରିରୁ ଅଧିକ ଓଜନର ସୁନା, ନଅ ଗ୍ରାମ୍ର ରୁପା, ଏଲ୍ଆଇସି ବଣ୍ଡ୍, ଜମି କାଗଜପତ୍ର, ଏକାଧିକ ବ୍ୟାଙ୍କ ଜମାଖାତା ଓ ଏଟିଏମ୍ ଜବତ କରାଯାଇଛି। ରିପୋର୍ଟ ଲେଖାହେଲା ବେଳକୁ ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ଅଧିକ ବଢ଼ିବ ବୋଲି ଅନୁମାନ କରାଯାଉଛି।
ମହାକାଳପଡ଼ା ବ୍ଲକ୍ ଗୋଜାବନ୍ଧ ଗ୍ରାମର ପୀତାମ୍ବର ସ୍ବାଇଁଙ୍କ ଘରକୁ ରାସ୍ତା ନାହିଁ। ଜଣେ ବ୍ୟକ୍ତି ବହୁବର୍ଷ ହେବ ରାସ୍ତା ଅବରୋଧ କରି ରଖିଥିବା ନେଇ ସେ ୨୦୨୪ ମସିହାରେ ଅଭିଯୋଗ କରିଥିଲେ। ଆର୍ଆଇ ତଦନ୍ତ କରି ରିପୋର୍ଟ ଦେଇଥିଲେ। ହେଲେ ଏହା ଉପରେ ତହସିଲଦାର କୌଣସି ପଦକ୍ଷେପ ନେଇ ନ ଥିଲେ। ପୀତାମ୍ବରଙ୍କ ଜ୍ବାଇଁ ପାଟକୁରା କିଣିଲୋ ଗ୍ରାମର ଅନ୍ତର୍ଯ୍ୟାମୀ ସ୍ବାଇଁ ତହସିଲଦାର ଶ୍ରୀ ମଲ୍ଲିକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇବାରୁଲ ତହସିଲଦାର ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅନ୍ତର୍ଯ୍ୟାମୀ ଏ ବିଷୟରେ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ଦିନ ପ୍ରାୟ ସାଢ଼େ ୨ଟାରେ ତହସିଲଦାର ନିଜ କ୍ବାର୍ଟର୍ସକୁ ଖାଇବାକୁ ଯାଇଥିଲା ବେଳେ ଅନ୍ତର୍ଯ୍ୟାମୀ ଟଙ୍କା ନେଇ ସେଠାକୁ ଯାଇଥିଲେ। ସେଠାରେ ଟଙ୍କା ଦେଉଥିଲା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତହସିଲଦାରଙ୍କୁ ଧରି ନେଇଥିଲା। ବାଲିଆସ୍ଥିତ ଘରୁ ତାଙ୍କ ପୁଅକୁ ମଧୢ ଭିଜିଲାନ୍ସ ଉଠାଇ ନେଇ ପଚରାଉଚରା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/24/fshfshshf-2025-09-24-01-51-38.jpg)