କାଳିଆ ସାଆନ୍ତଙ୍କୁ ଦ୍ୱାର କିଳନ୍ତି ମହାଲକ୍ଷ୍ମୀ

ରତ୍ନ ସିଂହାସନ ବିଜେ ପୂର୍ବରୁ ଲକ୍ଷ୍ମୀ ନାରାୟଣ ବଚନିକା

ପୁରୀ : ‘ପ୍ରଭୁଙ୍କ ପହଣ୍ଡି ବିଜୟ ଦେଖି, ଦାସୀକି ଆଜ୍ଞା‌ ଦେଲେ କମଳାକ୍ଷୀ। କବାଟ ପକାଇ ଦିଅ କିଳିଣୀ, ଡାକିଲେ ନଶୁଣିବ କମ୍ଭୁପାଣି’। ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରୁ ଫେରିବା ପରେ ଦେବୀ ଏଭଳି ଅଭିମାନ ଢାଳନ୍ତି। କବି ଜଗନ୍ନାଥ ପାଣିଙ୍କ ‘ଲକ୍ଷ୍ମୀନାରାୟଣ ବଚନିକା’ର ଏହି ପଂକ୍ତିରେ ହିଁ ନିହିତ ରହିଛି ମହାପ୍ରଭୁଙ୍କ ମହାମାନବୀୟ ଲୀଳାଖେଳା। ‘ନୀଳାଦ୍ରି ବିଜେ’ ଦିନ ଲକ୍ଷ୍ମୀନାରାୟଣ ବଚନିକା ଭକ୍ତଙ୍କୁ ପୁଲକିତ କରିବା ସହ ନିଜ ପାରିବାରିକ ଜୀବନର ବାସ୍ତବ ଚିତ୍ରକୁ ଅନୁଭବ କରନ୍ତି।

ଗବେଷକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ କହିବା ମୁତାବକ, ଲକ୍ଷ୍ମୀ ଠାକୁରାଣୀଙ୍କ ଅଗୋଚରେ ଭଉଣୀ ସୁଭଦ୍ରାକୁ ନେଇ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଯାତ୍ରାରେ ଯାଇଥାନ୍ତି। ତେଣୁ ମା’ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ବୁଝାଇ ଫେରାଇ ଆଣିବାକୁ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ମାତ୍ର ଦର୍ଶନ ନ ପାଇ ନନ୍ଦିଘୋଷର ରଥ କାଠ ଭାଙ୍ଗି ଅଭିମାନରେ ମା’ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ତେବେ ଏତିକିରେ ଶାନ୍ତ ହୁଏନି ମହାଲକ୍ଷ୍ମୀଙ୍କ ଅଭିମାନ। ତେଣୁ ନୀଳାଦ୍ରି ବିଜେରେ ମା’ ଲକ୍ଷ୍ମୀ ସାଆନ୍ତାଣି ଅଭିମାନ କରି ଶ୍ରୀଜଗନ୍ନାଥଙ୍କୁ ଦ୍ବାର କିଳିଦିଅନ୍ତି। ସୁଦର୍ଶନ, ବଳଭଦ୍ର ଓ ସୁଭଦ୍ରା ଜଣଜଣ କରି ରତ୍ନ ସିଂହାସନକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆସିବା କଥା ଶୁଣି ଭେଟ ମଣ୍ଡପକୁ ଆସନ୍ତି। ଶ୍ରୀଜଗନ୍ନାଥ ଚାରମାଳ ଉପରେ ଓ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପରେ ଥିବା ବେଳେ ‘ଲକ୍ଷ୍ମୀନାରାୟଣ ବନ୍ଦାପନା’ ନୀତି ଅନୁଷ୍ଠିତ ହୁଏ। ବନ୍ଦାପନା ପରେ ମା’ ସିଂହଦ୍ବାର କିଳି ଦେବାକୁ ଆଦେଶ ଦିଅନ୍ତି।

ଜୟ ବିଜୟ ଦ୍ବାର ନିକଟରେ ହିଁ ଦ୍ବାର ଫିଟାକୁ ନେଇ ଆରମ୍ଭ ହୁଏ ବଚନିକା। ଲକ୍ଷ୍ମୀ ଠାକୁରାଣୀ ନିଜର ଦୁଃଖ ଓ ଅଭିମାନ ପ୍ରକାଶ କରନ୍ତି। ଦ୍ବାରର ବାହାର ପାଖରେ ମହାପ୍ରଭୁଙ୍କ ପକ୍ଷରୁ ସ୍ବାଇଁମହାପାତ୍ର ମହାଲକ୍ଷ୍ମୀଙ୍କର ସମସ୍ତ ଅଭିଯୋଗକୁ ଖଣ୍ଡନ କରି ମାନଭଂଜନ ପାଇଁ ଚେଷ୍ଟା କରନ୍ତି। ଦେବୀଙ୍କ ପାଇଁ ବସ୍ତ୍ର ଅଳଙ୍କାର ଆଦି ଆଣିଥିବା କହିବା ପରେ ଜୟବିଜୟ ଦ୍ବାର ଖୋଲାଯାଏ ବୋଲି ଗବେଷକ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର