ତେଲକୋଇ: ବୁଡ଼ିବାକୁ ଯାଉଛି ମହ୍ଲାର ଜନଜାତି ଯାଜପୁର ଜିଲ୍ଲାର ସୁକିନ୍ଦା, ଦାନଗଦୀ ଓ କେନ୍ଦୁଝର ଜିଲ୍ଲାର ତେଲକୋଇ, ହରିଚନ୍ଦନପୁର ଓ ଘଟଗାଁ ବ୍ଲକ୍ରେ ଏହି ସମ୍ପ୍ରଦାୟର ପ୍ରାୟ ୨୦୦ ପରିବାର ବାସ କରୁଥିବା ବେଳେ ଜନସଂଖ୍ୟା ହଜାରେରୁ ବି କମ୍। ଶିକ୍ଷା, ସଚେତନତାର ଅଭାବ, ଅଳ୍ପ ବୟସରେ ବିବାହ, ସ୍ବାସ୍ଥ୍ୟଗତ ସମସ୍ୟା ସାଙ୍ଗକୁ ଅନ୍ଧବିଶ୍ବାସ ଓ କୁସଂସ୍କାର ଯୋଗୁଁ ଏହି ଜନଜାତିଙ୍କ ବଂଶବୃଦ୍ଧି ହୋଇପାରୁ ନଥିବା ଜଣାପଡ଼ିଛି।
ବେସରକାରୀ ତଥ୍ୟକୁ ବିଶ୍ବାସକୁ ନେଲେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ର କଅଁସ ପଞ୍ଚାୟତରେ ୪୦ ପରିବାର, ପଡ଼ୋଶୀ ଦାନଗଦୀ ବ୍ଲକ୍ର କିଆଝର ପଞ୍ଚାୟତରେ ୨୦ଟି ମହ୍ଲାର ପରିବାର ବାସ କରୁଛନ୍ତି। ଉଭୟ ପଞ୍ଚାୟତରେ ମହ୍ଲାର ଜନଜାତିଙ୍କ ସଂଖ୍ୟା ୨୫୦। ସେହିପରି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ୍ର ବଡ଼ପଳାଶପାଳ ପଞ୍ଚାୟତ ଓସ୍ତିଆପଶି ଗ୍ରାମରେ ୬ଟି ପରିବାର, ପିଠାଗୋଳାରେ ୧୨ଟି ଓ ଖରବା ଗ୍ରାମରେ ୮ଟି ମୋଟ ୨୬ଟି ପରିବାର ବାସ କରୁଛନ୍ତି। ଏଠାରେ ମହ୍ଲାର ଜନଜାତିଙ୍କ ସଂଖ୍ୟା ପ୍ରାୟ ଦେଢ଼ଶହ। ଘଟଗାଁ ବ୍ଲକ୍ର ଉପରଡିହା ପଞ୍ଚାୟତରେ ୩୦ଟି ମହ୍ଲାର ପରିବାର ବାସ କରୁଥିବା ଲୋକସଂଖ୍ୟା ଦେଢ଼ଶହ। ସେହିପରି ତେଲକୋଇ ବ୍ଲକ୍ ଖୁଣ୍ଟାପଡ଼ା ପଞ୍ଚାୟତର କୁଲାଡେରା ଗ୍ରାମରେ ୨୦ଟି ପରିବାର, କାଳିଆହତା ପଞ୍ଚାୟତ ଗଲଦାରେ ୧୬ଟି, ରାଇସୁଆଁ ପଞ୍ଚାୟତ ରାଣୀବେଡ଼ା ଗ୍ରାମରେ ୧୫ଟି, କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗ୍ରାମରେ ୧୦ଟି ଓ ତାଳପଦା ପଞ୍ଚାୟତ ଅନ୍ତର୍ଗତ ଶିମିଳିପାଳ ଗ୍ରାମରେ ୨ଟି ପରିବାର ବାସ କରୁଛନ୍ତି। ମୋଟ୍ ୬୩ଟି ପରିବାର ୧୮୮ଜଣ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୯୦ଜଣ ପୁରୁଷ ଓ ୯୮ଜଣ ମହିଳା ରହିଛନ୍ତି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମହ୍ଲାର ସମ୍ପ୍ରଦାୟରେ ଏବେ ବି ବାଲ୍ୟବିବାହ ପ୍ରଥା ରହିଛି। ଝିଅମାନେ ୧୨ରୁ ୧୪ ବର୍ଷ ମଧ୍ୟରେ ଏବଂ ପୁଅମାନେ ୧୫ବର୍ଷ ବୟସରରେ ବିବାହ କରିଥା’ନ୍ତି। କମ୍ ବୟସରେ ବିବାହ ଯୋଗୁଁ କିଶୋରକିଶୋରୀମାନେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଜନ୍ମ ଦେଉଥିବା ଶିଶୁମାନେ ମଧ୍ୟ ଅଳ୍ପ ଓଜନର ହେବା ସହ ଅପପୁଷ୍ଟିର ଶିକାର ହେଉଛନ୍ତି। ସେହିପରି ଏହି ସମ୍ପ୍ରଦାୟର ଲୋକେ ଅସୁସ୍ଥ ହେଲେ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କାର ଆଶ୍ରୟ ନେଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଏସବୁ କାରଣ ପାଇଁ ମହ୍ଲାର ସମ୍ପ୍ରଦାୟଙ୍କ ଜୀବନକାଳ ଅତ୍ୟନ୍ତ କମ୍ ହେବାସହ ବଂଶବୃଦ୍ଧି ହୋଇପାରୁ ନଥିବା ଜଣାପଡ଼ିଛି। ତେବେ, ତେଲକୋଇ ବ୍ଲକ୍ର କେଉଁ ଅଞ୍ଚଳରେ କେତେ ସଂଖ୍ୟାରେ ମହ୍ଲାର ଜନଜାତି ଲୋକ ଅଛନ୍ତି ବୋଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସରସ୍ୱତୀ ମୁଣ୍ଡାରୀଙ୍କୁ ପଚାରିବାରୁ ସେମାନଙ୍କ ସମ୍ପର୍କରେ କୌଣସି ସଠିକ୍ ତଥ୍ୟ ନାହିଁ ବୋଲି କହିଛନ୍ତି।