ଝଙ୍କଡ଼: ଓଡ଼ିଶାର ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ସାରଳା ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଶାରଦୀୟ ପୂଜା। ଏହା ସେପ୍ଟେମ୍ବର ୨୯ ତାରିଖ, ସୋମବାର ମହାଷ୍ଟମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଦିନ ପ୍ରାତଃ ସମୟରେ ମଙ୍ଗଳ ଆଳତି, ମଧୁସ୍ନାନ, ଦଶଦିଗପାଳ ପୂଜା, ପାର୍ଶ୍ୱ ଦେବଦେବୀ ପୂଜା, ପଞ୍ଚାମୃତ ମାର୍ଜନା ପରେ ଅପୂର୍ବ ମନୋରମ ବେଶରେ ମାଆଙ୍କୁ ସଜ୍ଜିତ କରାଯାଇଥାଏ। ଦୈନିକ ପାଞ୍ଜିପାଠ, ସୂର୍ଯ୍ୟପୂଜା, ଚଣ୍ଡୀପାଠ, ପ୍ରଥମ ପ୍ରହର ଧୂପ, ବଡ଼ସିଂହାର, ଷୋଡ଼ଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିବା ବେଳେ, ସନ୍ଧ୍ୟାଆରତୀ ବେଶ ଦର୍ଶନ ପରେ ନାଟ ମଣ୍ଡପରେ ପୁରାଣପଣ୍ଡାଙ୍କ ଦ୍ୱାରା ଶୂଦ୍ରମୁନି ଆଦିକବି ସାରଳା ଦାସଙ୍କ ବିରଚିତ ଚଣ୍ଡୀ ପୁରାଣ ପାଠ କରାଯାଏ। ପ୍ରତ୍ୟହ ରାତି ୧୦ଟାରେ ସମ୍ପୂର୍ଣ୍ଣ ସୁନାବେଶ ଦର୍ଶନ ଆଦି ନୀତିକାନ୍ତି, ରୀତିନୀତିରେ ସମାହିତ ହୋଇଥାଏ। ଆସନ୍ତା ସେପ୍ଟେମ୍ୱର ୨୨ ତାରିଖ ଠାରୁ ନବରାତ୍ର ଉପଲକ୍ଷେ ରାତି ୯ଟା ବେଳେ ମା’ଙ୍କର ଚଳନ୍ତି ପ୍ରତିନିଧି ବିଜେପ୍ରତିମାଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ ନଗର ପରିକ୍ରମା ବା ଦାଣ୍ଡଯାତ୍ରାରେ ବିଜେ କରାଯାଏ।

ଝଙ୍କଡ଼ ସାରଳା ପୀଠରେ ଶାରଦୀୟ ପୂଜାର ମହତ୍ତ୍ବ

Advertisment

ପ୍ରଥମ ଦିନ ପାଚେରିକଣ ବାଟ, ଦ୍ବିତୀୟ ଦିନ ଗୋବିନ୍ଦଜିଉଙ୍କ ମଠ, ତୃତୀୟ ଦିନ ଗୋପାଳମାନଙ୍କ ଗୋଠ, ଚତୁର୍ଥ ଦିନ ସାରଳା ପର୍ଶୁରାମ ଭେଟ, ପଞ୍ଚମ ଦିନ ଗୁପ୍ତ ଚନ୍ଦ୍ରଭାଗା ନଦୀର ବିଶ୍ବମ୍ବର ଘାଟ ଓ ଷଷ୍ଠ ଦିବସରୁ ଦଶହରା ପର୍ଯ୍ୟନ୍ତ, ବଡ଼ଶାରୋଳ ଗ୍ରାମର ଲଣ୍ଡାଦେଉଳସ୍ଥିତ ପ୍ରାଚୀନ ପୀଠସ୍ଥଳୀକୁ ଯାତ୍ରା କରି ପୁନଶ୍ଚ ସ୍ୱପୀଠକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି। ସେପ୍ଟେମ୍ବର ୨୭,୨୮ ଓ ୨୯ ତାରିଖ ତିନି ଦିନ ଷଷ୍ଠୀ, ସପ୍ତମୀ ଓ ମହାଷ୍ଟମୀ ଦିନ ସଂଧ୍ୟାର ଅପୂର୍ବ ମହିଷାମର୍ଦ୍ଦିନୀ ବେଶରେ ମା’ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି। ରାତି ୧୦ଟା ବେଳେ କାଳିକା ନୃତ୍ୟ ପରିବେଷଣ କରାଯାଏ। ମହାଷ୍ଟମୀ ଦିନ ମା’ ପ୍ରାଚୀନ ପୀଠ ଲଣ୍ଡାଦେଉଳରୁ ଫେରିବା ପରେ ମନ୍ଦିର ସୌଧ କରାଯାଇ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯିବା ପରେ ସନ୍ଧିପୂଜା ହୁଏ। ପୂର୍ବରୁ ଏହି ପୂଜାରେ ମଇଁଷି ବଳି ଦିଆଯାଉଥିଲା। ମାତ୍ର ୧୯୪୬ ମସିହା ପରେ ବଳିପ୍ରଥାର ଉଚ୍ଛେଦ ଘଟିଛି। ତେବେ ଏହି ବଳି ପରିବର୍ତ୍ତେ ସନ୍ଧିପୂଜାରେ ୧୦୮ ପ୍ରକାରର ଭୋଗ ସହିତ ଏକ ବଳିପଣା ହାଣ୍ଡି ମା’ଙ୍କୁ ଅର୍ପଣ କରାଯାଇଥାଏ। ଏହି ପାର୍ବଣ ପୂଜାରେ ମଣ୍ଡାଭୋଗ ଏକ ସ୍ବତନ୍ତ୍ର ନୀତି କରାଯାଇଥିବା ବେଳେ ଭକ୍ତମାନେ ନୂଆଧାନରୁ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରି ମା’ଙ୍କୁ ଭୋଗ ଲାଗି କରିଥାଆନ୍ତି। ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ରେ ଦୁଇଦିନ ବିଶ୍ରାମ ପଡୁଥିବାରୁ ଏହି ସମୟରେ ମନ୍ଦିରର ସମ୍ମୁଖଦ୍ୱାର ବନ୍ଦ ରୁହେ। ୨ ତାରିଖ ଦିନ ପୀଠେ ଦଶହରା ଅବସରରେ ମନ୍ଦିରର ମୁଖ୍ୟଦ୍ୱାର ଓ ଯଜ୍ଞଶାଳାରେ ବସିଥିବା ସମାର୍ଜନୀ କଳସକୁ ଚନ୍ଦନ ପୁଷ୍କରିଣୀରେ ବିସର୍ଜନ କରିବା ପରେ ହିଁ ଏହି ଶାରଦୀୟ ପୂଜାର ପରିସମାପ୍ତି ହେଇଥାଏ।