ତାଳଚେର: ମା’ ହିଙ୍ଗୁଳା ପୁରୀ ଶ୍ରୀକ୍ଷେତ୍ରରେ ବିରାଜମାନ ପଛରେ ଏକ ଅଲୌକିକ କିମ୍ବଦନ୍ତି ରହିଛି। ଗୁଣ୍ଡିଚା ରାଣୀଙ୍କ ଅନୁରୋଧ କ୍ରମେ ପୁରୀ ଗଜପତି, ବିଦର୍ଭ ରାଜା ନଳଙ୍କ ଦ୍ବାରା ମା’ ଅଗ୍ନିରୂପା ହିଙ୍ଗୁଳାଙ୍କୁ ତାଳଚେର ଗୋପାଳଗଡ଼ ଦେଇ ପୁରୀକୁ ନେଉଥିଲେ। ଗୋପାଳଗଡ଼ଠାରେ ମା’ ଅନ୍ତର୍ଦ୍ଧାନ ହୋଇ ଏହିଠାରେ ରହିବାକୁ ମନସ୍ଥ କରିଥିଲେ। କର୍ମକ୍ଷେତ୍ର ପୁରୀ ଶ୍ରୀମନ୍ଦିର ହୋଇଥିବାବେଳେ ମା’ଙ୍କ ପୂଜା ପୀଠ ତାଳଚେର ଗୋପାଳଗଡ଼ ହେଲା। ସକାଳ ହେଲେ ଶ୍ରୀମନ୍ଦିର ଯାଇ ପ୍ରଭୁଙ୍କ ଅବଢ଼ା ଭୋଗ ପ୍ରସ୍ତୁତିରେ ସାମିଲ ହୋଇ ସନ୍ଧ୍ୟାରେ ପୁଣି ପୀଠକୁ ଫେରିଥାନ୍ତି। ମା’ଙ୍କ ଅନୁପସ୍ଥିତିରେ ପାର୍ଶ୍ବଦେବୀ କୁଟେଇଶୁଣି ପୀଠରେ ପୂଜା ପାଇଥାନ୍ତି। ପୁରୀରେ ୬୦ ପଉଟି ଭୋଗ ରନ୍ଧା ହେବା ପୂର୍ବରୁ ପ୍ରଥମେ ମା’ ହିଙ୍ଗୁଳାଙ୍କୁ ସମର୍ପଣ କରାଯାଇଥାଏ। ଗୋପାଳଗଡ଼ ପୀଠରେ ଭକ୍ତଙ୍କଠାରୁ ମା’ ନୈବେଦ୍ୟ ଗ୍ରହଣ କରିଥାନ୍ତି।

Advertisment

ଏଥିପାଇଁ କୌଣସି ସେବାୟତ ବା ପୂଜକଙ୍କର ଆବଶ୍ୟକତା ପଡ଼ି ନ ଥାଏ। ବର୍ଷତମାମ ପୀଠରେ ମାନସିକ ରଖି ଭକ୍ତମାନେ ପୂଜାର୍ଚ୍ଚନା କରିଥାନ୍ତି। ଆଦିଶକ୍ତି ମା’ ହିଙ୍ଗୁଳାଙ୍କ ପୀଠରେ ଦଶହରା ଉପଲକ୍ଷେ ନବରାତ୍ର ପୂଜା କରାଯାଏ। ବିଧି ଅନୁଯାୟୀ ମା’ ଧାରଣ କରୁଥିବା ସମସ୍ତ ଆୟୁଧ, ଖଡ଼ଗ, ଚକ୍ର, ତ୍ରିଶୂଳ ଆଦି ପୂଜା କରାଯିବା ସହ ନ’ଦିନ ଧରି ସହସ୍ରାର୍ଚ୍ଚନା, ଚଣ୍ଡୀପାଠ, ଯଜ୍ଞ, ମନ୍ତ୍ର, ଶ୍ଳୋକ ସହ ମା’ଙ୍କର ସ୍ୱତନ୍ତ୍ର ଆରାଧନା କରାଯାଇଥାଏ। ଏହି ପୂଜାର ପ୍ରଥମ ରାତିରେ ମା’ଶୈଳପୁତ୍ରୀ‌ ବେଶ ଧାରଣ କରିଥାନ୍ତି। ଦ୍ବିତୀୟରେ ମା’ଙ୍କ ବ୍ରହ୍ମଚାରିଣୀ ପୂଜା ହୋଇଥାଏ, ତୃତୀୟରେ ଚନ୍ଦ୍ରଘଣ୍ଟା ରୂପରେ ମା’ ଦର୍ଶନ ଦେଇଥାନ୍ତି। ଚତୁର୍ଥରେ କୁଷ୍ମାଣ୍ଡା ପୂଜନ, ପଞ୍ଚମରେ ସ୍କନ୍ଧମାତା ବେଶରେ ମା’ଙ୍କୁ ଆରାଧନା କରାଯାଏ। ଷଷ୍ଠୀରେ ମା’ଙ୍କ ପୀଠରେ କାତ୍ୟାୟନୀ ପୂଜନ ହୋଇଥାଏ। ସପ୍ତମୀରେ କାଳରାତ୍ରି ରୂପ ଧାରଣ କରିଥାନ୍ତି ମା’ ହିଙ୍ଗୁଳା, ଅଷ୍ଟମୀରେ ମହାଗୌରୀ, ନବମୀରେ ସିଦ୍ଧିଦାତ୍ରୀ ପୂଜା ପରେ ଦଶମୀ ଦିନ ମା’ଙ୍କର ଅପରାଜିତା ପୂଜନ, ଆରତି, ପୂର୍ଣ୍ଣାହୁତି ଆଦି ସମ୍ପନ୍ନ ହୋଇଥାଏ। ଶାରଦୀୟ ଦୁର୍ଗାପୂଜା ଅବସରରେ ମା‌’ ହିଙ୍ଗୁଳାଙ୍କ ପୀଠ ଲୋକାରଣ୍ୟ ହୋଇଥାଏ। ଦେହୁରୀ ସେବକମାନେ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଲକ୍ଷାଧିକ ଭକ୍ତ ମାନସିକ ପୂରଣ ପାଇଁ ମା’ଙ୍କ ଶରଣାପନ୍ନ ହୋଇଥାନ୍ତି।